ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ତରଫରୁ ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ
ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ତରଫରୁ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପ୍ରଦାନ କରାଯାଇଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ଆମ ପୋଲିସ ତରଫରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଲିଙ୍ଗାରଜ ପଣ୍ଡା ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରାଣା, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷ ନିର୍ମଳା ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର, ଜିଲ୍ଲା ଅତିରିକ୍ତ ଆର କ୍ଷୀ ଅଧିକ୍ଷକ ବାମଦେବ ସିଂ, ବରିଷ୍ଠ ନାଗରିକ ମଞ୍ଚ ଉପସଭାପତି ରାମଚନ୍ଦ୍ର ପାଢୀ ଓ ଅବସର ପ୍ରାପ୍ତ ପୋଲିସ ଅଧିକାରୀ ସୁବାଷ ଚନ୍ଦ୍ର ଜମାଦାର ମଞ୍ଚାସୀନ ଥିଲେ ।
ସମାଜରେ ବରିଷ୍ଠ ନାଗରିକଙ୍କ ଭୂମିକା ଗୁରୁତ୍ୱବହନ କରୁଛି । ସେମାନଙ୍କ କାର୍ଯ୍ୟ ଦକ୍ଷତା ଓ ଅଭିଜ୍ଞତା ସମାଜର ବହୁ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । କିନ୍ତୁ ବର୍ତ୍ତମାନର ସମୟରେ ବିଭିନ୍ନ କାରଣରୁ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ତେଣୁ ବରିଷ୍ଠ ନାଗିରକଙ୍କୁ ସମ୍ମାନ ଓ ସୁରକ୍ଷା ପ୍ରଦାନ କରିବା ର ନିହାତି ଆବଶ୍ୟକତା ରହିଛି ବୋଲି ମଞ୍ଚାସୀନ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି ଓ ଅବସରପ୍ରାପ୍ତ ପୋଲିସ ଅଧିକାରୀ ସୁବାଷ ଜମାଦାର ପୋଲିସ ନିୟମ ପୁସ୍ତିକା(ମାନୁଏଲ୍ )ର ନିୟମ-୩୭୪ରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା ରହିଛି । ଉକ୍ତ ନିୟମ ମୁତାବକ ପ୍ରତ୍ୟେକ ପୋଲିସ ଥାନାରେ ଜଣେ ଏସଆଇ ଓ ଦୁଇଜଣ କନ୍ଷ୍ଟେବଲ ନିୟୋଜିତ ଅଛନ୍ତି ବୋଲି କହିଥିଲେ । ଏହା ବ୍ୟତୀତ ଜିଲ୍ଲା ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ବରିଷ୍ଠ ନାଗରିକଙ୍କ ସହାୟତା ପାଇଁ ଏକ ସ୍ୱତନ୍ତ୍ର ସେଲ୍ ଖୋଲାଯାଇଛି । ଏହି ଅବସରରେ ମଞ୍ଚାସୀନ ଅତିଥି ମାନେ ୪୮ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ ପରିଚଳାନା କରିଥିଲେ ।
ଗଜପତି ଇପିଏ ରୁ ଦିଲୀପ ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )