୧୨ରେ ନାସ୍‌ ପରୀକ୍ଷl,୩ୟ, ୫ମ, ୮ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ଭାଗ ନେବେ

0 13

ସୁବର୍ଣ୍ଣପୁର : ସ୍କୁଲ ସ୍ତରରେ ଶିକ୍ଷାର୍ଥୀଙ୍କ ଶିକ୍ଷଣ ସ୍ତରକୁ ମପାଯିବ । ସେମାନେ ନିଜ ଶ୍ରେଣୀ ହିସାବରେ କେତେ ପାଠ ଜାଣିଛନ୍ତି ତାହାର ସର୍ବେକ୍ଷଣ କରାଯିବ । ଏଥିପାଇଁ ଆସନ୍ତା ୧୨ ତାରିଖରେ ସମଗ୍ର ଦେଶରେ ଜାତୀୟ ଉପଲବ୍ଧି ସର୍ବେକ୍ଷଣ (ନାସ୍‌)ପରୀକ୍ଷା କରାଯିବ । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗରେ ଏହି ସର୍ବେକ୍ଷଣ ସ୍କୁଲରେ ହେବ । ଓଡ଼ିଶାର ୫୫୬୩ ସ୍କୁଲ ଏଥିରେ ସାମିଲ ହୋଇଛନ୍ତି । ସ୍କୁଲ ଶିକ୍ଷାରେ ତୃତୀୟ, ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀରେ ପିଲାମାନେ କେତେ ପରିମାଣର ବିଷୟଗତ ଜ୍ଞାନ ଆହରଣ କରୁଛନ୍ତି ତାହାର ସର୍ବେକ୍ଷଣ ମାଧ୍ୟମରେ ଆକଳନ କରାଯିବ । ଏହି କାର୍ଯ୍ୟ କରିବାକୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ସଂସ୍ଥାନ (ଡିଆଇଇଟି), ପ୍ରାଥମିକ ଶିକ୍ଷକ ଶିକ୍ଷା ସଂସ୍ଥାନ (ଇଟିଇଆଇ)ର ଛାତ୍ରଛାତ୍ରୀ ଓ ସିଆର୍‌ସିସିଙ୍କୁ କ୍ଷେତ୍ର ଅନୁଧ୍ୟାନକାରୀ ଭାବେ ନିୟୋଜିତ କରାଯାଇଛି । ଏମାନେ ୧୨ ତାରିଖ ଚୟନ ହୋଇଥିବା ସ୍କୁଲକୁ ଯାଇ ଶିକ୍ଷାର୍ଥୀଙ୍କ ଭାଷା, ଗଣିତ, ପରିବେଶ ଅଧ୍ୟୟନ, ସାମାଜିକ ପାଠ, ବିଜ୍ଞାନର ଦକ୍ଷତାକୁ ମୂଲ୍ୟାୟନ କରିବେ । ପ୍ରାୟ ୮୯୩୭ ଜଣ କ୍ଷେତ୍ର ଅନୁଧ୍ୟାନକାରୀ ଏହି କାର୍ଯ୍ୟ କରିବାକୁ ତାଲିମ ନେଇଛନ୍ତି ।

ସର୍ବେକ୍ଷଣ କାର୍ଯ୍ୟର ସୁପରିଚାଳନା ପାଇଁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଏସ୍‌ସିଇଆର୍‌ଟିର ନିର୍ଦ୍ଦେଶକଙ୍କୁ ରାଜ୍ୟ ନୋଡାଲ୍‌ ଅଫିସର ଦାୟିତ୍ୱ ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲା ନୋଡାଲ ଅଫିସର ଦାୟିତ୍ୱ ମିଳିଛି । ବିଭାଗୀୟ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ସର୍ବେକ୍ଷଣର ଅଗ୍ରଗତି ସମୀକ୍ଷା କରିବା ସହ ଜିଲ୍ଲାପାଳଙ୍କୁ ଏସମ୍ପର୍କରେ ତଦାରଖ କରିବାକୁ ଅନୁରୋଧ କରିଛନ୍ତି । ନାସ୍‌ ସର୍ବେକ୍ଷଣର ଫଳାଫଳ ଅନୁସାରେ ଜାତୀୟ ତଥା ରାଜ୍ୟ ସ୍ତରରେ ଶୈକ୍ଷିକ ବିକାଶ ପାଇଁ ନୀତିଗତ ନିଷ୍ପତ୍ତି ନିଆଯିବ । ଏହାସହ ଶିକ୍ଷଣ ପ୍ରଶିକ୍ଷଣର ଯୋଜନା ପ୍ରସ୍ତୁତ କରିବା ସହ ପାଠ୍ୟକ୍ରମ ପ୍ରସ୍ତୁତି କରିବା କାର୍ଯ୍ୟରେ ବ୍ୟବହାର କରାଯିବ l ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ରୁ ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.