ଦିଗପହଣ୍ଡି : ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟନଗରଗଡ଼ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ-ମିଶ୍ରଣ ନିଷ୍ପତ୍ତି ବାତିଲ କରି ତୁରନ୍ତ ନାମଲେଖା ଆରମ୍ଭ କରିବା ଦାବିରେ ଦିଗପହଣ୍ଡ ପୁଞ୍ଜିକୟାଁ ଛକରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ ଅଫିସ୍ ସମ୍ମୁଖରେ ପହଞ୍ଚି ସେଠାରେ ଅହୋରାତ୍ର ଗଣ ଧାରଣା ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଗ୍ରାମବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଜିଲ୍ଲାପାଳ, D.E.O,B.E.O ଓ B.D.Oଙ୍କୁ ଅବଗତ କରିବା ସତ୍ତ୍ଵେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ସୂଚନା ଥାଉକି ରାଜ୍ୟ ସରକାର ୨୦୧୮ ମସିହାରେ ରାଜ୍ୟର ୧୪,୩୭୯ ଓ ଗଞ୍ଜାମ ଜିଲ୍ଲାରେ ୪୩୩ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ l ବନ୍ଦ କରିବା ପ୍ରକ୍ରିୟା ୨୦୨୦ ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିଲା l ତନ୍ମଧ୍ୟରୁ ବିଜୟନଗରଗଡ଼ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ, କମ ଛାତ୍ରଛାତ୍ରୀ ଥିବା ଆଳ ଦେଖାଇ ନିକଟବର୍ତ୍ତୀ ସ୍କୁଲ ଯାହାର ଦୂରତ୍ଵ ପ୍ରାୟ ୧.୫ କି.ମି. ସହ ମିଶ୍ରଣ ପାଇଁ ସରକାର ନିଷ୍ପତି ନେଇଛନ୍ତି । ଏହି ସ୍କୁଲରେ ୫୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ପଢିବା ପାଇଁ ପ୍ରସ୍ତୁତ ଅଛନ୍ତି । ମିଶ୍ରଣ ହୋଇଥିବା ସ୍କୁଲକୁ କୁନି କୁନି କୋମଳମତି ଶିଶୁମାନଙ୍କୁ ମୁଖ୍ୟ ସଡ଼କ ପାର କରି ପ୍ରାୟ ୧.୫ କି.ମି. ଯିବା ଆସିବା ସମ୍ଭବ ନୁହଁ କାରଣ ପ୍ରତି ମୁହୁର୍ତ୍ତରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ଏଣୁ ଗ୍ରାମବାସୀ ବୃନ୍ଦ ଭୟଭୀତ ଏବଂ ଗ୍ରାମର ଅଧିକାଂଶ ଅଭିଭାବକ ଗରିବ,ଶ୍ରମିକ ଶ୍ରେଣୀର ହୋଇଥିବାରୁ ପିଲାଙ୍କୁ ପ୍ରତ୍ୟେକ ଦିନ ସ୍କୁଲକୁ ନେବା ଆଣିବା କରିବା ମଧ୍ଯ ସମ୍ଭବପର ନୁହେଁ l ତେଣୁ ତୁରନ୍ତ ଏହି ପ୍ରାଥମିକ ବିଦ୍ୟାଳୟକୁ ଅନ୍ୟତ୍ର ମିଶ୍ରଣ ନକରି ଉକ୍ତ ସ୍କୁଲରେହିଁ ନାମଲେଖା ପ୍ରକ୍ରିୟା ଅବିଳମ୍ୱେ ଆରମ୍ଭ କରିବାକୁ ଗ୍ରାମବାସୀବୃନ୍ଦ ଦୃଢ ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଲ. ଇଣ୍ଡିଆ. ଡ଼ି.ଏସ୍.ଓ ଗଞ୍ଜାମ ଜିଲ୍ଲା ସମ୍ପାଦକ ନିମାଇଁ ଚରଣ ସାହୁ, ଜିଲ୍ଲା କମିଟି ସଭ୍ୟ କିସାନ କୁମାର ସାହୁଙ୍କ ସହ ଜଗଦିଶ ଦାସ, ରବିନ୍ଦ୍ର ସେଠୀ, ପ୍ରଫୁଲ୍ଲ ସେଠୀ, ଟୁନା ନାଇକ, ଯୁଧିଷ୍ଟିର ସେଠୀ, ମୋହନ ନାୟକ, ପ୍ରକାଶ ବେହେରା, ଭାରତୀ ସେଠୀ, ସସୀ ନାୟକ, ମୋହିନୀ ସେଠୀ, ମିନତି ସେଠୀଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।
ଦିଗପହଣ୍ଡି ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )