ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆଶଙ୍କା ଙ୍କୁ ନେଇ ଆତଂକ
ତିନି ଦିନ ଧରି ଚାଲିଥିବା କାଉ ଓ କୁକୁଡ଼ା ମଡ଼କକୁ ନେଇ ଏବେ କୁକୁଡା ବେପାରୀମାନେ ବର୍ଡ଼ ଫ୍ଲ୍ୟୁ ବ୍ୟାପୁଥିବା ଆଶଙ୍କା କରିଛନ୍ତି । ପକ୍ଷୀ ଅଭୟାରଣ୍ୟ ଚିଲିକା ନଳବଣ କାଉ ମୃତ୍ୟୁ ସ୍ଥାନଠାରୁ ମାତ୍ର ୧୦ରୁ ୧୨ କିଲୋମିଟର ହୋଇଥିବାରୁ ବନ ବିଭାଗର ନିଦ ହଜିଯାଇଛି । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ନୂଆପଡ଼ା ନଟା ଗ୍ରାମରେ କାଉ ଓ କୁକୁଡ଼ା ମଡ଼କ ଦେଖିବାକୁ ମିଳିଥିବା ବେଳେ ପାଖରେ ଥିବା ଚିଲିକା ନଳବଣରେ ବିଦେଶାଗତ ପକ୍ଷୀଙ୍କୁ ବାର୍ଡ ଫ୍ଲ୍ୟୁ ସଂକ୍ରମଣ ହୋଇଥିବା ଆଶଙ୍କା ବନ ବିଭାଗର ଓ ପ୍ରାଣୀ ଚିକିତ୍ସକମାନଙ୍କ ଚିନ୍ତା ବଢାଇଦେଇଛି । ହେଲେ ଏ ପର୍ଯ୍ୟନ୍ତ ସେଭଳି କିଛି ବର୍ଡ଼ ଫ୍ଲ୍ୟୁ ରିପୋର୍ଟ ଆସି ନାହିଁ ଓ ଯଦି ଆସେ ତେବେ ୨୦୧୮ ଭଳି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।
କୃଷ୍ଣପ୍ରସାଦ ଅଞ୍ଚଳରେ ଦୈନିକ ୪୦ରୁ ୫୦ଟି କାଉ ମରୁଥିବା ବେଳେ ୨୦ରୁ ଅଧିକ କୁକୁଡ଼ା ମରୁଛନ୍ତି । ବିଶେଷ କରି ଏହି ବ୍ଳକର ଚିଲିକା ନୂଆପଡ଼ା ନଟା ସାହିରେ କାଉ ମଡ଼କ ଦେଖିବାକୁ ମିଳିଛି । ଦୀର୍ଘ ଚାରି ଦିନ ହେବ ଚିଲିକା ନୂଆପଡ଼ାରେ ୩୦ରୁ ୪୦ଟି କାଉ ମରି ପଡିଥିବା ଦେଖିବାକୁ ମିଳିଛି । ଖବର ପାଇ କାଉ ମରିପଡିଥିବା ସ୍ଥାନରେ ଚିଲିକା ନୂଆପଡା ରେଞ୍ଜର ବନ କର୍ମଚାରୀମାନେ ପହଞ୍ଚି ସାତଟି ମୃତ କାଉକୁ ଜବତ କରିଥିଲେ ଓ ସେଗୁଡ଼ିକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ପଠାଇଥିଲେ ।
ମୃତ କାଉଗୁଡ଼ିକ ର ସ୍ୱାବ୍ ସଂଗ୍ରହ କରାଯାଉଛି । ସେଗୁଡ଼ିକର ପରୀକ୍ଷା କରାଯିବା ପରେ କାଉ ମଡ଼କର କାରଣ ଜଣାପଡ଼ିବ।ତେବେ ଗତ ୨୦୧୮ ମସିହାରେ ସିଆଳ ପଞ୍ଚାୟତର ସିଆଳ ଗାଁ ପାଖ ଜଙ୍ଗଲରେ ପ୍ରଥମେ ବର୍ଡ଼ ଫ୍ଲୁ ଚିହ୍ନଟ କରାଯାଇଥିଲା । ଏବେ କୃଷ୍ଣପ୍ରସାଦ ବ୍ଳକର ଚିଲିକା ନୂଆପଡା ଗାଁରୁ କାଉ ମଡ଼କ ଖବର ଆସିବା ପରେ ବର୍ଡ଼ ଫ୍ଲୁ ବ୍ୟାପିଥିବା ଲୋକେ ସନ୍ଦେହ କରୁଛନ୍ତି ।
ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ‘‘ଏଯାବତ୍ ସେଭଳି କିଛି ବର୍ଡ଼ ଫ୍ଲ୍ୟୁର ରିପୋର୍ଟ ଆସି ନାହିଁ । ଯଦି ଆସେ ତେବେ ୨୦୧୮ ମସିହା ଭଳି ପଦକ୍ଷେପ ନିଆଯିବ ।’’ ସେ କହିଛନ୍ତି ଯେ ବର୍ଡ଼ ଫ୍ଲୁ ଆଶଙ୍କାକୁ ନେଇ ପ୍ରାଣୀ ବିଭାଗ ପ୍ରସ୍ତୁତ ରହିଛି ଓ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଉଛି । ଏହାକୁ ନେଇ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )