ହେରିଟେଜ ରାଇଡରେ ଆମେରିକୀୟ ବାଣିଜ୍ୟିକ ଦୂତାବାସର ପ୍ରତିନିଧି ମଣ୍ତଳୀ ସାମିଲ
ପୁରୀ- ହେରିଟେଜ ରାଇଡରେ ହାଇଦ୍ରାବାଦସ୍ଥିତ ଆମେରିକୀୟ ବାଣିଜ୍ୟିକ ଦୂତାବାସର ପ୍ରତିନିଧି ମଣ୍ତଳୀ ସାମିଲ ହୋଇଛନ୍ତି । ବାଣିଜ୍ୟିକ ରାଷ୍ଟ୍ରଦୂତ (କନସଲ ଜେନେରାଲ) ଜୋଏଲ ରିଫମ୍ୟାନଙ୍କ ନେତୃତ୍ବରେ ଆସିଥିବା ପ୍ରତିନିଧି ମଣ୍ତଳୀ ଗଲ୍ଫକାର୍ଟ ମାଧ୍ୟମରେ ହେରିଟେଜ ରାଇଡରେ ସାମିଲ ହୋଇ ବିଭିନ୍ନ ଐତିହ୍ୟସ୍ଥଳୀ ବୁଲି ଦେଖିବା ସହ ଖୁସିବ୍ୟକ୍ତ କରିଥିଲେ । ସେମାନେ ପ୍ରଥମେ ତୋଟା ଗୋପିନାଥ, ଜମ୍ବେଶ୍ବର ମନ୍ଦିର, ହରଚଣ୍ତି ସାହିସ୍ଥିତ ଭାରତ ଯୋଗ କେନ୍ଦ୍ର ବୁଲି ଦେଖିଥିଲେ । ସେଠାରେ ଶ୍ରୀ ରମାବଲ୍ଲଭ ମହାପାତ୍ର ଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ଜଗନ୍ନାଥ ମନ୍ଦିର ବେଢା ପରିକ୍ରମା, ଶ୍ବେତଗଙ୍ଗା ପୁଷ୍କରିଣୀ ବୁଲି ଦେଖିବା ସହ ଜିୟରସ୍ବାମୀ ମଠରେ ବେଦପାଠ ଶୁଣିଥିଲେ । ମଣିକର୍ଣ୍ଣିକା ସାହି ଓ ହରଚଣ୍ତି ସାହି ମଧ୍ୟଦେଇ ଯିବା ବେଳେ ପ୍ରାଚୀନ ପରମ୍ପରା ଓ ପୁରାତନ ନିର୍ମାଣ ଶୈଳୀ ଦେଖି ସେମାନେ ଖୁସିବ୍ୟକ୍ତ କରିଥିଲେ ।
ସେମାନଙ୍କୁ ଶ୍ରୀ ହରେକୃଷ୍ଣ ଖୁଣ୍ଟିଆ ଫୁଲତୋଡା ଓ ଉପଢୌକନ ଦେଇ ସ୍ବାଗତ କରିଥିବା ବେଳେ ଶ୍ରୀ ଚନ୍ଦନ ଖୁଣ୍ଟିଆ ପ୍ରାୟ ୧୫୦ ତଳର ଯାତ୍ରୀ ଖାତା ଦେଖାଇ ତୀର୍ଥଯାତ୍ରା ସମ୍ବନ୍ଧରେ ଅବଗତ କରାଇଥିଲେ । ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜକାନ୍ତ ପ୍ରଧାନ, ଇକୋ ଟ୍ୟୁରିଜିମ ଫାଉଣ୍ଡେସନ ପ୍ରତିଷ୍ଠାତା ଶ୍ରୀ ଯୁଗବ୍ରତ କର, ଶ୍ରୀ ନଟବର ସାହୁ, ବେୟାରଫୁଟର ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀ ଜିଲ୍ଲା ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )