ମମିତା ମେହେର ହତ୍ୟା ମାମଲା : ଫାଷ୍ଟଟ୍ରାକ୍‌ କୋର୍ଟରେ ବିଚାର ହେବ

0 7

ମମିତା ମେହେରଙ୍କ ମୃତଦେହକୁ ଡିଏନ୍‌ଏ ପରୀକ୍ଷା ପାଇଁ ପଠାଯାଇଛି। ଏହିଭଳି ଏକ ସମ୍ବେଦନଶୀଳ ହତ୍ୟା ମାମଲାକୁ ଫାଷ୍ଟଟ୍ରାକ୍‌ କୋର୍ଟରେ ବିଚାର ପାଇଁ ଉଦ୍ୟମ କରାଯିବ। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ପୁଲିସ୍‌ ଆଗରେ ସବୁକିଛି ମାନିଛି। ଘଟଣା ସମ୍ପର୍କରେ ସୁବିସ୍ତୃତ ବିବରଣୀ ବି ଦେଇଛି। ଗୋବିନ୍ଦ କହିବାନୁସାରେ, କିଛି ପ୍ରମାଣ ଲାଗିଛି। ସେସବୁକୁ ପୁଲିସ ଫରେନ୍‌ସିକ୍‌ ଲାବ୍‌କୁ ପଠାଇ ଦିଆଯାଇଛି ବୋଲି ଉତ୍ତରାଞ୍ଚଳ ଡିଆଇଜି କହିଛନ୍ତି।ସୋମବାର ସନ୍ଧ୍ୟାରେ ଘଟଣା ସମ୍ପର୍କରେ ତଥା ହତ୍ୟା ମାମଲାକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଥିଲେ ଉତ୍ତରାଞ୍ଚଳ ଡିଆଇଜି ଡା.ଦୀପକ କୁମାର। ସେ କହିଥିଲେ, ମମିତା ମେହେର ହତ୍ୟା ମାମଲାରେ କେବଳ ଦୁଇଜଣ ହିଁ ଅଭିଯୁକ୍ତ। ଯେଉଁ ଦୁଇଜଣଙ୍କୁ କୋର୍ଟଚାଲାଣ କରାସରିଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ରିମାଣ୍ଡ ସରିଥିବାବେ‌ଳେ ଦରକାର ପଡ଼ିଲେ ତା’ର ସହଯୋଗୀ ରାଧେଶ୍ୟାମ ଚଣ୍ଡି ଓରଫ ରାଧେକୁ ରିମାଣ୍ଡରେ ଅଣାଯିବ। ରିମାଣ୍ଡରେ ଥିବାବେଳେ ମୁଖ୍ୟଅଭିଯୁକ୍ତ ଗୋବିନ୍ଦ ପୁଲିସ ଆଗରେ ସବୁ କିଛି ସ୍ୱୀକାର କରିଥିବା ଡିଆଇଜି କହିଥିଲେ।
ଆହୁରି ମଧ୍ୟ କହିଥିଲେ ଯେ ଏହାସହ ମାମଲାର ଟ୍ରାଏଲ୍‌ ପାଇଁ ଫାଷ୍ଟ୍‌ଟ୍ରାକ୍‌ କୋର୍ଟରେ ବିଚାର କେମିତି ହେବ, ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଜୁଡିସିଆରି ସ୍ୱୀକାରୋକ୍ତି କଥା ଯାହା ଉଠୁଛି, ଅଭିଯୁକ୍ତ ପୁଲିସ ହେପାଜତରେ ଥିଲେ ହୋଇପାରିବ ନାହିଁ । ମୋବାଇଲକୁ ନେଇ ବଢ଼ିଥିବା ସସପେନ୍ସ ଉପରୁ ପର୍ଦ୍ଦା ଉଠାଇ ଡିଆଇଜି କହିଥିଲେ, ମମିତାଙ୍କ ମୋବାଇଲକୁ ଗୋବିନ୍ଦ ମିନିଷ୍ଟାଡିୟମରେ ଶବ ଜାଳିବା ସମୟରେ ପୋଡ଼ିଦେଇଛି। ଯାହାର ଡେମେଜ ମେଟାଲ ଓ ପ୍ଲାଷ୍ଟିକ ପାଇଛୁ। ତାକୁ ଫରେନସିକ ଲାବ୍‌କୁ ପଠାଯାଇଛି। ସେହିପରି ବ୍ୟାଗ୍‌କୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ବି ରଖିଥିଲେ। ମାମଲାରେ ଦୁଇଟି ବ୍ୟାଗ୍‌ ଆମ ହାତରେ ଲାଗିଛି। ଗୋଟିଏ ବ୍ୟାଗ୍‌ ଯାହାକି ମହାଲିଙ୍ଗ ମିନିଷ୍ଟାଡିମ କ୍ରାଇମ ସ୍ପଟରୁ ଜଳାପୋଡ଼ା ଅବସ୍ଥାରେ ମିଳିଥିଲା। ଅନ୍ୟଟି ଅଭିଯୁକ୍ତ ରାଧେର ସ୍ତ୍ରୀ ପୁଲିସକୁ ଦେଇଛି। ରାଧେର ସ୍ତ୍ରୀ ଦେଇଥିବା ବ୍ୟାଗ୍‌ରେ ଥିବା ମୋବାଇଲରୁ ସେମିତି କିଛି ପୁଲିସ ହାତରେ ଲାଗିନି। ଯେହେତୁ ତାକୁ ଏହି ମାମଲାରେ ଜବତ କରାଯାଇଛି, ତାକୁ ବି ଫରେନ୍‌ସିକ ଟେଷ୍ଟ ପାଇଁ ପଠାଯାଇଛି ବୋଲି କହିଥିଲେ।

ପ୍ରମାଣ ପୁଲିସ ହାତରେ କ’ଣ ସବୁ ପ୍ରମାଣ ଲାଗିଛି, ସେ ନେଇ ପଚାରିବାରୁ ଡିଆଇଜି କହିଥିଲେ, ସବୁକିଛି ପ୍ରମାଣ ଟ୍ରାଏଲ୍‌ ସମୟରେ ପୁଲିସ ଉପସ୍ଥାପନ କରାଯିବ। ଆରୁଷି ହତ୍ୟା ମାମଲାପରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରମାଣ ଟ୍ରାଏଲ୍‌ ସମୟରେ ହିଁ ଦେଖାଯିବ ବୋଲି କହିଥିଲେ। ସିଆର୍‌ପିସି ଅନୁସାରେ ତଦନ୍ତ ଚାଲିଥିବା ସେ କହିଥିଲେ। ଗୋବିନ୍ଦ ପୁଲିସ ବାରାକରୁ ଫେରାର ହେବାପରେ, ସେହି ସଂକ୍ରାନ୍ତରେ ବି ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।

ଆହୁରି ମଧ୍ୟ କହିଥିଲେ, ପରିବାରବର୍ଗଙ୍କ ଅନୁରୋଧକ୍ରମେ ଆମେ ତାଙ୍କୁ ଅସ୍ଥି ପ୍ରଦାନ କରିଛୁ। ଘଟଣାସ୍ଥଳରୁ ଜବତ ହୋଇଥିବା ପାଉଁଜି ଓ ଚେନ୍‌ ତାଙ୍କ ଜିମାରେ ଦେଇଛୁ। ପୁଲିସ ତଦନ୍ତରେ ପୀଡ଼ିତାଙ୍କ ପରିବାର ବିଶ୍ୱାସ ରଖିଛନ୍ତି ବୋଲି ଡିଆଇଜି କହିଥିଲେ।

ଅନ୍ୟପକ୍ଷରେ, ଆଜି ଭୋର୍‌ରୁ ପୁଲିସ ମୁଖ୍ୟଅଭିଯୁକ୍ତ ଗୋବିନ୍ଦକୁ ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇଥିଲା। ସେଠାରୁ ଗୋବିନ୍ଦକୁ କଣ୍ଟାବାଞ୍ଜି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୂର୍ବରୁ ସେହି ଜେଲରେ ତା’ର ସହଯୋଗୀ ରାଧେ ମଧ୍ୟ ରହିଛି। ଏବେ ମମିତା ମେହେର ହତ୍ୟା ମାମଲାର ଉଭୟ ଅଭିଯୁକ୍ତ ଗୋବିନ୍ଦ ଓ ରାଧେ କଣ୍ଟାବାଞ୍ଜି ଜେଲ୍‌ରେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.