ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ସୁସ୍ମିତା ଦେବ

0 16

ନୂଆଦିଲ୍ଲୀ : କଂଗ୍ରେସ ଛାଡ଼ି ଟିଏମସିକୁ ଆସିଥିବା ସୁସ୍ମିତା ଦେବ ଆଜି ନିର୍ନ୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେ କଂଗ୍ରେସ ଛାଡ଼ିବା ପରେ ତାଙ୍କୁ ଟିଏମସି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଥିଲା। ସୁସ୍ମିତାଙ୍କୁ ଟିଏମସି ମନୋନୀତ କରିଥିବାରୁ ତାଙ୍କ ବିରୋଧରେ ଅନ୍ୟ କୌଣସି ରାଜନୀତିକ ଦଳ ପ୍ରାର୍ଥୀ ଦେଇ ନଥିଲେ। ଫଳରେ ତାଙ୍କୁ ଆଜି ବିଜେତା ଘୋଷଣା କରାଯାଇଛି।
କଂଗ୍ରେସରେ ସୁସ୍ମିତା ମହିଳା ମୋର୍ଚ୍ଚାର ମୁଖ୍ୟ ଭାବେ କାମ କରୁଥିଲେ। କିନ୍ତୁ ଚଳିତ ବର୍ଷ ଅଗଷ୍ଟରେ ସେ ଦଳକୁ ବାଏବାଏ କହି ଟିଏମସିରେ ମିଶିଥିଲେ। ମିଶିବାର ମାସକ ମଧ୍ୟରେ ଟିଏମସି ତାଙ୍କୁ ରାଜ୍ୟସଭାକୁ ପଠାଇବ ବୋଲି ଘୋଷଣା କରିଥିଲା। ଆସାମ ଅନ୍ତର୍ଗତ ସିଲଚରର ପୂର୍ବତନ ସାଂସଦ ହେଉଛନ୍ତି ସୁସ୍ମିତା ଦେବ।
ପଶ୍ଚିମବଙ୍ଗ ବ୍ୟତୀତ ଟିଏମସି ଏବେ ତ୍ରିପୁରା ଉପରେ ମଧ୍ୟ ଆଖି ପକାଇଛି। ସେଠାରେ ଦଳ ସୁସ୍ମିତା ଦେବଙ୍କୁ ଦାୟିତ୍ୱ ଦେଇଛି। ସୁସ୍ମିତାଙ୍କ ଜରିଆରେ ଟିଏମସି ତ୍ରିପୁରାକୁ ଦଖଲ କରିବାକୁ ଲକ୍ଷ୍ୟ ରଖିଛି। ଏବେ ସୁସ୍ମିତା ମଧ୍ୟ ଅଗରତାଲାରେ ଟିଏମସି ପାଇଁ ପ୍ରଚାର କରୁଛନ୍ତି। ଆସନ୍ତାବର୍ଷ ଏଠାରେ ବିଧାନସଭା ନିର୍ବାଚନ ହେବ। ତେଣୁ ,ଏହାପୂର୍ବରୁ ହିଁ ଟିଏମସି ସେଠାରେ ନିଜର ରଣନୀତି ପ୍ରସ୍ତୁତ କରୁଛି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ମୋହନ ଦେବ ଓ ପୂର୍ବତନ ବିଧାୟକ ବିତିକା ଦେବଙ୍କ ଝିଅ ହେଉଛନ୍ତି ସୁସ୍ମିତା ଦେବ। ଚଳିତ ବର୍ଷ ଅନୁଷ୍ଠିତ ଆସାମ ବିଧାନସଭା ନିର୍ବାଚନ ବେଳେ ସେ ସିଲଚାରରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ତାଙ୍କୁ ବିଜେପିର ରାଜଦୀପ ରୟଙ୍କ ଠାରୁ ପରାସ୍ତ ହେବାକୁ ପଡ଼ିଥିଲା।
ଟିଏମସିରୁ ମାନସ ରଞ୍ଜନ ଭୂୟାଁ ରାଜ୍ୟସଭାକୁ ଯାଇଥିଲେ। ତେବେ ସେ ଇସ୍ତଫା ଦେଇଥିବାରୁ ଏହି ପଦ ଖାଲି ପଡ଼ିଛି। ଏବେ ତାଙ୍କ ସ୍ଥାନରେ ସୁସ୍ମିତା ଦେବ ରାଜ୍ୟସଭାକୁ ଯିବେ। ଏଥିପାଇଁ ଅକ୍ଟୋବର ୪ରେ ନିର୍ବାଚନ ହେବାର ଥିଲା। କିନ୍ତୁ ଏହାପୂର୍ବରୁ ହିଁ ସେ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.