ବୀରନରସିଂହପୁରରେ ପଞ୍ଚମ ଗଡଜାତ ଲୋକ ମହୋତ୍ସବ ଉଦଘାଟିତ
ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନରସିଂହପୁରଠାରେ ପଞ୍ଚମ ଗଡଜାତ ମହୋତ୍ସବ ବିଶ୍ଵଜୀତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଅଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଡଜାତ ସାଂସ୍କୃତିକ ପରମ୍ପରାକୁ ବଜାଇ ରଖିଥିବାରୁ ଗଡଜାତ ସାଂସ୍କୃତିକ ପରିଷଦର କାର୍ଯ୍ୟକୁ ଭୂଯସୀ ପ୍ରଶଂସା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ଓ ବୀରନରସିଂହପୁର ଗ୍ରାମପଞ୍ଚାୟତର ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ନିର୍ଦେଶକ ଶ୍ରୀ ବନମାଳୀ ରଣା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବୌଦ୍ଧର ସଂସ୍କୃତି, ପରମ୍ପରା ପ୍ରାକୃତିକ ଶୋଭା ଓ ସବୁଜିମାର ଅବଦାନ ସମ୍ପର୍କରେ ଆଲୋଚନା କରିବା ସହ ବାଲ୍ୟ ବିବାହ ଉପରେ ହୋଇଥିବା କର୍ମଶାଳା ପ୍ରସଙ୍ଗରେ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷାକୁ ୧୭ ବର୍ଷ ପର୍ଯ୍ୟନ୍ତ କରାଗଲେ ବାଲ୍ୟ ବିବାହକୁ ରୋକାଯାଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । କୃତୀ କ୍ରୀଡାବିତ ଭାବେ ବୌଦ୍ଧ ଜିଲ୍ଲାର ଶ୍ରୀକାନ୍ତ ବହିଦାର ଓ ସମ୍ବଲପୁର ଜିଲ୍ଲା ସ୍ଥିତ ଧମାର ସଙ୍ଗିତା ହାତୀଙ୍କୁ କୃତୀ କଳାକାର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଆୟୋଜିତ ବାଲ୍ୟବିବାହ ନିଷିଦ୍ଧ ସଚେତନତା କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରୋଗ୍ରାମ ଅଫିସର ସୁଶାନ୍ତ କୁମାର ଭୋଇ, ପ୍ରଣୟନୀ ଲେଙ୍କା, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଭାଗନେଇଥିବା ବାଳିକା ମାନଙ୍କୁ ପାଠ ପଢିବା, ସାମର୍ଥ୍ୟ ନ ହେବା ପର୍ଯ୍ୟନ୍ତ ବାହା ନ ହେବାକୁ ପ୍ରେରଣା ଦେଇଥିଲେ । ଇତ୍ୟବସରରେ “ ଗଡଜାତ ଏଣ୍ଟରଟେଣ୍ଟମେଣ୍ଟ ”ର ପ୍ରଥମ ଅବଦାନ ସ୍ୱରୂପ “ ଶୀତୁଆ ରାତି ” ଓ “ ଅଧା ଲେଖା ପ୍ରେମ ଗଳପ ”, ଯାହାର ରଚୟିତା ବନମାଳୀ ରଣା, ସଙ୍ଗୀତ ନିର୍ଦ୍ଧେଶକ ବ୍ରହ୍ମା କୁମ୍ଭାର, ଗାୟୀକା ଇରା ମହାନ୍ତି ଓ ଟିସୋରୀ ପ୍ରଯୋୟକ ଦେବାଶିଷ ମହାକୁଡଙ୍କ ୟୁଟୁବ ଚାନେଲରେ ଶୁଭ ଉନ୍ମୋଚନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ବିଜୟ କୁମାର ସାହୁ ବଙ୍କାପଡା ୟୁପି ସ୍କୁଲ ସଂଯୋଜନା କରିଥିଲା ବେଳେ ନୀଳାଚଳ ବିହାରୀ ମିଶ୍ର CRCC, ହରେକୃଷ୍ଣପୁର, ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥି କଳାକାର ସଂଗୀତା ହାତୀ ଏକ ସଙ୍ଗୀତ ପରିବେଷଣ କରିଥିଲେ ।
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )