ଗାଡ଼ି ରୁ ଜବତ ହେଲା ୪୦କେଜି ଗଞ୍ଜେଇ, ଦୁଇ ଗିରଫ

0 23

ସୁବର୍ଣ୍ଣପୁର:ଗଞ୍ଜେଇ କରିଡ଼ରରେ ପରିଣତ ହୋଇଛି ସୁବର୍ଣ୍ଣପୁର। ଜିଲ୍ଲା ମଧ୍ୟ ଦେଇ ବିପୁଳ ପରିମାଣରେ ବେଆଇନ ଭାବେ ଆନ୍ତଃ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ହେଉଛି।ଏହି ବେଳାରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଧରପଗଡ଼ କରାଯାଉଛି।ଆଜି ପୁଣି ବିପୁଳ ପରିମାଣର ଗଂଜେଇ ଜବତ କରାଯିବା ସହିତ ଦୁଇ ଜଣ ଗଞ୍ଜେଇ ବେପାରୀଙ୍କୁ ଅବକାରୀ ବିଭାଗର କର୍ମଚାରୀ ମାନେ ଗିରଫ କରିବାରେ ସଫଳ ହୋଇଛନ୍ତି।ଆଜି ପ୍ରାୟ ସକାଳ ୮ ଟା ୩୦ ସମୟରେ ମନମୁଣ୍ଡା ଅଂଚଳରୁ ସୁବର୍ଣ୍ଣପୁର ସହର ପ୍ରବେଶ ପଥ ଦେଇ ପାଟଣାକୁ ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗର କର୍ମଚାରୀମାନେ ଚଳନ୍ତା ଗାଡି ଉପରେ ଚଢାଉ କରିଥିଲେ ।ଏକ ଚାରିଚକିଆ କେୟୁଭି ଗାଡିରେ ଏହି ଗଂଜେଇ ଚୋରା ଚାଲାଣ କରାଯାଉଥିଲା ।ଅବକାରୀ ବିଭାଗର କର୍ମଚାରୀମାନେ କେୟୁଭି ଗାଡିଟିକୁ ସହରର ପଟାଭାଡ଼ି ନିକଟରେ ଅଟକାଇଥିଲେ ।ହେଲେ ଗାଡି ଡ୍ରାଇଭର ଅବକାରୀ କର୍ମଚାରୀଙ୍କୁ ଦେଖି ଖୁବ ଖିପ୍ରଗତିରେ ଗାଡି ନେଇ ସହର ଭିତରେ ଯାଉଥିଲା ।ତେବେ ଅବକାରୀ କର୍ମଚାରୀମାନେ ଗାଡ଼ିଟିକୁ ସହରର ପଟାଭାଡ଼ି ଛକରେ ଅଟକାଇବାରେ ସକ୍ଷମ ହୋଇଥିଲେ । ଗାଡିରୁ ଓହ୍ଲାଇ ବେପାରୀ ଦୁଇ ଜଣ ଦୌଡି ପଳାଇଯାଉଥିବା ସମୟରେ ଅବକାରୀ କର୍ମଚାରୀମାନେ ତାଙ୍କୁ କାବୁ କରିବାରେ ବି ସକ୍ଷମ ହୋଇଥିଲେ ।ତେବେ ଅବକାରୀ ବିଭାଗର କର୍ମଚାରୀମାନେ ଗଂଜେଇ ବୋଝେଇ ଗାଡି ସହିତ ଉଭୟ ବେପାରୀଙ୍କୁ ଗିରଫ କରିଛନ୍ତି ।ଗାଡି ତନଖି ବେଳେ ଗାଡିରୁ ଏକ କେଜି ଗଂଜେଇ ବିଶିଷ୍ଟ 40 ପ୍ୟାକେଟ ଗଂଜେଇ ବାହାରିଥିଲା ।ତେବେ ଏହି ଗଞ୍ଜେଇ କନ୍ଧମାଳ ମୋହନା ଅଂଚଳରୁ ବୌଦ୍ଧ ଜିଲ୍ଲାର କଣ୍ଟାମାଲ ଦେଇ ସୁବର୍ଣ୍ଣପୁର ସହରକୁ ପ୍ରବେଶ କରିଥିବା ଜିଲ୍ଲା ଅବକାରୀ ଅଧିକ୍ଷିକା ସୂଚନା ଦେଇଛନ୍ତି ।ବିଭିନ୍ନ ସମୟରେ ବୌଦ୍ଧ ଜିଲ୍ଲା ଶଗଡା ,କଣ୍ଟାମାଲ ଓ ବାଉଁଶୁଣି ଅଂଚଳରୁ ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିପୁଳ ପରିମାଣରେ ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ଏହି ଚୋରାଚାଲାଣ ରୋକିବାରେ ବିଫଳ ହେଉଛି ।ତେବେ ନିର୍ଦ୍ଧିଷ୍ଟ ଖବର ପାଇ ଅବକାରୀ ବିଭାଗ ଆଜି ଗାଡିଟିକୁ ଅଟକାଇ ଆଜି ଗଂଜେଇ ଜବତ କରିବାରେ ସକ୍ଷମ ହୋଇଛି ।ଅବକାରୀ ବିଭାଗ ଦ୍ବାରା ଗିରଫ ଦୁଇ ଜଣ ଛତିଶଗଡ଼ର ଚନ୍ଦନ କୁମାର ଓ ରାଜ ଯାଦବ ବୋଲି ଜଣାପଡିଛି । ଏହି ଚୋରାଚାଲାଣ ଉପରେ ଏକ ମାମଲା ରୁଜୁ କରି ଏହି ଗଂଜେଇ ପାର କରିବାରେ କିଏ କିଏ ସଂପୃକ୍ତ ଅଛନ୍ତି ଅବକାରୀ ବିଭାଗ ତାର ଅନୁସଂଧାନ ଜାରି ରଖିଛି ବୋଲି ସୂଚନା ଦେଇଛନ୍ତି ଅବକାରୀ ନିରିକ୍ଷୀକା ସୁମତି ତ୍ରିପାଠୀ ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.