ସୁବର୍ଣ୍ଣପୁର : ମହାତ୍ମା ଗାନ୍ଧୀ କହୁଥିଲେ ସମସ୍ତ ଶିଶୁ ପାଠ ପଢିଲେ କୂସଂସ୍କର ରୁପୀ ଅ ନ୍ଧକାର ଦେଶରୁ ଦୂର ହେବ । ତେବେ ସୋନପୁରରେ ବେଲୁନ ବିକ୍ରି କରୁଥିବା ଏକ କୁନି ଝିଅକୁ ଦେଖିଲେ ଲାଗୁଛି ଗାନ୍ଧୀ ବିଚାରର ଏହା ଓଲଟା ଚିତ୍ର ।
କୁନି ଝିଅ ଟିଏ ଜୋରରେ ବୋହୁଥିବା ପବନରେ ନିଜେ ସଳଖି ଛିଡା ହୋଇ ପାରୁନାହିଁ । ହେଲେ ତା ଉପରେ ପରିବାର ପାଇଁ ଆହାର ଯୋଗାଡର ପାହାଡ ଭଳି ବୋଝ । ବସ୍ତାନୀ ଧରି ସ୍କୁଲକୁ ଯିବା ବୟସରେ ସୋନପୁର ବସଷ୍ଟାଣ୍ଡରେ ବେଲୁନ୍ ବିକ୍ରି କରୁଥିବା ଶିଶୁକୁ ଦେଖିଲେ ଏହା ସଭ୍ୟ ସମାଜ ପାଇଁ ଉପହାସ ନୁହେଁ କି । ଏହି କୁନି ଶିଶୁ ତାର ନାଁ ଛଡା ଆଉ କିଛି କହିବାକୁ ସକ୍ଷମ ନୁହେଁ । ଏଭଳିକି ସେ ନିଜ ବୟସ ମଧ୍ୟ କହି ପାରୁନାହିଁ । କେବଳ ତାର ନାଁ କାଳି ଏବଂ ଘର ରାଜସ୍ଥାନ ବୋଲି କହୁଛି । ତେବେ କେଉଁଠ ରହୁଛ ବୋଲି ପଚାରିବାରୁ ଟ୍ରେନ ଷ୍ଟେସନ୍ ବୋଲି କହିଲା ଏହି କୁନି ଶିଶୁ । ତେବେ ସୋନପୁରରେ ରେଳ ଷ୍ଟେସନ୍ ନଥିବାରୁ, ବୋଧହୁଏ ନିଜ ଘର ମାନେ ଏମାନେ ରେଳ ଷ୍ଟେସନ୍କୁ ହିଁ ବୁଝନ୍ତି । ପରେ ଅନ୍ୟ ମାନଙ୍କୁ ପଚରାପଚରି କରିବାରୁ ଜଣା ପଡିଥିଲା ଯେ ଦୁଇ ଦିନ ତଳେ ସପରିବାର ସୋନପୁରକୁ ଆସି ବେଲୁନ୍ ବିକି ଗୁଜୁରାଣ ମେଣ୍ଟାଉଛନ୍ତି । କାଳି ସହିତ ଏମାନେ ତିନି ଭାଇ ଭଉଣୀ । ବାପା, ମା ଏବଂ ସମସ୍ତ ଭାଇ ଭଉଣୀ ବେଲୁନ୍ ବିକ୍ରି କରୁଛନ୍ତି । ଗୋଟିଏ ବେଲୁନ୍କୁ ୨୦ ଟଙ୍କା ହିସାବରେ ଯାହା ରୋଜଗାର ହେଲା ସେଥିରେ ତାଙ୍କର ଚୁଲି ଜଳୁଛି । ବସଷ୍ଟାଣ୍ଡ ନିକଟସ୍ଥ କୌଣସି ଦୋକାନ ପିଣ୍ଡାରେ କଟାଇ ଦେଉଛନ୍ତି ରାତି । କାଳିର ଅନମାନିକ ବୟସ ୧୦-୧୧ ବର୍ଷ ଭଳି ଲାଗୁଛି । ତେବେ ତାର କହିବାନୁସାରେ ସେ କେବେ ସ୍କୁଲ୍ ଯାଇନାହିଁ ।
୧୪ ବର୍ଷରୁ କମ୍ ବୟସର ଶିଶୁ ଏଭଳି ରାଜରାସ୍ତାରେ ବେଲୁନ୍ ବିକିବା ଆମ ସମାଜରେ ଶୋଭନୀୟ ନୁହେଁ ବୋଲି କହିଛନ୍ତି ସମାଜିକ କର୍ମୀ ଘାସିରାମ ପଣ୍ଡା । ଚାଇଲ୍ଡ ଲାଇନ୍ ମାଧ୍ୟମରେ ଏଭଳି ଶିଶୁ ମାନଙ୍କୁ ଚିହ୍ନଟ କରାଯାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏମାନଙ୍କ ଥଇଥାନ ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ । ବର୍ଷା, ଶୀତରେ ଏମାନଙ୍କୁ ଛାଡି ନଦେଇ ପ୍ରଶାସନ ତରଫରୁ ରାତ୍ରି ଆଶ୍ରୟସ୍ଥଳୀରେ ରଖାଯିବା ଆବଶ୍ୟକ ।
ଅନ୍ୟପକ୍ଷରେ ସୋନପୁରକୁ ଆସୁଥିବା ଯାଯାବର ମାନଙ୍କର ପୁଅ ଝିଅଙ୍କୁ ବିଭିନ୍ନ ସମୟରେ ସ୍କୁଲରେ ଭର୍ତ୍ତି କରାଯାଇଛି ତେବେ ସେମାନେ ସ୍କୁଲରେ ପାଠ ପଢିବା ପାଇଁ ଅନିଚ୍ଛୁକ ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚର୍ତୁଭୂଜ ଦାଶ । ତେବେ ଶିଶୁ ମାନଙ୍କ ବାପା-ମା ମଧ୍ୟ ଏମାନଙ୍କୁ ଏଭଳି ବ୍ୟବସାୟରେ ଲଗାଇବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ରାତ୍ରି ଆଶ୍ରୟସ୍ଥଳୀରେ ମଧ୍ୟ ଏହି ଯାଯାବର ମାନେ ରହିବା ପାଇଁ ମନା କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ତେବେ ସେ ଯାହା ବି ହେଉ ଏମାନଙ୍କ ପାଇଁ ଶିକ୍ଷା ଅଧିକାର ଆଇନର ମାନେ କଣ ବୋଲି ସାଧାରଣରେ ପ୍ରଶ୍ନ ହେଉଛି l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )