ବସ୍‌କୁ ଶୁଣ୍ଢରେ ଠେଲିନେଲା ଦନ୍ତାହାତୀ

0 10

ବାରିପଦା: ଚଳନ୍ତା ଯାତ୍ରୀବାହୀ ବସ୍‌କୁ ଶୁଣ୍ଢରେ ଠେଲି ଠେଲି ନେଇଗଲା ଦନ୍ତାହାତୀ। ଅଳ୍ପକେ ବର୍ତ୍ତିଗଲା ବସ୍‌ରେ ଥିବା ଯାତ୍ରୀଙ୍କ ଜୀବନ। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଘଟିଛି। ବସ୍‌କୁ ହାତୀ ଠେଲି ଠେଲି ନେଉଥିବା ବେଳେ ଯାତ୍ରୀଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଥିଲା।ଭୋରୁ ଭୋରୁ ‘ତାରିଣୀ’ ଯାତ୍ରୀବାହୀ ବସ୍‌ ବାଲେଶ୍ୱର ଓଳମରାରୁ ବାହାରିଥିଲା। ବସ୍‌ଟି ମୟୂରଭଞ୍ଜର ଜିଲ୍ଲାର ରାସଗୋବିନ୍ଦପୁର ଦେଇ ଗୋଲୁମରା ଅଭିମୁଖେ ଯାଉଥିଲା। ସକାଳ ପ୍ରାୟ ୭ରୁ ୮ଟା ବେଳେ ବସ୍‌ଟି ଯାତ୍ରୀଙ୍କୁ ଧରି ରାସଗୋବିନ୍ଦପୁର ଟିକପଦା ଗାଁ ଅତିକ୍ରମ କରୁଥିଲା। ଠିକ୍‌ ଏହି ସମୟରେ ବିଲ ମଝିରେ ଗୋଠକୁ ଜଗି ରହିଥିବା ଦନ୍ତା ହାତୀଟି ହଠାତ୍‌ ବସ୍‌ ପଛରେ ଧାଇଁଥିଲା। ହାତୀଟି ତା ଶୁଣ୍ଢରେ ବସ୍‌କୁ ପଛ ପାର୍ଶ୍ୱରୁ ବହୁ ବାଟ ପର୍ଯ୍ୟନ୍ତ ଠେଲି ଠେଲି ନେଇଯାଇଥିଲା। ଏପରିକି ବସ୍‌ର ଝରକା କାଚ ହାତୀ ଭାଙ୍ଗିଥିବା ଜଣାପଡ଼ିଛି।
ଦନ୍ତାହାତୀ ଠେଲୁଥିବା ବେଳେ ବସ୍‌ ଭିତରେ ବସିଥିବା ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ସେମାନଙ୍କ ବଞ୍ଚିବେ ବୋଲି କେବେ ଭାବି ନଥିଲେ। କିନ୍ତୁ ବସ୍‌ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ବସ୍‌କୁ ଠେଲୁଥିବା ବେଳେ ଦନ୍ତାହାତୀଟି ଚିତ୍କାର କରୁଥିଲା।
ସେପଟେ ବସ୍‌ ଚାଳକ କହିଛନ୍ତି-“ସକାଳେ ହାତୀଟି ବସ୍‌କୁ ଗୋଡ଼ାଇ ଥିଲା। କିନ୍ତୁ ମୁଁ ହାତୀକୁ ଦେଖି ଦ୍ରୁତ ଗତିରେ ପଳାଇ ଯାଇଥିଲି। ହାତୀ ଆମର କିଛି କ୍ଷତି କରିନାହିଁ। ଆମେ ସମସ୍ତେ ସୁରକ୍ଷିତ ଅଛୁ। ମୋ ଜୀବନରେ ପ୍ରଥମ ଥର ପାଇଁ ଗାଡ଼ି ଚଲାଉଥିବା ବେଳେ ହାତୀ ଗୋଡ଼ାଇଛି।”
ସୂଚନାରୁ ପ୍ରକାଶ, ଶୀତ ଋତୁ ଆସିଲେ ଝାରଖଣ୍ଡୀ ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାକୁ ପଳାଇ ଆସନ୍ତି। ପୂର୍ବରୁ ସେମାନେ ଗୋଠରେ ବୁଲନ୍ତି। ମାତ୍ର ଚଳିତବର୍ଷ ପାଖାପାଖି ହାତୀ ଅଲଗା ଅଲଗା ଗୋଠ ତିଆରି କରି ବୁଲୁଛନ୍ତି। ବର୍ତ୍ତମାନ ଧାନ ଅମଳ ସରିଥିବାରୁ ସେମାନେ ଗାଁ ଭିତରେ ପଶି ଯାଉଛନ୍ତି। ଆଉ ଗାଁରେ ବ୍ୟାପକ ଭଙ୍ଗାରୁଜା କରୁଛନ୍ତି। ଚଳିତବର୍ଷ ରାସଗୋବିନ୍ଦପୁର ରେଞ୍ଜକୁ ୯୦ରୁ ଅଧିକ ହାତୀ ଆସିଥିବା ଜଣାପଡ଼ିଛି।

ଇପିଏ ରୁ ବିରଂଚି ନାରାୟଣ ପତ୍ରୀ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.