୨.୭୯ ଲକ୍ଷ ପରିବାର ବିଦ୍ୟୁତ ସଂଯୋଗରୁ ବଞ୍ଚିତ, ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟକୁ ୪ ବର୍ଷ ପୁରିଲା

0 14

ଭୁବନେଶ୍ୱର: ରାଜ୍ୟର ୨.୭୯ଲକ୍ଷ ପରିବାର ଏବେ ବି ବିଦ୍ୟୁତ ସଂଯୋଗରୁ ବଂଚିତ । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଏହି ପରିବାର ପାଖରେ ବିଦ୍ୟୁତ ଆଲୋକ ପହଂଚି ପାରୁନି । ଯଦିଓ ୨୦୧୮ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ସୁଦ୍ଧା ରାଜ୍ୟର ସମସ୍ତ ପରିବାରକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଘୋଷଣା କରିଥିଲେ । ମାତ୍ର ୪ବର୍ଷ ପରେ ବି ରାଜ୍ୟର ଏତେ ସଂଖ୍ୟକ ପରିବାର ପାଖରେ ବିଦ୍ୟୁତ ନପହଂଚିବା ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି ।
ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୧୮ ଜାନୁୟାରୀ ମାସରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟରେ ବିଦ୍ୟୁତ ସଂଯୋଗ ସ୍ଥିତିର ସମୀକ୍ଷା କରିଥିଲେ । ସେତେବେଳେ ରାଜ୍ୟର ମୋଟ ୪୭୬୭୭ଟି ଗାଁ ବା ଜନବସତିରୁ ୪୭୬୫୫ଟି ଗାଁକୁ ବିଦ୍ୟୁତିକରଣ ହୋଇଥିବା ଓ ବାକି ୨୨ଟି ଗାଁକୁ ସେହିବର୍ଷ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଆଉ ସବୁ ପରିବାରକୁ ବିଦ୍ୟୁତ ସଂଯୋଗ ନିମନ୍ତେ ବିଭାଗକୁ ଟାର୍ଗେଟ୍ ଦେଇଥିଲେ । ୨୦୧୮ ଗାନ୍ଧି ଜୟନ୍ତୀ ସୁଦ୍ଧା ସବୁ ପରିବାର ପାଖରେ ବିଦ୍ୟୁତ ସଂଯୋଗ ପହଂଚାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଇତିମଧ୍ୟରେ ୪ବର୍ଷ ବିତିବାକୁ ବସିଲାଣି, ଏବେବି ରାଜ୍ୟର ୨ଲକ୍ଷ ୭୮ହଜାର ୭୭୮ଟି ପରିବାର ପାଖରେ ବିଦ୍ୟୁତ ପହଂଚି ପାରିନି।
ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଆଜି ବିଧାନସଭାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ସମସ୍ତ ରାଜସ୍ୱ ଗାଁକୁ ବିଦ୍ୟୁତକରଣ କରାଯାଇଛି । ମାତ୍ର କେତେକ ପଡ଼ା ଗାଁ, ପରିବାର ବିଦ୍ୟୁତିକରଣରୁ ବଂଚିତ ହୋଇଛନ୍ତି । ଜିଲ୍ଲାପାଳମାନଙ୍କ ତତ୍ତ୍ୱାବଧାନରେ ଏ ସମସ୍ତ ବିଦ୍ୟୁତ ସଂଯୋଗ ନହୋଇଥିବା ଗାଁ ବା ପରିବାରର ସର୍ଭେ କରାଯାଇଛି । ଏସବୁ ପଡ଼ା ଓ ପରିବାରକୁ ରାଜ୍ୟ ସରକାରଙ୍କ ବିଜୁ ଗ୍ରାମଜ୍ୟୋତି ଯୋଜନାରେ ବିଦ୍ୟୁତିକରଣ କରାଯିବ ବୋଲି ଶ୍ରୀ ଦେବ କହିଛନ୍ତି ।
ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୪୪୯୯୫ଟି ପରିବାର, ବାଲେଶ୍ୱରରେ ୩୧୧୩୮ଟି ପରିବାର, ରାୟଗଡ଼ାରେ ୧୫୫୬୯ଟି ପରିବାର, ସୁନ୍ଦରଗଡ଼ରେ ୧୬୬୦୯ଟି ପରିବାର, ବରଗଡ଼ରେ ୧୧୧୯୯ଟି ପରିବାର ବିଦ୍ୟୁତ ସଂଯୋଗରୁ ବଂଚିତ ଅଛନ୍ତି । ରାଜ୍ୟର ସବୁ ଜିଲ୍ଲାରେ ବିଦ୍ୟୁତ ସଂଯୋଗ ନଥିବା ପରିବାର ରହିଛି । ପ୍ରତି ଜିଲ୍ଲାରେ ୨ହଜାରୁ ୪୫ହଜାର ପର୍ଯ୍ୟନ୍ତ ପରିବାର ପାଖରେ ବିଦ୍ୟୁତ ସଂଯୋଗ ନଥିବା ମନ୍ତ୍ରୀ ଶ୍ରୀ ଦେବଙ୍କ ଉତ୍ତରରୁ ଜଣାପଡ଼ିଛି ।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.