ଯୌତକ ବଦଳରେ ଗାର୍ଲ୍ସ ହଷ୍ଟେଲ ମାଗିଲା ଝିଅ
ଜୟପୁର: ଝିଅମାନଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ରାଜସ୍ଥାନର ଜଣେ କନ୍ୟା ନିଜର ମହାନତା ଦେଖାଇଛନ୍ତି। କନ୍ୟା ଜଣଙ୍କ ନିଜ ବାହାଘରର ଯୌତକ ପାଇଁ ବାପା ରଖିଥିବା ଟଙ୍କାକୁ ବାଳିକା ହଷ୍ଟେଲ ନିର୍ମାଣରେ ଖର୍ଚ୍ଚ କରିବାକୁ କହିଛନ୍ତି। ବାପା ମଧ୍ୟ ଝିଅର କଥାରେ ୭୫ ଲକ୍ଷ ଟଙ୍କା ବାଳିକା ହଷ୍ଟେଲ ପାଇଁ ଦାନ କରି ନିଜର କନ୍ୟାଦାନ କରିଛନ୍ତି। ଏହି ଘଟଣା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ନଭେମ୍ବର ୨୧ରେ କିଶୋର ସିଂହ କାଣ୍ଡୋଙ୍କ ଝିଅ ଅଞ୍ଜଳୀ କନୱର ରାଜସ୍ଥାନର ବାରମେରରେ ପ୍ରବୀଣ ସିଂହଙ୍କୁ ବିବାହ କରିଛନ୍ତି। ତେବେ ବାହାଘର ପୂର୍ବରୁ ଅଞ୍ଜଳୀ ତାଙ୍କ ବାପାଙ୍କୁ ଭେଟିଥିଲେ। ଏହି ସମୟରେ ସେ ତାଙ୍କ ବାପାଙ୍କୁ ବାହାଘରର ଯୌତୁକ ପାଇଁ ରଖାଯାଇଥିବା ଟଙ୍କାକୁ ଗାର୍ଲ୍ସ ହଷ୍ଟେଲ ନିର୍ମାଣରେ ଖର୍ଚ୍ଚ କରିବାକୁ ଅନୁରୋଧ କରିଥିଲେ। ଏହା ଶୁଣି ପରିବାର ଲୋକ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଶେଷରେ ଝିଅର ଇଚ୍ଛାକୁ ସମ୍ମାନ ଜଣାଇ କିଶୋର ସିଂହ ମଧ୍ୟ ହଷ୍ଟେଲ ତିଆରି କାମ ପାଇଁ ୭୫ ଲକ୍ଷ ଟଙ୍କା ଦାନ କରିଛନ୍ତି। କିଶୋର ଓ ଅଞ୍ଜଳୀଙ୍କ ଏପରି ପ୍ରୟାସକୁ ସୋଶାଲ ମିଡିଆରେ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅଞ୍ଜଳୀ ବାହାଘରର ନୀତିକାନ୍ତି ଶେଷ ହେବା ପରେ ମହନ୍ତ ପ୍ରତାପ ପୁରୀଙ୍କୁ ଭେଟିଥିଲେ। ଏଥିସହ ନିଜର ଇଚ୍ଛା ସମ୍ପର୍କରେ ତାଙ୍କୁ ଚିଠି ଦ୍ୱାରା ଅବଗତ କରାଇଥିଲେ। ସେ ଏହି ଚିଠିକୁ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କ ଆଗରେ ।
ଏହାଶୁଣି ସମସ୍ତେ ଅଞ୍ଜଳୀଙ୍କ ଏହି ମହାନତାକୁ ତାଳି ମାରି ସ୍ୱାଗତ କରିଥିଲେ। ଏହାପରେ କିଶୋର ସିଂହ ଝିଅକୁ ଗୋଟିଏ ବ୍ଲାଙ୍କ ଚେକ୍ ଦେଇ ନିଜ ଇଚ୍ଛାରେ ଏଥିରେ ଟଙ୍କାର ପରିମାଣ ଲେଖିବାକୁ କହିଥିଲେ। ବର୍ତ୍ତମାନ ତାରା ମଠର ମୁଖ୍ୟ ଥିବା ମହନ୍ତ ପ୍ରତାପ ପୁରୀ ଏପରି ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି। କନ୍ୟାଦାନ ବେଳେ ଝିଅମାନଙ୍କ ଶିକ୍ଷା ପାଇଁ ଏପରି ପଦକ୍ଷେପ ନେବା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ ବୋଲି ସେ କହିଛନ୍ତି।
କିଶୋର ସିଂହ ଜାତୀୟ ରାଜପଥ ୬୮ରେ ନିର୍ମାଣ ହେଉଥିବା ହଷ୍ଟେଲ ପାଇଁ ପୂର୍ବରୁ ୧ କୋଟି ଟଙ୍କା ଦେଇ ସାରିଥିଲେ। ତେବେ ହଷ୍ଟେଲ ନିର୍ମାଣ ଶେଷ ହେବାକୁ ଆହୁରି ୫୦ରୁ ୭୫ ଲକ୍ଷ ଟଙ୍କା ଦରକାର ପଡ଼ୁଥିଲେ। ଏବେ ଅଞ୍ଜଳୀଙ୍କ ପାଇଁ ଏହି ଟଙ୍କା ଯୋଗାଡ଼ ହୋଇପାରିଛି। ଅଞ୍ଜଳୀଙ୍କ ଏହି ନିଷ୍ପତ୍ତିକୁ ତାଙ୍କ ଶ୍ୱଶୁର ଘର ଲୋକମାନେ ମଧ୍ୟ ସ୍ୱାଗତ କରିଛନ୍ତି।
ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )