୧୨୧ ୟୁନିଟ ରକ୍ତସଂଗ୍ରହ କରି ଚର୍ଚ୍ଚାରେ ଛତ୍ରପୁର ପ୍ରେସ କ୍ଲବ

0 35

ବ୍ରହ୍ମପୁର : ପ୍ରଚଣ୍ଡ ଗୁଳୁଗୁଳି ସତ୍ତ୍ୱେ ବି ଗତକାଲି (ଶନିବାର) ଦିନ ରକ୍ତଦାନ ଶିବିରର ଆୟୋଜନ କରି ୧୨୧ ୟୁନିଟ ରକ୍ତସଂଗ୍ରହ କରି ଛତ୍ରପୁର ପ୍ରେସ କ୍ଲବ ବିଭିନ୍ନ ମହଲରେ ପ୍ରଶଂସନୀୟ ହୋଇଛି । ନୂତନ କୋଠାର ଉଦଘାଟନ ପରେ ଛତ୍ରପୁର ପ୍ରେସ କ୍ଲବ ପ୍ରଥମ ଥର ପାଇଁ ଏକ ମେଗା ରକ୍ତଦାନ ଆୟୋଜନ କରିଛନ୍ତି । ବିପୁଳଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସାମୂହିକ ଭାବେ ସଂଗଠିତ କରିଥିବା ଏହି ମେଗା ରକ୍ତଦାନ ଶିବିର ଛତ୍ରପୁର ଇତିହାସରେ ଏକ ନୂତନ ରେକର୍ଡ କରି ଗୌରବ ବହନ କରିଛି । ଏହାକୁ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଦପ୍ତରରାଞ୍ଚଳ ତଥା ପ୍ରଶାସନିକସ୍ତରରେ ଭୂୟସୀ ପ୍ରସଂଶା ମିଳିଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଗଞ୍ଜାମ ଏସପି ଜଗମୋହନ ମୀନା ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଭାବେ ପରିଦର୍ଶନରେ ଆସି ଛତ୍ରପୁରର ପ୍ରେସ କ୍ଲବ ର ସମସ୍ତ ସଦସ୍ୟ ତଥା ସାମ୍ବାଦିକଙ୍କୁ ଭୂରି ଭୂରି ପ୍ରସଂଶା କରି କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥି ସାଂଗକୁ ଶୃଙ୍ଖଳିତ ଭାବେ ଏହି ମେଗା ଶିବିରକୁ ପରିଚାଳନା କରି ସଫଳତା ଆଣିଥିବା ହେତୁ ଏହି ଦୁଇ ସାହେବ ଛତ୍ରପୁର ପ୍ରେସ କ୍ଲବ ପରିବାର କୁ ସାଧୁବାଦ ଜଣାଇଛନ୍ତି ।
ଚଳିତବର୍ଷ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ରକ୍ତଦାନ ପାଇଁ କେହି ଆଗକୁ ଆସୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ରୋଗୀମାନଙ୍କ ହିତ ନିମନ୍ତେ ଦୁଇ ପାଦ ଆଗକୁ ଆସି ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ । ଯାହାକି ବ୍ରହ୍ମପୁର ବଡମେଡିକାଲର ରକ୍ତ ଭଣ୍ଡାରରେ ଆବଶ୍ୟକ ପଡୁଥିବା ରକ୍ତର ଅଭାବ ଦୂର କରିବା ପାଇଁ ଛତ୍ରପୁର ପ୍ରେସ କ୍ଲବ ପରିସରରେ ଆୟୋଜିତ ଏହି ଶିବିରରେ ୧୨୧ ୟୁନିଟ ରକ୍ତ ସଂଗ୍ରହ କରାଯାଇ ବ୍ରହ୍ମପୁର ବଡ ମେଡିକାଲର ରକ୍ତ ଭଣ୍ଡାରକୁ ହସ୍ତାନ୍ତର କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା, ଛତ୍ରପୁର ସଦର ଥାନାଧିକାରୀ ସତ୍ଯ ରଞ୍ଜନ ପ୍ରଧାନ, ଏନ.ଏ.ସି.ର ଉପାଧ୍ୟକ୍ଷ ଜି. ପାପା ରାଓ, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀଙ୍କ ସମେତ ବହୁ ଗଣ୍ୟମାନ୍ୟବ୍ୟକ୍ତି ଶିବିରରେ ଯୋଗଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ ।
ଗଞ୍ଜାମଜିଲ୍ଲାର ସୋରଡା ନିକଟସ୍ଥ ବରଗଡ ଅଞ୍ଚଳର ଦାସକାଠିଆ-ଲୋକନୃତ୍ୟ କଳାକାର ଦେବେନ୍ଦ୍ର ନାଥ ଦାଶ ଓ ସାଥି ବୃନ୍ଦାବନ ଗୌଡ ରକ୍ତଦାନର ମହତ୍ତ୍ୱ ଉପରେ ଆଧାରିତ କରି ଦାସକାଠିଆ ପରିବେଷଣ କରିଥିଲେ ।
ସେଲଫି ପଏଣ୍ଟର ବ୍ୟବସ୍ଥାପନାରେ ସେଠି ଫୋଟୋ ପୋଜ୍ ନେଇ ମାନପତ୍ର ପ୍ରଦାନ କରି ରକ୍ତଦାତା ଙ୍କୁ ଉତ୍ସାହିତ କରାଯାଇଥିଲା ।
ବ୍ରହ୍ମପୁର ରକ୍ତ ଭଣ୍ଡାରର ମେଡିକାଲ ଅଫିସର ଡ଼ା.ଚିନ୍ମୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ଚିନ୍ମୟ କୁମାର ବେହେରା, ଚନ୍ଦ୍ର ଶେଖର ଗୌଡ, ରାମହରି ପଣ୍ଡା, ଲକ୍ଷ୍ମଣ ବେହେରା, ବସନ୍ତ ବେହେରା ପ୍ରମୁଖ କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହୋଇ ଏହି ଶିବିରରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ୍
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.