ଗିରଫ ଦୁଇ ମହିଳା ସାମ୍ବାଦିକଙ୍କୁ ମିଳିଲା ଜାମିନ
ଅଗରତାଲା: ତ୍ରିପୁରା ପୁଲିସ୍ ଗିରଫ କରିଥିବା ଦୁଇ ମହିଳା ସାମ୍ବାଦିକଙ୍କୁ ଜାମିନ ମିଳିଛି। ଉଭୟଙ୍କୁ ଜାମିନ ବଳରେ ଛାଡ଼ିବାକୁ ତ୍ରିପୁରାରେ ଗୋମତି ଜିଲ୍ଲାର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ (ସିଜେଏମ) କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୭୫ ହଜାର ଟଙ୍କା ଲେଖାଏ ବ୍ୟକ୍ତିଗତ ବଣ୍ଡ ବଳରେ ସେମାନଙ୍କୁ ଜାମିନ ମିଳିଛି ।
ଜାମିନ ପାଇଥିବା ମହିଳା ସାମ୍ବାଦିକଙ୍କ ମଧ୍ୟରେ ଓଡ଼ିଶାର ସମୃଦ୍ଧି ସାକୁନିଆ ମଧ୍ୟ ରହିଛନ୍ତି। ତାଙ୍କ ଘର ଝାରସୁଗୁଡ଼ାରେ। ଦିଲ୍ଲୀର ଏକ ନ୍ୟୁଜ୍ ପୋର୍ଟାଲରେ କାମ କରୁଥିବା ସାକୁନିଆ ତାଙ୍କ ସହଯୋଗୀଙ୍କ ସ୍ୱର୍ଣ୍ଣ ଝାଙ୍କ ସହ ତ୍ରିପୁରାରେ ସୃଷ୍ଟି ହୋଇଥିବା ହିଂସାର ରିପୋର୍ଟିଂ କରିବାକୁ ଯାଉଥିଲେ। କିନ୍ତୁ ସେମାନଙ୍କୁ ବିଦ୍ୱେଷ ସୃଷ୍ଟି କରିବା ଭଳି ଖବର ଓ ମିଥ୍ୟା ରିପୋର୍ଟ ପ୍ରକାଶ କରୁଥିବା ଅଭିଯୋଗରେ ଆସାମର କରିମଗଞ୍ଜରେ ପୁଲିସ ଅଟକାଇଥିଲା। ଏହାପରେ ସେମାନଙ୍କୁ ଆଜି ତ୍ରିପୁରା ପୁଲିସ୍କୁ ହସ୍ତାନ୍ତର କରାଯାଇଥିଲା। ମହିଳା ସାମ୍ବାଦିକଙ୍କୁ ହଠାତ୍ ପୁଲିସ୍ ଅଟକ ରଖିବା ଘଟଣାରୁ ଏଡିଟର୍ସ ଗିଲ୍ଡ ପକ୍ଷରୁ ନିନ୍ଦା କରାଯିବା ସହ ସେମାନଙ୍କୁ ମୁକ୍ତ କରିବାକୁ ଦାବି କରାଯାଇଥିଲା।
ଉଭୟଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ପୀଜୁଶ ବିଶ୍ୱାସ କହିଛନ୍ତି, କୋର୍ଟ ଉଭୟଙ୍କୁ ଜାମିନ ଦେଇଛନ୍ତି। ଏଥିପାଇଁ ୭୫ ହଜାର ଟଙ୍କା ଲେଖାଏ ବ୍ୟକ୍ତିଗତ ବଣ୍ଡ ଦାଖଲ କରିବାକୁ ପଡ଼ିବ। ସେହିପରି ସେମାନେ ମାମମଲା ରୁଜୁ ହୋଇଥିବା କାକରବାନ ପୁଲିସ୍ ଷ୍ଟେସନରେ ହାଜର ହେବ। ପୁଲିସ୍ ସେମାନଙ୍କୁ ପଚରାଉଚରା କରିବା ପରେ ରିଲିଜ୍ କରିବ। କୋର୍ଟ ଆଜି ଆବେନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଥିବା ଶ୍ରୀ ବିଶ୍ୱାସ କହିଛନ୍ତି।
ଉଭୟ ସାକୁନିଆ ଓ ସ୍ୱର୍ଣ୍ଣ ଏଚ୍ଡବ୍ଲ୍ୟୁ ନ୍ୟୁଜ ନେଟୱର୍କରେ କାମ କରନ୍ତି। ତ୍ରିପୁରା ପୁଲିସ କହିଛି ଯେ ସମୃଦ୍ଧିଙ୍କ ଟ୍ୱିଟ୍ ଆଧାରରେ ହିଁ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେ ଗୋଟିଏ ଟ୍ୱିଟରେ ଜଣଙ୍କ ଘରେ ରହିଥିବା ପ୍ରାର୍ଥନା ହଲ୍କୁ ଯିବା ସହ ଏହା ଦରପୋଡ଼ା ଅବସ୍ଥାରେ ରହିଥିବା କହିଥିଲେ।
ଏଥିସହ ସେହି ସ୍ଥାନରେ ପବିତ୍ର କୋରାନକୁ ମଧ୍ୟ ଜଳାଇ ଦେଇଥିବା ସାକୁନିଆ ସମସ୍ତଙ୍କୁ ଅବଗତ କରାଇଥିଲେ। କିନ୍ତୁ ପୁଲିସ୍ ଏଥିରେ ସତ୍ୟତା ନଥିବା କହିବା ସହ ସାକୁନିଆ ଓ ସ୍ୱର୍ଣ୍ଣ ହିଂସା ଉସକାଇବାକୁ ଚେଷ୍ଟା କରୁଥିବା କହିଥିଲା। ଅନ୍ୟପକ୍ଷରେ ପୁଲିସ ଉଭୟଙ୍କୁ ବଳପୂର୍ବକ ଅଟକ ରଖିବା ସହ ଧମକଚମକ ଦେଇ ଡରାଉଥିବା ସାକୁନିଆ ଟ୍ୱିଟ୍ କରି ଜଣାଇଥିଲେ।
ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )