‘ମୁଁ ଜାଣିଛି ମନୀଷ ସିସୋଦିଆଙ୍କୁ ଗିରଫ କରାଯିବ’: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମି ପାର୍ଟି (ଆପ୍) ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ ଆଜି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ କହିଛନ୍ତି, ‘ମୁଁ ଜାଣିଛି ମନୀଷ ସିସୋଦିଆଙ୍କୁ ଗିରଫ କରାଯିବ’! ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଉପରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଦ ନୀତିର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ଯାହାକି ସିଧାସଳଖ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଯିବ। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ଅବକାରୀ ନିୟମ ଉଲ୍ଲଂଘନ ଏବଂ ପ୍ରକ୍ରିୟାଗତ ତ୍ରୁଟି ଉପରେ ଏକ ସିବିଆଇ ଅନୁସନ୍ଧାନ କରିବାକୁ ସୁପାରିଶ କରିଛନ୍ତି।
ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ କହିଛନ୍ତି, ‘ମୁଁ ଜାଣେ ତାଙ୍କୁ (ମନୀଷ ସିସୋଦିିଆ, ଦିଲ୍ଲୀ ଡେପୁଟି ସିଏମ୍ ଏବଂ ଆପ୍ ନେତା)ଙ୍କୁ ଶୀଘ୍ର ଗିରଫ କରାଯିବ। ମୁଁ ଏହି ମାସ ପୂର୍ବରୁ ଏକଥା ଜାଣିଥିଲି। ଦେଶର ବର୍ତ୍ତମାନ ଏକ ନୂତନ ବ୍ୟବସ୍ଥା ଚାଲିଛି। ସେମାନେ ପ୍ରଥମେ ନିଷ୍ପତ୍ତି ନିଅନ୍ତି କାହାକୁ ଜେଲ ପଠାଇବେ ଏବଂ ତା’ପରେ ଏକ ମେଡ୍ ଅପ୍ ମାମଲା ଉପସ୍ଥାପନ କରାଯାଏ’ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୁହିଛନ୍ତି।
‘ଆମେ ଗିରଫ ହେବାକୁ କିମ୍ବା ଜେଲକୁ ଭୟ କରୁନାହୁଁ। ଏପରିକି ଫାଶୀକୁ ମଧ୍ୟ ଭୟ କରୁନାହୁଁ। ସେମାନେ ଆମ ଲୋକଙ୍କ ବିରୋଧରେ ଅନେକ ମାମଲା କରିଛନ୍ତି। ପଞ୍ଜାବରେ ବିଜୟ ପରଠାରୁ ଆପ୍ ବିରୋଧରେ ସେମାନଙ୍କର ଆକ୍ରେଶ ବୃଦ୍ଧି ପାଇଛି। ସେମାନେ ଆମକୁ ଜାତୀୟ ସ୍ତରକୁ ଉଠିବା ଦେଖିପାରିବେ ନାହିଁ। ସେଥିପାଇଁ ସେମାନେ ଆମ ବିରୋଧରେ ଏପରି ପଦକ୍ଷେପ ସବୁ ନେଉଛନ୍ତି। କିନ୍ତୁ ଏସବୁ କିଛି ଆମକୁ ଅଟକାଇ ପାରିବ ନାହିଁ’ ବୋଲି କହିଛନ୍ତି କେଜ୍ରିଓ୍ଵାଲ।
ସେହିପରି:-
କୋଲ୍କାତାର‘ଏସ୍ଏସ୍ସି ସ୍କାମ୍’ (ଶିକ୍ଷକ ନିଯୁକ୍ତି ଦୁର୍ନୀତି) ମାମଲାରେ ଆଜି କୋଲ୍କାତା ବାସଭବନରୁ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି।
ଶୁକ୍ରବାର ଦିନ ନଗଦ ୨୦ କୋଟି ଟଙ୍କା ଜବତ ହୋଇଥିବା ପାର୍ଥଙ୍କ ଘନିଷ୍ଠ ସହକାରୀ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ଧରି ନେଇ ଅଟକ ରଖିଛନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟର ଜଣେ ଅଧିକାରୀ କହିଛନ୍ତି, ଶୁକ୍ରବାର ରାତି ସାରା ପାର୍ଥଙ୍କୁ ତାଙ୍କ ବାସଭବନରେ ଜେରା କରାଯାଇଥିଲା। ଜେରା ବେଳେ ତଦନ୍ତକାରୀଙ୍କୁ ସହଯୋଗ ନ କରିବା ଫଳରେ ତାଙ୍କୁ ଗିରଫ କରାଯାଇ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟକୁ ନିଆଯାଉଛି।
ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ପ୍ରାୟ ୨୬ ଘଣ୍ଟା ଧରି ଜେରା କରିସାରିଲାଣି। ପ୍ରବର୍ତ୍ତନ ନିର୍ଦେଶାଳୟର ୮ଜଣ ଅଧିକାରୀ ମଧ୍ୟ ପାର୍ଥଙ୍କ ଘରେ ତଲାସ ଚଳାଇଛନ୍ତି।
ସମ୍ପ୍ରତି ପଶ୍ଚିମବଙ୍ଗ ରାଜ୍ୟର ମମତା ବାନାର୍ଜୀଙ୍କ ସରକାରରେ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ବେଳେ ଶିକ୍ଷାମନ୍ତ୍ରୀ ଥିଲେ। ତାଙ୍କ ସହକାରୀ ଅର୍ପିତାଙ୍କ ଘରୁ ଜବତ ହୋଇଥିବା ନଗଦ ୨୦ କୋଟି ଟଙ୍କା ‘ଏସ୍ଏସ୍ସି’ ଦୁର୍ନୀତିରୁ ଲବ୍ଧ ଅର୍ଥ ବୋଲି ତଦନ୍ତକାରୀ ଏଜେନ୍ସି ଦେଇଥିବା ବିବୃତିରେ କହିଛି। ନଗଦ ଅର୍ଥ ବ୍ୟତିରେକେ ଅର୍ପିତାଙ୍କ ବାସଭବନରୁ ୨୦ରୁ ଊର୍ଦ୍ଧ୍ବ ମୋବାଇଲ୍ ଫୋନ୍ ମଧ୍ୟ ଉଦ୍ଧାର କରାଯାଇଛି।
ଚାଟାର୍ଜୀଙ୍କ ବ୍ୟତୀତ, ପ୍ରବର୍ତ୍ତନ ନିର୍ଦେଶାଳୟ ରାଜ୍ୟ ଶିକ୍ଷାମନ୍ତ୍ରୀ ପରେଶ ସି. ଅଧିକାରୀ, ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଏବଂ ଅନ୍ୟମାନଙ୍କ ଘରେ ଚଢ଼ାଉ ଚଳାଇଛି।
ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )