ନୂଆଖାଇ -୨୦୨୧ ପାଳିତ
ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ରେ ନୂଆଖାଇ -୨୦୨୧ ପାଳନ କରାଯାଇଛି।ଖୋର୍ଦ୍ଧା ଜିଲ୍ଲା ସଂସ୍କୃତି ଭବନ ଠାରେ ଆୟୋଜିତ ନୂଆଖାଇ -୨୦୨୧ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ମନୋଜ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଥିଲେ ଚଳିତ ବର୍ଷ ଆମ ଦେଶରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଇଛି।ଏହି ଉପଲକ୍ଷେ ଓଡ଼ିଶା ସରକାର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସମସ୍ତ ଜିଲ୍ଲା ସଦର ମହକୁମାରେ ନୂଆଖାଇ କାର୍ଯ୍ୟକ୍ରମ ପାଳନ କରାଯାଉଛି।ନୂଆଖାଇ କୃଷିଭିତ୍ତିକ,ସାମାଜିକ ଓ ସାଂସ୍କୃତିକ ପର୍ବ।ପଶ୍ଚିମ ଓଡ଼ିଶାର ଏହା ଗଣ ପର୍ବ ହେଲେ ମଧ୍ୟ ଆମେ ସମସ୍ତେ ମନରେ ସଦ୍ଭାବ ରଖି ଏହା ପାଳନ କରୁଛୁ।ଆମେ ଓଡ଼ିଶା ବାସୀ ପରସ୍ପରର ବିଭିନ୍ନ ପର୍ବପର୍ବାଣି ପାଳନ କରିବା ସହ ସମସ୍ତଙ୍କୁ ସମ୍ମାନ ଜଣାଉଛୁ ଓ ସାଂସ୍କୃତିକ ସମନ୍ୱୟ ରଖିଛୁ।ଆମର ସଂସ୍କୃତି ମହାନ୍ ଏବଂ ଉଚ୍ଚ କୋଟୀର।ଆମର ସନାତନ ସଂସ୍କୃତି ସମଗ୍ର ବିଶ୍ୱକୁ ଦିଗ୍ ଦର୍ଶନ ଦେଇଛି।ଆମର ଓଡ଼ିଶା ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ଜାତୀୟ ସ୍ତର ଏବଂ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଲାଭ କରିଛି।ନୂଆଖାଇ ଉପଲକ୍ଷେ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଭାରତର ମାନ୍ୟବର ପ୍ରଧାନ ମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ଓ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଗୋପାଳ କୃଷ୍ଣ ଦାସ ଯୋଗଦେଇ ନୂଆଖାଇ ପର୍ବ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ନୂଆଖାଇ କୃଷିଭିତ୍ତିକ ପର୍ବ ଏବଂ ଭାଇଚାରାର ପର୍ବ।ନୂଆଖାଇ ପରମ୍ପରା ଓ ନବାନ୍ନ ଭକ୍ଷଣ ବିଷୟରେ ସେ କହିଥିଲେ।ପ୍ରଫେସର୍ ଡ଼ଃ ନାରାୟଣ ରାଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନୂଆଖାଇ ଜୁହାର ଏବଂ ପଶ୍ଚିମ ଓଡ଼ିଶାର ପର୍ବ ନୂଆଖାଇର ରୀତିନୀତି ବିଷୟରେ କହିଥିଲେ।ନୂଆଖାଇ ର ସାମାଜିକ ଓ ସାଂସ୍କୃତିକ ପ୍ରଭାବ ସମଗ୍ର ଓଡ଼ିଶାରେ ପ୍ରତିଫଳିତ ହୋଇଛି ବୋଲି ସେ କହିଥିଲେ।ବରିଷ୍ଠ ସ୍ତମ୍ଭକାର ଓ ପତ୍ରକାର ଶ୍ରୀ ଉମାଶଙ୍କର ପ୍ରସାଦ ସମ୍ମାନିତ ବକ୍ତା ଭାବେ ଯୋଗଦେଇ କୃଷିଭିତ୍ତିକ ପର୍ବ ନୂଆଖାଇ ସମସ୍ତଙ୍କ ମଧ୍ୟରେ ଭ୍ରତୃତ୍ଵ ଓ ବନ୍ଧୁତ୍ୱ ସମ୍ପର୍କ ସ୍ଥାପନ କରିଛି ବୋଲି କହିଥିଲେ।ଏହା ସମସ୍ତଙ୍କ ମନରେ ଆନନ୍ଦ ଉତ୍ସାହ ଭରିଦେବ।
ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଶ୍ରୀ ଭୀମସେନ ପ୍ରଧାନ ଓ ଶ୍ରୀ ସତ୍ୟବାଦୀ ବଳିଆରସିଂ ଯୋଗ ଦେଇ ନୂଆଖାଇ ପାଳନ ବିଷୟରେ ଆଲୋଚନା କରିଥିଲେ।ଜିଲ୍ଲା କଳା ସସ୍କୃତି ସଂଘର ଉପସଭାପତି ଶ୍ରୀ ରାମଚନ୍ଦ୍ର କର,ବେଗୁନିଆ ବ୍ଲକ୍ କଳା ସସ୍କୃତି ସଂଘର ଉପସଭାପତି ଶ୍ରୀ ଶ୍ୟାମସୁନ୍ଦର ତ୍ରିପାଠୀ,ବୋଲଗଡ଼ ବ୍ଲକ୍ କଳା ସସ୍କୃତି ସଂଘର ଉପସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରା ସାଂସ୍କୃତିକ ସମନ୍ୱୟ ଓ ନୂଆଖାଇ ପର୍ବ ପାଳନ ବିଷୟରେ ଆଲୋଚନା କରିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମାନସ ରଞ୍ଜନ ବିଶ୍ଵାଳ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଏହି କାର୍ଯ୍ୟକ୍ରମରେ କଳିଙ୍ଗ ପାଇକ ସଂଘର ସଂପାଦକ ଶ୍ରୀ କୃଷ୍ଣ ଚନ୍ଦ୍ର ହରିଚନ୍ଦନ,ଖୋର୍ଦ୍ଧା ବ୍ଲକ୍ କଳା ସସ୍କୃତି ସଂଘର ଉପସଭାପତି ଶ୍ରୀ ପ୍ରଭାତ କୁମାର ସାହୁ,ବିଭିନ୍ନ ବ୍ଲକ୍ କଳା ସସ୍କୃତି ସଂଘର ଉପସଭାପତି ଓ କଳାକାର ମାନେ ଯୋଗ ଦେଇଥିଲେ।
ଖୋର୍ଦ୍ଧା ଇପିଏ ରୁ ମନୋଜ କୁମାର ସାହୁଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )