ଚଳିତ ବର୍ଷା ଓ ବନ୍ୟାରେ ୧.୨୦ଲକ୍ଷ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ

0 10

ଭୁବନେଶ୍ୱର: ଚଳିତ ଅଗଷ୍ଟ ମାସରେ ଆସିଥିବା ଲଗାଣ ବର୍ଷା ଓ ବନ୍ୟାରେ ରାଜ୍ୟର ୨୪ଟି ଜିଲ୍ଲା ପ୍ରଭାବିତ ହୋଇଛି ଓ ପ୍ରାୟ ୧.୨୦ଲକ୍ଷ ହେକ୍ଟର ଚାଷ ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଆକଳନ ରିପୋର୍ଟରୁ ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ବନ୍ୟାଜଳ ଓ ଲଗାଣ ବର୍ଷାରେ ଜଗତସିଂହପୁର ଜିଲ୍ଲାରେ ୨୪୨୦୦ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଥିବାବେଳେ ପୁରୀ ଜିଲ୍ଲାର ୧୧ଟି ବ୍ଲକରୁ ୮ଟି ବ୍ଲକ ବନ୍ୟାରେ ପ୍ରଭାବିତ ହୋଇଛି । ଡେଲାଙ୍ଗରେ ସର୍ବାଧିକ ୮ହଜାର ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବାବେଳେ ନିମାପଡ଼ା ବ୍ଲକ ଅଂଚଳରେ ୬୮୦୦ ହେକ୍ଟର ଓ କଣାସ ଅଂଚଳରେ ୫୨୦୦ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ମହାନଦୀ ଓ ତା’ର ଶାଖା ନଦୀରେ ୭ଟି ସ୍ଥାନରେ ଘାଇ ହେବାରୁ ବନ୍ୟା ଜଳ ମାଡ଼ି ଯାଇଥିଲା ।
ମୋଟ ୧୦ଟି ଜିଲ୍ଲାରେ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବାବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଅଧିକ ଚାଷ ଜମି ନଷ୍ଟ ହୋଇଛି । ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ସମେତ ବୌଦ୍ଧ ଓ ସୋନପୁର ଜିଲ୍ଲାରେ ମଧ୍ୟ ଧାନ ଫସଲ ନଷ୍ଟ ହୋଇଛି । ସୁବର୍ଣ୍ଣରେଖା ଓ ବୈତରଣୀ ନଦୀରେ ଜଳସ୍ତର ଅଧିକ ରହିବାରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଅନେକ ଅଂଚଳରେ ବନ୍ୟା ଜଳ ପ୍ରବେଶ କରି ଫସଲ ନଷ୍ଟ କରିଛି ।
କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ଓ ବର୍ଷା ଯୋଗୁ ଫସଲ ନଷ୍ଟ ଓ କ୍ଷୟକ୍ଷତି ଆକଳନ ରିପୋର୍ଟର ସମୀକ୍ଷା କରିଥିଲେ । ମନ୍ତ୍ରୀଙ୍କ ନିଜସ୍ୱ ଅଂଚଳ ଆଠଗଡ଼ ଓ ତିଗିରିଆ ବ୍ଲକରେ ମଧ୍ୟ ବ୍ୟାପକ ଫସଲ ନଷ୍ଟ ହୋଇଛି ।
ରାଜ୍ୟ ସରକାର ଏହି କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ ଚାଷୀଙ୍କୁ ଆର୍ଥିକ ସହାୟତା ବଂଟନ କାର୍ଯ୍ୟକ୍ରମ ଆରମ୍ଭ କରିବେ । ତେବେ ଯେଉଁ ଚାଷୀଙ୍କର ଫସଲ ୫୦ ପ୍ରତିଶତରୁ ଅଧିକ ନଷ୍ଟ ହୋଇଛି ସେମାନଙ୍କୁ ପୁଣିଥରେ ଚାଷ କାର୍ଯ୍ୟ (ସାନି ଧାନ ଫସଲ) କରିବାକୁ ସରକାର ପରାମର୍ଶ ଦେଇଥିବା ଜଣାପଡ଼ିଛି ।

ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.