ପର୍ଯ୍ୟଟନ ସ୍ଥଳି ମାନ୍ୟତା ଅପେକ୍ଷାରେ ବାରପାହାଡ

0 9

ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତରଭା ବ୍ଲକର ମେଣ୍ଡା ନିକଟରେ ଅବସ୍ଥିତ ବାରପାହାଡ ପର୍ବତ ଏହି ପାହାଡର ଏକ ଗୁମ୍ଫାରେ ଅବସ୍ଥିତ ଗଣ୍ଡଜାତିର ଇଷ୍ଟଦେବୀ ବାରପାହାଡ (ଲିଙ୍ଗୋ) । ଏହି ଅଞ୍ଚଳରେ ଗଣ୍ଡ,କନ୍ଧ,କୋହ୍ଳ,ବିଞ୍ଝାଲ,ସହରା ଇତ୍ୟାଦି ଜନଜାତିର ଲୋକମାନେ ବସବାସ କରିଥାନ୍ତି । ପ୍ରକୃତି କୋଳରେ ବସବାସ କରିବା ସହ ବହୁ ଦେବା ଦେବୀଙ୍କୁ ଏମାନେ ପୂଜା କରିଥାନ୍ତି । ପାହାଡ ପର୍ବତ ଭିତରେ ଥିବା ଗାଁ ମାନଙ୍କରେ ପ୍ରଥମେ ଏମାନେ ବାସ କରୁଥିଲେ । ମୁଖ୍ୟତଃ ଗଣ୍ଡମାନେ ବଂଶବୃଦ୍ଧି ସହ ବିଭିନ୍ନ ଅଞ୍ଚଳକୁ ଯାଇ ସେଠାରେ ରହୁଥିଲେ । ସେମାନେ ଯେଉଁଠି ରହୁଥିଲେ ସେଠାରେ ତାଙ୍କର ଇଷ୍ଟଦେବତା ଲିଙ୍ଗୋ ଦେବତାଙ୍କୁ ସ୍ଥାପନା କରି ପୂଜାର୍ଚ୍ଚନା କରୁଥିଲେ । ଘଞ୍ଚଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ଚଳୁଥିଲେ । ପରେ ପରେ ଚାଷ କାର୍ଯ୍ୟ ସହ ବନ୍ୟଜନ୍ତୁ ଶୀକାର ଓ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କଲେ । ତେବେ ସେମାନଙ୍କର ଲିଙ୍ଗୋଦେବତା ପ୍ରତି ଅଖଣ୍ଡ ବିଶ୍ୱାସ ରହିଆସିଛି । ଅଧୁନା ସୁବର୍ଣ୍ଣପୁର ଜିଲ୍ଲାର ବାରପାହାଡ ଜଙ୍ଗଲ ମଧ୍ୟରେ ରହିଥିବା ବାରପାହାଡ ଦେବୀପୀଠ ଅନ୍ୟତମ । କାହିଁ କେଉଁ ଆବାହମାନ କାଳରୁ ପାହାଡର ଏକ ଗୁମ୍ଫା ମଧ୍ୟରେ ଦେବୀ ବାରପାହାଡ ପୂଜାପାଇ ଆସୁଛନ୍ତି । ବାରପାହାଡଙ୍କ ପୂଜା ସବୁ ପ୍ରକୃତି ପୂଜାର ଅଂଶ ବିଶେଷ ବୋଲି କୁହାଯାଏ । ସ୍ଥାନୀୟ ମଖନାମୁଣ୍ଡା(ବ୍ରାହ୍ମଣୀପାଲି)ର ଗଣ୍ଡ ସଂପ୍ରଦାୟର ଲୋକମାନେ ଏଠାରେ ପୂଜକ (ଝାଙ୍କର)ରହିଛନ୍ତି । ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣମୀ ବେଳକୁ ଛତର ଯାତ୍ରା ସହ ପାହାଡ ଉପରେ ଥିବା ଗୁମ୍ଫାଠାରେ ପୂଜା କରାଯାଇଥାଏ । ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । ଲୋକମାନେ ମାନସିକ କରି ଆଣିଥିବା ଛାଗ,କୁକୁଡା ଓ ପୋଢକୁ ବଳି ଦିଆଯାଇଥାଏ । ସେହିପରି ନିକଟସ୍ଥ ରାଜପାଲି ଗ୍ରାମରେ ଓ ମଖନାମୁଣ୍ଡାରେ ମଧ୍ୟ ପୀଠ ରହିଛି । ଚୈତ୍ରପୂର୍ଣ୍ଣମୀବ୍ୟତିତ ଅନ୍ୟ ସମୟରେ ଏହି ଦୁଇପୀଠରେ ପୂଜା କରାଯାଇଥାଏ । ବାରପାହାଡ ଜଙ୍ଗଲଟି ବଲାଙ୍ଗୀର ଜିଲ୍ଲାର ଭାଲୁପାଲିଠାରୁ ଆରମ୍ଭ ହୋଇ ସୁବର୍ଣ୍ଣପୁର ଜିଲ୍ଲାର ରେଙ୍ଗାଲି ପର୍ଯ୍ୟନ୍ତ ପ୍ରାୟ ୨୫ କିମି ଲମ୍ବି ରହିଛି । ଏହାର କ୍ଷେତ୍ରଫଳ ପ୍ରାୟ ୧୦୨ ବର୍ଗ କିଲୋିମିଟର । ଦେବୀପୀଠଟି ମେଣ୍ଡା ଆର ଆଇ ସର୍କଲର ରାଜପାଲି ମୌଜାର ରିଜର୍ଭ ଜଙ୍ଗଲରେ ରହିଛି । ବୁର୍ଡା-ଅର୍ଜୁନପୁର ଆରଡି ରାସ୍ତାର ରାଜପାଲିଛକଠାରୁ ଜଙ୍ଗଲ ଭିତରକୁ ପ୍ରାୟ ୧ କିମି ଗଲେ ରହିଛି ଦେବୀ ବାରପାହାଡଙ୍କ ଏହି ଐତିହାସିକ ଗୁମ୍ଫା । ସେଠାରେ ଗୁମ୍ଫା ଭିତରେ ଦେବୀ ପୂଜା ପାଉଛନ୍ତି । ତଳୁ ଗୁମ୍ଫା ପାଖକୁ ଯିବାକୁ ହେଲେ ବହୁ କଷ୍ଟ ସ୍ୱୀକାର କରିବାକୁ ପଡିଥାଏ । ଆବଡା ଖାବଡା ପଥୁରିଆ ରାସ୍ତାରେ ଏଠାକୁ ଯିବାକୁ ପଡିଥାଏ । ଏଠାରେ ଏକ ବହୁତ ସୁନ୍ଦର ଝରଣା ମଧ୍ୟ ପ୍ରବାହିତ ହେଉଛି । ଆଗରୁ ଘଞ୍ଚ ଜଙ୍ଗଲ ସାଙ୍ଗକୁ ବାଉଁଶ ଓ ପାଇକ ଗଛର ବଣ ରହିଥିଲା । ଯାହାକି ଝରଣାକୁ ବଞ୍ଚାଇ ରଖିଥିଲା । ଏବେ ଖରାଦିନ ବ୍ୟତିତ ଅନ୍ୟ ସବୁ ସମୟରେ ଏହି ଝରଣା ପ୍ରବାହିତ ହେଉଛି । ଜଙ୍ଗଲଟି ସୋନପୁର ଜଙ୍ଗଲ ବିଭାଗ ଅଧିନରେ ରହିଛି । ଆବଶ୍ୟକ ସୁରକ୍ଷା ଅଭାବରୁ ଜଙ୍ଗଲଟି କ୍ଷୟ ହୋଇଗଲାଣି । ଲୋକଙ୍କ ସଚେତନତା ହୋଇପାରୁନାହିଁ । ତେବେ ବାରପାହାଡ ପୀଠଟି ଲୋକଙ୍କ ଭାବନା ସହିତ ଜଡିତ ରହିଛି । ଏହି ପୀଠର ଉନ୍ନତି କରାଗଲେ ଏହି ଅଞ୍ଚଳର ବିକାଶ ହେବା ସହ ଲୋକଙ୍କ ଜଙ୍ଗଲ ସୁରକ୍ଷା ପ୍ରତି ଆଗ୍ରହ ମଧ୍ୟ ବଢିବ । ରାଜ୍ୟର ନବୀନ ସରକାର ଆଦିବାସୀଙ୍କ ପୂଜାସ୍ଥଳିର ଉନ୍ନତି ପାଇଁ ଘୋଷଣା କରିଛନ୍ତି । ସେହି ଘୋଷଣା ମୁତାବକ ଏହି ପୀଠର ମଧ୍ୟ ଉନ୍ନତି ହେବାର ଆବଶ୍ୟକତା ରହିଛି । ଏହି ପୀଠର ଆବଶ୍ୟକ ଉନ୍ନତି କରାଗଲେ ଏହା ଏକ ପର୍ଯ୍ୟଟନ ସ୍ଥଳି ହୋଇପାରିବ ବୋଲି ଲୋକଙ୍କ ଆଶା ରହିଛି । ସ୍ଥାନୀୟ ଲୋକମାନେ ମଧ୍ୟ ଏନେଇ ପ୍ରଶାସନ ପାଖରେ ଦାବି କରିଛନ୍ତି । ବିନା ଜଙ୍ଗଲ କ୍ଷୟରେ ପାହାଡରେ ଗୁମ୍ଫା ନିକଟକୁ ପଥର ପାହାଚ ନିର୍ମାଣ , ଝରଣା ଜଳର ସଂରକ୍ଷଣ ପାଇଁ ଚେକଡେମ ନିର୍ମାଣ , ଓ ସଚେତନତା କରାଯାଇ ଜଙ୍ଗଲ ସଂରକ୍ଷଣ କରାଯିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ବତ୍ତମାନ ମଧ୍ୟ ବଲାଙ୍ଗିର,ସୋନପୁର,ବୌଦ୍ଧ, ତଥା ଆଖପାଖ ଅନେକ ଜିଲ୍ଲାର ହଜାରହଜାର ଦର୍ଶକ ମାନେ ଏଠାକୁ ଆସି ଖାଲଖମାରେ ଭର୍ତ୍ତି ପାହାଡ ଉପରକୁ ବହୁ କଷ୍ଟରେ ଚଢି ଗୁମ୍ଫାଦେଖିବା ସହିତ ସବୁଜ ପାହାଡର ଦୃଶ୍ୟକୁ ମନଭରି ଉପଭୋଗ କରିବା ସହିତ ନିକଟରେ ପ୍ରବାହିତ ଝରଣା ପାଖରେ ଭୋଜିଭାତର ଆସର ମଧ୍ୟ ଜମାଉଛନ୍ତି । ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଏହା ଉପସ୍ଥିତ ଥିବାରୁ ଜିଲ୍ଲା ପ୍ରଶାସନ ଧ୍ୟାନ ଦେଉନଥିବାରୁ ଆଜିମଧ୍ୟ ଏହି ଜାଗାର ଉନ୍ନତି ହୋଇପାରୁନଥିବା ସ୍ଥାନିୟ ଅଧିବାସି ପ୍ରକାଶ କରନ୍ତି । ଜିଲ୍ଲାପ୍ରଶାସନ ବିଶେଷ ଧ୍ୟାନ ଦେବାକୁ ବାରମ୍ବାର ଦାବି ହେଉଛି ।

ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.