ନୃଶଂସ ଓ ବର୍ବରତାର ସୀମା ଟପିଥିଲା ଗୋବିନ୍ଦ, ଖଣ୍ଡ ଖଣ୍ଡ କରି କାଟିଥିଲା ମମିତାଙ୍କ ଶରୀର..!

0 12

ଅଧ୍ୟାପିକା ମମିତା ହତ୍ୟା ଘଟଣାରେ ଗୋବିନ୍ଦ ସାହୁର ମୁଖ୍ୟ ସହଯୋଗୀ ରାଧେଶ୍ୟାମ ଚଣ୍ଡିଙ୍କୁ ଗିରଫ କରିଛି ପୁଲିସ। ରାଧେଶ୍ୟାମ ହେଉଛି ସେହି ବ୍ୟକ୍ତି, ଯିଏ ମମତାଙ୍କୁ ହତ୍ୟା କରିବା, ଖଣ୍ଡ ଖଣ୍ଡ କରି କାଟିବା ଓ ଶେଷରେ ପୋଡିବାରେ ଗୋବିନ୍ଦଙ୍କୁ ସହାୟତା କରିଥିଲା। ମାମଲାରେ ତଦନ୍ତ କରୁଥିବା ସାଇଣ୍ଟିଫିକ୍‌ ଟିମର ଜଣେ ଡାକ୍ତର କହିଛନ୍ତି, ପୋଡିବା ପୂର୍ବରୁ ମମିତାଙ୍କୁ ଖଣ୍ଡ ଖଣ୍ଡ କରି କଟା ଯାଇଥିଲା।

ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କ ଗାଡି ଡ୍ରାଇଭରରୁ, ବନି ଯାଇଥିଲା ହତ୍ୟାକାଣ୍ଡର ମୁଖ୍ୟ ସହଯୋଗୀ ରାଧେଶ୍ୟାମ। ନୃଶଂସ ହତ୍ୟାକାଣ୍ଡରେ ପ୍ରତିଟି କାର୍ଯ୍ୟରେ ଗୋବିନ୍ଦଙ୍କୁ ସହଯୋଗ କରିଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ମମିତାଙ୍କ ମୃତଦେହକୁ ଷ୍ଟାଡିୟମକୁ ନେବାରେ ହେଉ କି ଗାତ ଭିତରେ ରଖି ପୋଡିବା ପର୍ଯ୍ୟନ୍ତ ସବୁଥିରେ ସହଯୋଗ କରିଥିଲା। ଗୋବିନ୍ଦକୁ ଗିରଫ କରିବା ପରେ ରାଧେଶ୍ୟାମକୁ ଖୋଜୁଥିଲା ତଦନ୍ତକାରୀ ଟିମ୍‌। ଶେଷରେ ରାଧେଶ୍ୟାମକୁ ଗିରଫ କରିଛି ବଲାଙ୍ଗୀର ପୁଲିସ।

ନୃଶଂସ ଓ ବର୍ବରତାର ସୀମା ଟପି ଯାଇଥିଲା ଗୋବିନ୍ଦ। ଖଣ୍ଡ ଖଣ୍ଡ କରି କାଟି ପକାଇଥିଲା ମମିତାଙ୍କ ଶରୀର। ପାଠଶାଳା ଖୋଲିଥିବା ଗୋବିନ୍ଦ ସାହୁ ଏମିତି ନୃଶଂସ ପାଲଟି ଯାଇଥିଲା ଯେ ପ୍ରମାଣ ନଷ୍ଟ କରିବା ପାଇଁ ସବୁ ସୀମା ଟପି ଯାଇଥିଲା। ମମିତାଙ୍କର ଯେଭଳି କୌଣସି ବି ଚିହ୍ନ ନରହିବ ସେଥିପାଇଁ ଯୋଜନାବଦ୍ଧ ଭାବେ ତାଙ୍କ ମୃତ ଶରୀରକୁ କୁଆଡେ ଖଣ୍ଡ ଖଣ୍ଡ କରି କାଟି ପକାଇଥିଲା। ଘଟଣାର ତଦନ୍ତ କରୁଥିବା ଜଣେ ସାଇଣ୍ଟିଫିକ୍‌ ଟିମ୍‌ ଅଧିକାରୀଙ୍କ ସୂଚନା ଅନୁସାରେ ପୋଡିବା ସହଜ କରିବାକୁ ଏପରି କରାଯାଇଥିଲା। ତଳେ କାଠ ପ୍ଲାଏ ଉପରେ ଟାୟାର ରଖି ମମିତାଙ୍କୁ ପୋଡାଯାଇଥିଲା।

କୁଆଡେ ଗଲା ମମିତାଙ୍କ ମୋବାଇଲ୍‌, ପେନଡ୍ରାଇଭ୍‌? ପୁଣି ଷ୍ଟାଡିୟମ ଖୋଳିଲା ପୁଲିସ। ମମିତାଙ୍କ ଗଳିତ ଶବ ପାଖରୁ ସୁନା ଚେନ୍‌, ପାଉଁଜି ଓ ବ୍ୟାଗର କିଛି ଅଂଶ ମିଳିଥିଲେ ବି ତାଙ୍କର ମୋବାଇଲ ଓ ପେନଡ୍ରାଇଭ ମିଳିନାହିଁ। ମୋବାଇଲ ଓ ପେନ ଡ୍ରାଇଭରେ ରହିଥିଲା ଗୋବିନ୍ଦର କଳାକାରନାମାର ସମସ୍ତ ପ୍ରମାଣ। ତେଣୁ ମୋବାଇଲ କୁଆଡେ ଗଲା, ପେନଡ୍ରାଇଭ ଖୋଜୁଛି ପୁଲିସ। ଏଥିପାଇଁ ମମିତାଙ୍କୁ ପୋଡ଼ି ପୋତି ଦିଆଯାଇଥିବା ମହାଲିଙ୍ଗ ଷ୍ଟାଡିୟମକୁ ପୁଣି ଖୋଳିଛି ପୁଲିସ। ଏହି ସ୍ଥାନରେ ମମିତା ହତ୍ୟାକାଣ୍ଡର ଅଧିକ ତଥ୍ୟ ଲୁଚିଥିବା ପୁଲିସ ଆଶଙ୍କା କରୁଛି। ସାଇଣ୍ଟିଫିକ୍‌ ଟିମ୍‌ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଚାଲିଛି ଯାଞ୍ଚ। ଘଟଣାସ୍ଥଳରୁ ମମିତାଙ୍କ ଅସ୍ଥି, ପୋଡାକାଠ, ପୋଡା ବ୍ୟାଟେରୀ ଓ ଖପୁରୀର କିଛି ଅଂଶ ଜବତ କରାଯାଇଛି।

ମମିତା ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟ ଉଠୁଥିବା ପଡୁଥିବାବେଳେ ହାଇକୋର୍ଟରେ ମାମଲା ପହଞ୍ଚିଛି। ଘଟଣାର ସିବିଆଇ ତଦନ୍ତ ଦାବି କରି ଏକ ସାମାଜିକ ଅନୁଷ୍ଠାନ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଆବେଦନରେ ପୁଲିସ ଡିଜି, ବଲାଙ୍ଗୀର ଏସପିଙ୍କ ସମେତ ୯ ଜଣଙ୍କୁ ପକ୍ଷଭୂତ କରାଯାଇଛି। ଘଟଣାରେ ମମିତାଙ୍କ ପରିବାରର ସମ୍ମାନହାନୀ ହୋଇଥିବା ଦର୍ଶାଯାଇ ୫୦ ଲକ୍ଷ ଦେବାକୁ ଆବେଦନରେ ଦର୍ଶାଯାଇଛି।

ଇପିଏରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.