ପାଳନ ହେବ ସୈନିକ ସ୍କୁଲ,ଭୁବନେଶ୍ୱରର ହୀରକ ଜୟନ୍ତୀ

0 39


ଭୁବନେଶ୍ୱର : ସୈନିକ ସ୍କୁଲ,ଭୁବନେଶ୍ୱରର ହୀରକ ଜୟନ୍ତୀ ଆଗାମୀ ଡିସେମ୍ବର ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଏହି ଉତ୍ସବକୁ ମହାସମାରୋହରେ ପାଳନ କରାଯିବା ପାଇଁ ବିଦ୍ୟାଳୟ ଏବଂ ବିଦ୍ୟାଳୟର ପୂରାତନ ଛାତ୍ର ପରିଷଦ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା ସମ୍ପର୍କରେ ଆଜି ପ୍ରେସ୍ ବିବୃତ୍ତି ମାଧ୍ୟମରେ ବିଦ୍ୟାଳୟର ଅଧ୍ୟକ୍ଷ ଓ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତାବୃନ୍ଦ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।


ସୈନିକ ସ୍କଲ,ଭୁବନେଶ୍ୱର ୧୫ ଜାନୁଆରୀ, ୧୯୬୨ ରେ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନର ନିଜସ୍ୱ ଅଟ୍ଟାଳିକାକୁ ୮ ଜାନୁଆରୀ ,୧୯୬୪ ମସିହାରେ ଭୂତପୂର୍ବ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଉଦ୍ ଘାଟନ କରିଥିଲେ । ଏହି ଶିକ୍ଷାନୁଷ୍ଠାନ ୬୦ ବର୍ଷ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ସେବା ପ୍ରଦାନ କରିବା ପରେ ଏବର୍ଷ ଏହାର ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଛି । ଚଳିତ ବର୍ଷ ସୈନିକ ସ୍କୁଲର ହୀରକ ଜୟନ୍ତୀ ସହିତ ବିଦ୍ୟାଳୟ ପୁରାତନ ଛାତ୍ର ପରିଷଦର ୫୦ ତମ ବର୍ଷ ବା ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବ । ହୀରକ ଜୟନ୍ତୀର ତାରିଖ ପାଖେଇ ଆସୁଥିବା ବେଳେ ପୃଥିବୀର ବିଭିନ୍ନ କୋଣ ଅନୁକୋଣରେ ଥିବା ଏହି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ସେମାନଙ୍କର ପରିବାର ସହିତ ଏଥିରେ ଯୋଗଦେବା ପାଇଁ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି । ଦୀର୍ଘ ସମୟର ବ୍ୟବଧାନ ପରେ ଏଠାରେ ସେମାନେ ନିଜ ନିଜର ପୁରାତନ ସହପାଠୀ, ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଭେଟି ପୂର୍ବ ସ୍ମୃତିଚାରଣ କରିବାର ସୁଯୋଗ ଲାଭ କରିବେ । ବିଦ୍ୟାଳୟ ତରଫରୁ ସମସ୍ତ ପୂର୍ବତନ ଅଧ୍ୟକ୍ଷ, ପ୍ରଧାନ ଶିକ୍ଷକ, ନିବନ୍ଧକ ଏବଂ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ନିମନ୍ତ୍ରିତ କରାଯାଇଛି ।


କାର୍ଯ୍ୟସୂଚୀ ଅନୁସାରେ ଡିସେମ୍ବର ୨୪ ତାରିଖରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଉତ୍ସବରେ ଯୋଗଦେବେ । ମୁଖ୍ୟ ଅତିଥିଙ୍କୁ ରାଜ୍ୟ କୃଷି, କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ତଥା ପୁରାତନ ଛାତ୍ର ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଦ୍ୟାଳୟର ଅଧ୍ୟକ୍ଷ କର୍ଣ୍ଣେଲ ବାଲୁ ଭରତ, ଲେଫ୍ଟନାଣ୍ଟ ଜେନେରାଲ ଜେ.କେ. ମହାନ୍ତି (ଅବସରପ୍ରାପ୍ତ) ଏବଂ ପୁରାତନ ଛାତ୍ର ପରିଷଦର ସଭାପତି ଶ୍ରୀ ହରଦମନ ସିଂ ସ୍ୱାଗତ କରିବେ । ମାନ୍ୟବର ମୁଖ୍ୟମନ୍ତ୍ରୀ, ସୈନିକ ସ୍କୁଲର ପ୍ରତିଷ୍ଠାତା ଶ୍ରୀ ବିଜୁ ପଟ୍ଟନାୟକଙ୍କର ଆବକ୍ଷ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ୮ ନଭେମ୍ବର ୨୦୨୦ ରେ ଜାମୁ କାଶ୍ମିର ସୀମାନ୍ତରେ ଉଗ୍ରବାଦୀଙ୍କ ସହିତ ଅସୀମ ସାହସର ସହିତ ଲଢେଇ କରି ଶହୀଦ୍ ହୋଇଥିବା ମରଣେତ୍ତର ସୌର୍ଯ୍ୟଚକ୍ର ଉପାଧିପ୍ରାପ୍ତ କ୍ୟାପଟେନ୍ ଆଶୁତୋଷ କୁମାରଙ୍କ ପିତାମାତାଙ୍କୁ ଅଭିନନ୍ଦନ ଜଣାଇବେ ।
ଡିସେମ୍ବର ୨୫ ତାରିଖ ଉତ୍ସବର ୨ୟ ଦିବସରେ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶହୀଦଙ୍କ ଉଦ୍ଦେଶ୍ୟରେ ମାଲ୍ୟାର୍ପଣ କରିବେ । ଏଥି ସହିତ ସେ ପୁରାତନ ଛାତ୍ର ପରିଷଦର ସ୍ମରଣିକା ଉନ୍ମୋଚନ କରିବା ସହ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସମ୍ମାନିତ କରିବେ ଏବଂ କ୍ୟା଼ଡେଟ୍ ମାନଙ୍କୁ ଉତ୍ସାହିତ କରିବେ । ଏହି ଉତ୍ସବରେ ଯୋଗ ଦେଉଥିବା ଅନ୍ୟ ଅତିଥିମାନେ ହେଲେ, ଲେଫ୍ଟନାଣ୍ଟ ଜେନେରାଲ ଅନୀଲ କୁମାର ସାମନ୍ତରା, ଏସ୍, ଏମ୍.ଡି.ଜି.ଇନଫାଣ୍ଟ୍ରି, କମୋଡର ସୋମେନ ବାନାର୍ଜୀ, ଡିଡିଜି ଏନ୍.ସି.ସି.ନିର୍ଦ୍ଦେଶାଳୟ ଏବଂ କମୋଡର ଏନ୍.ପି.ପ୍ରଦୀପ, କମାଣ୍ଡିଙ୍ଗ ଅଫିସର,ଆଇ.ଏନ୍,ଏସ୍,ଚିଲିକା । ଦୁଇ ଦିନର ଏହି ଉତ୍ସବରେ ପାରା ଜମ୍ପିଙ୍ଗ, ଡଗ୍ ଶୋ, ମକ୍ ଓ୍ୱାର, ଜିମ୍ନାଷ୍ଟିକ୍ସ, ଆର୍ମିବ୍ୟାଣ୍ଡ, ନାଭାଲ ବ୍ୟାଣ୍ଡ ଏବଂ ପୁରାତନ ଛାତ୍ରମାନଙ୍କର ବ୍ୟାଚ୍ ଅନୁସାରେ ମାର୍ଚ୍ଚପାଷ୍ଟ ପ୍ରଭୃତି ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୨୪ ଡିସେମ୍ବର ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଗୋଟିପୁଅ, ସିଂହାରୀ, ପୁରୁଲିଆ, ଛଉନୃତ୍ୟ, ତାଳବାଦ୍ୟ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ୨୫ ଡିସେମ୍ବର ସାଂସ୍କୃତିକ ସଂଧ୍ୟାରେ ଓଡିଶାର ସୁନାମଧନ୍ୟ ଗାୟକ ଶ୍ରୀ ଋତୁରାଜ ମହାନ୍ତି ମଞ୍ଚରେ ନିଜର କଣ୍ଠର ଯାଦୁରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିବେ । ଏଥି ସହିତ ସକାଳ ସମୟରେ ଏକ ସ୍ୱାସ୍ଥ୍ୟସେବା ଏବଂ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବ । ତତ୍ ସହିତ ପୁରାତନ ଛାତ୍ର ଏବଂ ଅଧ୍ୟୟନ ରତ ଛାତ୍ରମାନଙ୍କ ମଧ୍ୟରେ ବାସ୍କେଟବଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ଉତ୍ସବରେ ପ୍ରାୟ ୩୫୦୦ ପୁରାତନ ଛାତ୍ରଛାତ୍ରୀ ଯୋଗଦେବେ ବୋଲି ଜଣାଯାଇଛି । ଏହି ଉତ୍ସବକୁ ସଫଳ କରିବା ପାଇଁ ସ୍କୁଲ କର୍ମକର୍ତ୍ତା, ପୁରାତନ ଛାତ୍ର ପରିଷଦ ଏବଂ କ୍ୟାଡେଟ୍ ମାନଙ୍କ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଆଜି ଅନୁଷ୍ଠିତ ପ୍ରେସ୍ ବିବୃତ୍ତି କାର୍ଯ୍ୟକ୍ରମରେ ସୈନିକ ସ୍କୁଲର ଅଧ୍ୟକ୍ଷ କର୍ଣ୍ଣେଲ୍ ବାଲୁ ଭରତ, ଉପାଧ୍ୟକ୍ଷା ଊଷା ସଙ୍ଗଓ୍ୱାନ,ପୁରାତନ ଛାତ୍ର ପରିଷଦର ସଭାପତି ଶ୍ରୀ ହରଦମନ ସିଂ,ଲେଫ୍ଟନାଣ୍ଟ ଜେନେରାଲ ଏନ୍.ପି.ପାଢୀ(ପି.ଭି.ଏସ୍.ଏମ୍.,ଭି.ଏସ୍.ଏମ୍), ଅବସରପ୍ରାପ୍ତ, ପୁରାତନ ଛାତ୍ର ସଂସଦର ସଭ୍ୟ ତଥା ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ମଧୁସୂଦନ ପାଢୀ,ପୁରାତନ ଛାତ୍ର ପରିଷଦର ସଂପାଦକ ସିଡିଆର୍ ଦୀନେଶ ସ୍ୱାଇଁ(ଅବସରପ୍ରାପ୍ତ), ପୁରାତନ ଛାତ୍ର ପରିଷଦର ପୂର୍ବତନ ସଭାପତି ଶ୍ରୀ ପ୍ରୀତିଶ ବାସା ପ୍ରମୁଖ ଯୋଗଦେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ଭୁବନେଶ୍ୱର ଇପିଏ ରୁ ବିରୁ ସାହୁଙ୍କ ରିପୋର୍ଟ ଇପିଏ ନିଉଜ (ଇଷ୍ଟେର୍ଣ ପ୍ରେସ ଏଜେନ୍ସି )

Leave A Reply

Your email address will not be published.