ଦାବି ମାନିଲା ଟାଟା ପାୱାର, ୩୧୮ ଦିନ ପରେ ବନ୍ଦ ହେଲା ବିଜୁଳି କର୍ମଚାରୀଙ୍କ ଧାରଣା

0 15

ବ୍ରହ୍ମପୁର: ଦୀର୍ଘ ୩୧୮ ଦିନ ଧରି ଚାଲିଥିବା ଧାରଣା ଆଗରେ ମୁଣ୍ଡ ନୂଆଁଛି ଟାଟା ପାୱାର। କର୍ମଚାରୀମାନେ ସେମାନଙ୍କ ହକ୍‌ ଦାବିରେ ବ୍ରହ୍ମପୁର ଟାଟା ପାୱାର ସାଉଥ୍ ଓଡ଼ିଶା ଡିଷ୍ଟ୍ରିବ୍ର୍ୟୁସନ ଲିମିଟେଡ ଅଫିସ ଆଗରେ ୩୧୮ ଦିନ ଧରି ଧାରଣାରେ ବସିଥିଲେ। ଟାଟା ପାୱାର ଶୁକ୍ରବାର ରାତିରେ ସେମାନଙ୍କ ଦାବି ମାନି ନେବାରୁ ଓଡ଼ିଶା ବିଜୁଳି କର୍ମଚାରୀ ସଂଘର ଧାରଣା ମଧ୍ୟ ଶେଷ ହୋଇଛି।ଶୁକ୍ରବାର ଟାଟା ପାୱାର ଓ ଓଡ଼ିଶା ବିଜୁଳି କର୍ମଚାରୀ ସଂଘର ସଦସ୍ୟଙ୍କ ମଧ୍ୟରେ ଦୀର୍ଘ ୪ ଘଣ୍ଟା ଧରି ମାରାଥନ ଆଲୋଚନା ହୋଇଥିଲା। ଆଲୋଚନା ବେଳେ କର୍ମଚାରୀଙ୍କ ସବୁ ଦାବି ଟାଟା ପାୱାର ମାନିବାକୁ ରାଜି ହୋଇଥିଲା। ଏହାପରେ ହିଁ ଧାରଣାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ସଂଘ।୨୦୧୮ରେ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ହୋଇଥିବା ଚୁକ୍ତି ଅନୁସାରେ ୨୦୦ ଆଉଟସୋର୍ସ କର୍ମଚାରୀଙ୍କୁ ସ୍ଥାୟୀ ଓ ପେ ରୋଲ ଅଧୀନରେ ରଖାଯିବା ସହ ଦକ୍ଷିଣ ଓଡ଼ିଶାରେ ସାଉଥକୋ ଅଧୀନରେ କାମ କରୁଥିବା ୨୬୯୦ଜଣଙ୍କ କର୍ମଚାରୀଙ୍କୁ ସ୍ଥାୟୀ ଚାକିରି ଦେବାକୁ ଦାବିକୁ କର୍ମଚାରୀମାନେ ଦାବି କରିଥିଲେ।
ହେଲେ ଟାଟା ପାୱାର ଏହାକୁ ଖାତିର ନ କରିବାରୁ ବିଜୁଳି ସଂଘ ପକ୍ଷରୁ ଗତ ବର୍ଷ ଜୁଲାଇ ୨୨ତାରିଖରୁ ଆରମ୍ଭ ହୋଇଥିଲା ଧାରଣା। ଏହି ଧାରଣା ବେଳେ ସେମାନେ ଭିନ୍ନଭିନ୍ନ ଉପାୟରେ ନିଜର ଦାବି ଉପସ୍ଥାପନ କରୁଥିଲେ। କେତେବେ କର୍ମଚାରୀ ସଂଘ ପକ୍ଷରୁ ଟାଟା ଏମଡି ଶବ ଶୋଭାଯାତ୍ରା କରାଯାଉଥିଲା ତ ଆଉ କେତେବେଳେ ଭିକ୍ଷା ମାଗିବା, ବାପା ମାଙ୍କୁ ଆଣି ଧାରଣା ଦେବା, ଆମରଣ ଅନଶନ ଓ ଲଣ୍ଡା ହେବା ଭଳି ପନ୍ଥା ଅବଲମ୍ବନ କରାଯାଇଥିଲା।
କର୍ମଚାରୀଙ୍କ ବିକ୍ଷୋଭ ଓ ଧାରଣାକୁ ଦେଇ ଟାଟା ପାୱାର କର୍ତ୍ତୃପକ୍ଷ ଅନେକ ଥର ଆଲୋଚନା ମଧ୍ୟ କରିଥିଲେ। ହେଲେ କୌଣସି ବି ଆଲୋଚନାରୁ ଏଯାଏ ସୁଫଳ ମିଳୁ ନଥିଲା। ଶେଷରେ ବ୍ରହ୍ମପୁର ଉପଜିଲ୍ଲାପାଳ, ଟାଟା ସିଇଓ ଅରବିନ୍ଦ ସିଂହ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ମିଳିତ ଉଦ୍ୟମ ଯୋଗୁ ପୁଣି ଆଲୋଚନା ହୋଇଥିଲା। ଆଲୋଚନା ବେଳେ କର୍ମଚାରୀଙ୍କ ଦାବି ମାନିବାକୁ ଟାଟା ପାୱାର ରାଜି ହୋଇଛି। ଦାବି ପୂରଣ କରିବାକୁ ସଂସ୍ଥା ଏକ ମାସ ସମୟ ମାଗିଛି। କର୍ମଚାରୀମାନେ ସେଯାଏ ଧାରଣା ପ୍ରତ୍ୟାହୃତ କରିବା ସହ ନିଜର ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି।
ବିଜୁଳି କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ପଞ୍ଚାନନ ଜେନା କହିଛନ୍ତି, ଆଲୋଚନା ଫଳପ୍ରଦ ହୋଇଛି। ଆମେ କିଛି ଦାବିରେ ପଛକୁ ହଟିଥିବା ବେଳେ ସେମାନେ ମଧ୍ୟ କିଛି ସର୍ତ୍ତ କୋହଳ କରିଛନ୍ତି। ଆମର ପ୍ରଥମ ଦାବି ଥିଲା ସ୍ଥାୟୀ ନିଯୁକ୍ତି। ଏଥିରେ ଟାଟା ପାୱାର ସର୍ତ୍ତମୂଳକ ସହମିତି ପ୍ରକାଶ କରିଛି। ପ୍ରଥମେ ବର୍ଷେ ଟ୍ରେନିଂ ବ୍ୟବସ୍ଥା ହେବ। ଏହାପରେ ଯୋଗ୍ୟତା ଭିତ୍ତିରେ ସ୍ଥାୟୀ ଚାକିରି ମିଳିବ। ସବୁ ବର୍ଗର ପିଲାମାନଙ୍କ ଲାଭ ପାଇଁ ଆଲୋଚନା ହୋଇଛି। ଏବେ ପିଲାମାନେ କାମରେ ଯୋଗଦେବେ। ମାସକ ପରେ ଆମେ ଆଉ ଥରେ ଆଲୋଚନା କରିବୁ। ଯଦି ମାସକ ଭିତରେ ସଂସ୍ଥା କିଛି ପଦକ୍ଷେପ ନ ନେବ, ତା’ହେଲେ ୟୁନିୟନ ଆଲୋଚନା କରି ଆଗାମୀ ରଣନୀତି ପ୍ରସ୍ତୁତ କରିବ ବୋଲି ସେ କହିଛନ୍ତି।
ଟାଟା ସିଇଓ ଅରବିନ୍ଦ ସିଂହ କହିଛନ୍ତି, “ମୁଁ ପ୍ରଶାସନ ଓ ବିଜୁଳି କର୍ମଚାରୀ ସଂଘର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଉଛି। ଯାହା ହେଇ ଯାଇଛି, ସେ ବିଷୟରେ ମୁଁ ଆଲୋଚନା କରିବାକୁ ଚାହୁଁନି। ଆମ ସମସ୍ତଙ୍କର ଲକ୍ଷ୍ୟ ହେଲା ଟିପିସିଏଲକୁ ଆଗକୁ ନେବା। ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ।”

ଇପିଏ ରୁ ବିରଞ୍ଚି ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.