ଲୋକଲୋଚକୁ ଆସିଲା ଆରୁହା ପାହାଡ଼ କଳାପଥର କେଳେଙ୍କାରୀ

0 10

ଯାଜପୁର : ରାଜ୍ୟ ସରକାର ତିନି ଏକର ଅଞ୍ଚଳ ପାଞ୍ଚ ବର୍ଷ ପାଇଁ ଲିଜ୍ ଦେଇଥିଲେ। ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ଧରି ୬.୮୦ଏକର ସ୍କେଚ ଜାରି କରାଗଲା ଓ ସମସ୍ତେ ଆଖିବୁଜା ଅନୁମତି ଦେଲେ। ତଦନ୍ତ ବେଳେ ସାମ୍ନାକୁ ଆସିଛି ଯେ ଆଉ ତିନି ଏକର ଅଞ୍ଚଳକୁ ଲିଜ୍ ଧାରି ଜବରଦଖଲରେ ରଖି ଖାଦାନ ଚଳାଇଥିଲେ। ସରଳ ଭାବେ କହିଲେ, ସରକାର ୩ ଏକର ଜମି ଦେଲେ, ହେଲେ ଲିଜ୍ ଧାରୀ ପ୍ରଶାସନକୁ ଆୟୁଧ କରି ୧୦ ଏକର ଜମିରେ ଖାଦାନ ଚଳାଇଥିଲେ।ଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ କଳାପଥର କେଳେଙ୍କାରୀ ମାମଲାରେ ଲୋକାୟୁକ୍ତଙ୍କ ନିର୍ଦେଶରେ ହୋଇଥିବା ତଦନ୍ତ ରିପୋର୍ଟରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଘଟଣାକୁ ଗମ୍ଭୀରତାର ସହିତ ନେଇ ଲୋକାୟୁକ୍ତଙ୍କ ୩ଜଣିଆ ଖଣ୍ଡପୀଠ ଏହି ମାମଲାରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ଜିଲ୍ଲାପାଳ, ୪ଜଣ ତହସିଲଦାର, ଜିଓଲୋଜିକାଲ ସର୍ଭେ ଢେଙ୍କାନାଳ ଜୋନର ଯୁଗ୍ମ ନିର୍ଦ୍ଦେଶକ ଓ ୩ଜଣ ଆର୍‌ଆଇ (ରାଜସ୍ବ ନିରୀକ୍ଷକ)ଙ୍କୁ ନୋଟିସ୍ କରିଛନ୍ତି। ଆସନ୍ତା ୬ସପ୍ତାହ ମଧ୍ୟରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ବିଭିନ୍ନ ମହଲ‌ରେ ଆଲୋଡ଼ନ ଖେଳିଯାଇଛି। କେବଳ ସେତିକି ନୁହେଁ, ଭାତ ହାଣ୍ଡିରୁ ଗୋଟିଏ ଚିପିବା ନ୍ୟାୟରେ ଏହି ଘଟଣା ବୟାନ କରୁଛି ରାଜ୍ୟରେ ପଥର ଖାଦାନ ପଛରେ କେତେ ବଡ଼ କେଳଙ୍କାରୀ ଚାଲିଛି।ଆରୁହା ପାହାଡ଼ରେ ବ୍ୟାପକ କଳାପଥର ଲୁଟ୍‌ କାରବାର ନେଇ ଲଗାତର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇ ଆସୁଥିଲା। ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା ଲୋକାୟୁକ୍ତରେ ଏ ନେଇ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ପୂର୍ବତନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଓ ଧର୍ମଶାଳାର ଏକାଧିକ ତହସିଲଦାରଙ୍କୁ ସେ ପକ୍ଷଭୁକ୍ତ ରଖିଥିଲେ। ଲୋକାୟୁକ୍ତ ଏହି ମାମଲାକୁ ବିଚାରକୁ ନେଇ ଗତ ମାର୍ଚ୍ଚ ୧୭ରେ ଡା‌ରେକ୍ଟର ଅଫ୍‌ ଇନ୍‌କ୍ବାରି ଦ୍ବାରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଡାଇରେକ୍ଟର ଅଫ ଇନକ୍ବାରି ପ୍ରତିନିଧି ଦଳ ବାରମ୍ବାର ଧର୍ମଶାଳା ତହସିଲ କାର୍ଯ୍ୟାଳୟ ଓ ଆରୁହା ପାହାଡ଼ ଅଞ୍ଚଳ ଗସ୍ତ କରି ମାପଚୁପ କରିବା ପରେ ଗତ ୯ତାରିଖରେ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ।ତଦନ୍ତ ରିପୋର୍ଟକୁ ସମୀକ୍ଷା କରି ଗତ ୨୬ତାରିଖରେ ୩ଜଣିଆ ଖଣ୍ଡପୀଠ ଲୋକାୟୁକ୍ତର ଅଧ୍ୟକ୍ଷ ଅଜିତ ସିଂହ, ସଭ୍ୟ ତଥା ପୂର୍ବତନ ପିସିସିଏଫ ଦେବବ୍ରତ୍ତ ସ୍ବାଇଁ ଓ ଅନ୍ୟତମ ସଦସ୍ୟ ପୂର୍ବତନ ପୁଲିସ ଡିଜି ରାଜେନ୍ଦ୍ର କୁମାର ଶର୍ମା ରାୟ ପ୍ରଦାନ କରିଛନ୍ତି।ତଦନ୍ତ ବେଳେ ଜଣାପଡ଼ିଛି ଯେ ଆରୁହା ପାହାଡ଼ର ୩ ଏକର ଅଞ୍ଚଳକୁ ୨୦୧୭ ଡିସେମ୍ବର ୪ ତ‌ାରିଖରୁ ତ୍ରିନାଥ ଜେନାଙ୍କୁ ୫ବର୍ଷ ପାଇଁ ଲିଜ୍‌ ଦିଆଯାଇଛି। ମାତ୍ର ତତ୍କାଳୀନ ଆରୁହା ଆରଆଇ ବାସୁଦେବ ସାହୁ ୩ ଏକର ବଦଳରେ ୬.୮୦ଏକର ସ୍କେଚ ମ୍ୟାପ କରିଥିବା ବେଳେ ତତ୍କାଳୀନ ତହସିଲଦାର ପ୍ରଭାସ ବେହୁରା ଏହାକୁ ସ୍ବୀକୃତି ଦେଇ ପ୍ରମାଣପତ୍ର ଦେଇଛନ୍ତି। କେବଳ ସେତିକି ନୁହେଁ, ଜିଓଲୋଜିଷ୍ଟ ଗୌତମ ସାହୁ ମାଇନିଂ ପ୍ଲାନ ଦେଇଛନ୍ତି। ଜିଓଲୋଜିକାଲ ସର୍ଭେ ଢେଙ୍କାନାଳ ଜୋନର ଯୁଗ୍ମ ନିର୍ଦ୍ଦେଶକ ଅମିୟ କୁମାର ରାଉତ ମାଇନିଂ ପ୍ଲାନକୁ ଅନୁମୋଦନ କରିଛନ୍ତି। ଫଳରେ ୩ ଏକର ବଦଳରେ ୬.୮୦ଏକର ଜମିର ମାଇନିଂ ପ୍ଲାନ ପାଇଁ ଡିମାର୍କେସନ୍‌ ମଧ୍ୟ ତହସିଲ ଦ୍ବାରା କରାଯାଇଛି।
ତଦନ୍ତକାରୀ ଦଳ ଅଧିକ ଅନୁସନ୍ଧାନରୁ ଜାଣିପାରିଛନ୍ତି ଯେ ୬.୮୦ ଏକର ଅଞ୍ଚଳ ଚିହ୍ନଟ ପରେ ମଧ୍ୟ ୩.୯୪ଏକର ଜବରଦଖଲ କରାଯାଇ ବେଆଇନ ପଥର ଖନନ ଚାଲିଥିଲା। ଅର୍ଥାତ୍ ଲିଜ୍‌ ୩ ଏକର ହୋଇଥିବା ବେଳେ ଅଧିକ ୭ ଏକର ଏପରି ମୋଟ ୧୦ ଏକରରେ ଖାଦାନ ଚାଲିଥିଲା। ପୂର୍ବତନ ତହସିଲଦାର ପ୍ରଭାସ ବେହୁରିଆ ଏହି ବେଆଇନ୍ ଖାଦାନ କାରବାର ଆରମ୍ଭ କରିଥିବା ‌ବେଳେ ପରବର୍ତ୍ତୀ ସମୟରେ ତହସିଲଦାର ଦାୟିତ୍ବ ଥିବା ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ, ପୂର୍ବତନ ତହସିଲଦାର ସରୋଜ ପଣ୍ଡା, ପୂର୍ବତନ ତହସିଲଦାର ପ୍ରଶାନ୍ତ କୁମାର ସାମନ୍ତରାୟ ପ୍ରମୁଖ ଏହାକୁ ସ୍ବୀକୃତି ଦେଇଥିଲେ। ଏହି ଅଧିକାରୀମାନଙ୍କ ବ୍ୟତୀତ ଆରୁହା ସର୍କଲର ପୂର୍ବତନ ଆରଆଇ ବାସୁଦେବ ସାହୁ, ମନୋଜ କୁମାର ମହାପାତ୍ର ଓ କ୍ଷୀରାବ୍ଦୀ ତନୟା ପଣ୍ଡା ଏହି ସମୟରେ ଦାୟିତ୍ବରେ ଥିଲେ। ଜମି ଲିଜ୍‌ରେ ହେରା‌ଫେରି ବ୍ୟତୀତ ପରିବେଶ ଆଇନକୁ ମଧ୍ୟ ଉଲ୍ଲଂଘନ କରାଯାଇଛି।
ଏନ୍‌ଜିଟି ନିର୍ଦ୍ଦେଶ ମୁତାବକ ଜନବସତି ଠାରୁ ୧୦୦ମିଟର ଦୂରେ ପଥର ଖାଦାନ ରହିବା ଆବଶ୍ୟକ। ମାତ୍ର ୪୦ମିଟର ଦୂରରେ ଏହି ଖାଦାନ ରହିଛି। ୨ଶହ ମିଟର ଦୂରରେ ବିସ୍ଫୋରଣ କରିବା ନିୟମ ରହିଥିବା ବେଳେ ଏଠାରେ ଏହାକୁ ଖୋଲା ଉଲ୍ଲଂଘନ କରାଯାଇଛି। ଏପରିକି ଖାଦାନରେ ବିସ୍ଫୋରଣ ହେଉଛି। ଏହାକୁ ଜିଲ୍ଲା ପରିବେଶ ପ୍ରଭାବ ଆକଳନ ସଂସ୍ଥା(ଡିଆ) ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କିପରି ଅନୁମତି ଦେଇଛନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ଏହି ମାମଲାରେ ଜିଲ୍ଲାପାଳ ଓ ଧର୍ମଶାଳା ତହସିଲ ଦେଇଥିବା ତଥ୍ୟକୁ ମଧ୍ୟ ବିଚାରକମାନେ ସମୀକ୍ଷା କରିଛନ୍ତି। ଆରୁହା ପାହାଡ଼ ବେଆଇନ ଖାଦାନ ମାମଲାରେ ୪ଜଣ ତହସିଲଦାର, ଜିଲ୍ଲାପାଳ, ୩ଜଣ ଆରଆଇ, ଜିଓଲୋଜିକାଲ ଯୁଗ୍ମ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତ ନୋଟିସ କରିଛନ୍ତି। ୬ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ସମୟ ଧାର୍ଯ୍ୟ କରିଛନ୍ତି। ଏଥି ସହିତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଦନ୍ତ ରିପୋର୍ଟ ଉପରେ ମତାମତ ରଖିବା ପାଇଁ ଲୋକାୟୁକ୍ତ କହିଛନ୍ତି।

ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.