ପୁଣି ଖାକିରେ କଳଙ୍କ
ଗଜପତି ଜିଲ୍ଲାରେ ଓଏସଏପି ୩ୟ(ଏସଏସ)ବାଟାଲିୟନର ୪ଜଣ ଜବାନ ଟ୍ରକରେ ସାଗୁଆନ୍ କାଠ ଚୋରାଚାଲାଣ କରି ବନବିଭାଗ ଦ୍ୱାରା ଅଟକ, ଟ୍ରକ ଜବତ । ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସହରର ଉପଖଣ୍ଡରେ ଥିବା ରିଜର୍ଭ ପୋଲିସ କଲୋନୀରୁ ଟ୍ରକ୍ ଯୋଗେ ଭୂବନେଶ୍ୱରକୁ ସାଗୁଆନ କାଠ ଚୋରାଚାଲାଣ ହେଉଥିଲା । ରାମସାଗର ଛକରେ ବନବିଭାଗର ଦେବଗିରି ରେଞ୍ଜ ତରଫରୁ ଗାଡିଗୁଡିକ ଯାଞ୍ଚ କରାଯାଉଥିଲା । ସେହି ସମୟରେ ପୋଲିସ ବିଭାଗ ନାମଫଳକ ଲାଗିଥିବା ଏକ ଟ୍ରକ ସେଠାରେ ପହଞ୍ଚିଥିଲା । ବନବିଭାଗର କର୍ମଚାରୀ ମାନେ ଉକ୍ତ ଗାଡିକୁ ତଲାସୀ କଲାବେଳେ ସେଥିରୁ ମୂଲ୍ୟବାନ ସାଗୁଆନ କାଠ ଗୁଡିକ ଦେଖିଥିଲେ । ତୁରନ୍ତ ଉକ୍ତ ଗାଡିକୁ ଜବତ କରିବା ସହ ସେଥିରେ ଥିବା ଓଏସଏପି ୩ୟ(ଏସଏସ)ବାଟାଲିୟନର ଡ୍ରାଇଭର ସମେତ ୪ଜଣ ଜବାନକୁ ବନବିଭାଗ ଦ୍ୱାରା ଅଟକ ରଖାଯାଇଛି । ଜବତ ହୋଇଥିବା ସାଗୁଆନ କାଠର ଆନୁମାନିକ ବଜାର ମୂଲ୍ୟ ୬୫ହଜାର ଟଙ୍କାରୁ ଉର୍ଦ୍ଦ ହେବ ବୋଲି ଦେବଗିରି ରେଞ୍ଜ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି । ଅଟକ ରହିଥିବା ଜବାନ ମାନେ ହେଲେ ଭରତ ମହାଙ୍କୁଡ, ଯଶବନ୍ତ ଆଚାର୍ଯ୍ୟ, ଚିନ୍ମୟ ବେହେରା ଓ ଟ୍ରକ ଡ୍ରାଇଭର ଶ୍ରୀଧର ମହାପାତ୍ର ବୋଲି ସୂଚନା ମିଳିଛି । ଉକ୍ତ ଟ୍ରକର ଡ୍ରାଇଭର ଶ୍ରୀଧର ମହାପାତ୍ର ଗଣ୍ଡାହାତୀର ଜଣେ ବ୍ୟବସାୟୀଙ୍କ ଠାରୁ ସାଗୁଆନ କାଠ ଗୁଡିକ କିଣି ତାହାର ବ୍ୟବହାର ଉପଯୋଗୀ କରିଥିଲେ । ନିଜର ବ୍ୟକ୍ତିଗତ ବ୍ୟବହାର କରିବା ନିମନ୍ତେ ସର୍ଭିସିଂ ପାଇଁ ଭୂବନେଶ୍ୱର ଯାଉଥିବା ପୋଲିସ ବିଭାଗ ଟ୍ରକରେ କାଠ ଗୁଡିକ ନେଉଥିଲେ ବୋଲି ବନବିଭାଗ ଅଧିକାରୀଙ୍କ ସମ୍ମୁଖରେ କହିଥିଲେ । କିନ୍ତୁ ଭରତ ମହାଙ୍କୁଡ, ଯଶବନ୍ତ ଆଚାର୍ଯ୍ୟ ଓ ଚିନ୍ମୟ ବେହେରା ଛୁଟିରେ ଘରକୁ ଯାଉଥିଲେ । ଯେହେତୁ ବିଭାଗୀୟ ଟ୍ରକଟି ଭୂବନେଶ୍ୱର ଯାଉଥିଲା,ଟିକଟ ଖର୍ଚ୍ଚ ବଳକା କରିବା ଆଶାରେ ସେଥିରେ ବସିଥିଲେ । ଟ୍ରକ୍ରେ କଣ ଥିଲା ସେମାନେ ଜାଣିନଥିବା କହିଛନ୍ତି । ତେବେ ଶ୍ରୀଧର ମହାପାତ୍ର ଗଣ୍ଡାହାତୀରୁ କିଭଳି ବ୍ୟବସାୟୀଙ୍କ ଠାରୁ କାଠ କିଣିଲେ ଏବଂ ରିଜର୍ଭ ପୋଲିସ କଲୋନୀ ରେ କାଠ ଟ୍ରକରେ ଲୋଡ କଲେ ସେଥିପ୍ରତି କାହାର ନଜର କିପରି ପଡିଲାଣି ଏଠାରେ ପ୍ରଶ୍ନ ଉଠୁଛି ? ତେବେ ପୋଲିସ ଟ୍ରକରେ କାଠ ଚୋରାଚାଲାଣରେ ବାଟାଲିୟନର କୌଣସି ଉଚ୍ଚ କର୍ତ୍ତୃ ପକ୍ଷଙ୍କ ଭୂମିକା ଥିବାର ସନ୍ଦେହ କରାଯାଉଛି । ଏହି ବିଷୟରେ ଓଏସଏପି ୩ୟ(ଏସଏସ)ବାଟାଲିୟନର କମାଣ୍ଡେଣ୍ଟ ଜୁରିୟା ବେହେରା ଟ୍ରକଟି ସର୍ଭିସିଂ ପାଇଁ ଯିବାର ଥିଲା । ସେଥିରେ ଡ୍ରାଇଭର ସମେତ ଜଣେ ଯବାନ ଏବଂ ତାଙ୍କ ସହ ଆଉ ୨ଜଣ ଯବାନ ମଧ୍ୟ ଯିବାର ଥିଲା ବୋଲି କହିଛନ୍ତି । ଅପରପକ୍ଷରେ ସହକାରୀ ବନସଂରକ୍ଷକ ଗୌରୀପ୍ରସାଦ ରଥ କାଠ କିଏ ବିକିଲା, କେଉଁ ଠାରୁ ଗଛ କଟାଯାଇଛି ,କେଉଁ ସ୍ଥାନରେ ଟ୍ରକରେ ଲୋଡ୍ କରାଯାଇଛି ଏବଂ ଏହି ଘଟଣାରେ କାହାର ସମ୍ପୃକ୍ତି ରହିଛି ତାର ସବିଶେଷ ତଦନ୍ତ ହେବ ଗଣମାଧ୍ୟମକୁ କହିଛନ୍ତି ।
ଗଜପତି ଜିଲ୍ଲା ଇପିଏ ରୁଦିଲୀପ କୁମାର ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )