ମନ୍ତ୍ରୀଙ୍କ ଜନ୍ମଦିନ ପାର୍ଟିରେ ଯୋଗ ନ ଦେଇ ୪ କର୍ମଚାରୀ ନିଲମ୍ବିତ

0 10

ହାଇଦ୍ରାବାଦ: ତେଲେଙ୍ଗାନାର ହେଭିୱେଟ ମନ୍ତ୍ରୀ କେଟି ରାମା ରାଓ ଓରଫ କେଟିଆରଙ୍କ ଜନ୍ମ ଦିନ ପାର୍ଟିରେ ଯୋଗ ନଦେବା ପୌର ପାଳିକାର ୪ ଜଣ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି। ସେମାନେ ଜନ୍ମ ଦିନ ପାର୍ଟିରେ ଯୋଗ ଦେଇ ନଥିବାରୁ ସେମାନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ମ୍ୟୁନସିପାଲ କାଉନସିଲ ପକ୍ଷରୁ ଜୁଲାଇ ୨୪ରେ ବେଲ୍ଲାମପାଲ୍ଲୀ ସରକାରୀ ହସ୍ପିଟାଲରେ କେଟିଆରଙ୍କ ଜନ୍ମ ଦିନ ପାଇଁ ପାର୍ଟିର ଆୟୋଜନ କରାଯାଇଥିଲା।
ଏଥିରେ ୪ ଜଣ କର୍ମଚାରୀ ଯୋଗ ନ ଦେବାରୁ ଜୁଲାଇ ୨୫ରେ ମ୍ୟୁନସିପାଲ କମିଶନର ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏଥିସହ ସେମାନଙ୍କ ବିରୋଧରେ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବ, ତା’ର ଉତ୍ତର ୨୪ ଘଣ୍ଟା ମଧ୍ୟରେ ଦେବାକୁ କମିଶନର ନୋଟିସରେ ନିର୍ଦ୍ଦେଶ ଦେଇଥିଲେ। ନୋଟିସରେ କୁହାଯାଇଛି ଯେ ରାଜ୍ୟର ମ୍ୟୁନସିପାଲ ମନ୍ତ୍ରୀ କେଟିଆରଙ୍କ ଜନ୍ମଦିନ ଉପଲକ୍ଷେ ୨୪ ତାରିଖ ଦିନ ୧୦ଟା ବେଳେ ବେଲ୍ଲାମପାଲ୍ଲୀ ସରକାରୀ ହସ୍ପିଟାଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଥିରେ ମ୍ୟୁନସିପାଲ କର୍ପୋରେସନର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଯୋଗଦେବା ପାଇଁ ହ୍ୱାଟସଆପ ଯୋଗେ କୁହାଯାଇଥିଲା। କିନ୍ତୁ ଏହି ମେସେଜକୁ ଆପଣମାନେ(୪ କର୍ମଚାରୀ) ଅଣଦେଖା କରିଛନ୍ତି। ଉପସ୍ଥାପନ କମ ଯୋଗୁ ମେମୋ ଜାରି କରାଯାଉଛି। ଏହିକ୍ରମରେ କାହିଁକି ଆପଣମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବ, ତା’ର ଜବାବ ୨୪ ଘଣ୍ଟା ମଧ୍ୟରେ ଦିଅନ୍ତୁ। ଯଦି ଆପଣମାନେ ମେମୋର ଉତ୍ତର ନ ଦେବେ, ତା’ହେଲେ ଆପମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଥିଲା।
ନିଲମ୍ବିତ ହୋଇଥିବା କର୍ମଚାରୀମାନେ କହିଛନ୍ତି ଯେ ସେମାନଙ୍କୁ ପକ୍ଷ ରଖିବାକୁ ସୁଯୋଗ ନ ଦିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜଣେ ମନ୍ତ୍ରୀଙ୍କ ଜନ୍ମ ଦିନ ପାଳନ କରିବା କେମିତି ସେମାନଙ୍କ ଚାକିରିର ପ୍ରୋଟକଲ ମଧ୍ୟରେ ଆସୁଛି ବୋଲି ମଧ୍ୟ ସେମାନେ ପ୍ରଶ୍ନ କରିଛନ୍ତି। ଏହି ଘଟଣାକୁ ନେଇ ବିରୋଧୀ ବିଜେପି କ୍ଷମତାସୀନ ଟିଆରଏସକୁ ଟାର୍ଗେଟ କରିଛି। କେଟିଆରଙ୍କୁ ଦଳ ରାଜ କୁମାର ଭାବେ ଅବିହିତ କରି ତାଚ୍ଛଲ୍ୟ କରିଛି।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.