ଧାମରା, ରେଳବାଇ, ଜଙ୍ଗଲ ବିଭାଗ ନାଁରେ ଠକେଇ: ଓଡ଼ିଶାରେ ୫ ବର୍ଷରେ ୭ କ୍ଲୋନ୍ ୱେବ୍‌ସାଇଟ୍

0 5

କଟକ : ସାଇବର୍ ଅପରାଧୀ ଓଡ଼ିଶାରେ ସରକାରୀ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଓ ସପିଂ ୱେବ୍‌ସାଇଟକୁ ଟାର୍ଗେଟ୍ କରିଛନ୍ତି। ନିୟମିତ ଭାବେ ଗଲା ୫ ବର୍ଷ ଭିତରେ ୭ଟି ପ୍ରମୁଖ ୱେବ୍‌ସାଇଟ୍ କ୍ଲୋନ୍ କରି ସାଧାରଣ ଲୋକଙ୍କୁ ଠକିଲେଣି ଗ୍ରାହକ। ଅସଲ ୱେବ୍‌ସାଇଟକୁ ଅନ୍‌ଲାଇନ୍‌ରେ ହିଁ କପି କରି ଆଉ ଏକ ୱେବ୍‌ସାଇଟ୍ ପ୍ରସ୍ତୁତ ହେଉଛି। ଏହାରି ମାଧ୍ୟମରେ ଗ୍ରାହକଙ୍କୁ ଠକାଯାଉଛି। କଟକରେ ଆମାଜନର ଏକ କ୍ଲୋନ୍ ୱେବ୍‌ସାଇଟ୍‌ ମାଧ୍ୟମରେ ଜଣେ ସ୍ନାତକୋତ୍ତର ଛାତ୍ରଙ୍କ ଟଙ୍କା ହଡ଼ପ ହେବାପରେ ଏଭଳି କେଳେଙ୍କାରୀକୁ ନେଇ ଇଣ୍ଟରନେଟ୍ ବ୍ୟବହାରକାରୀ ଭୟ ଓ ଦ୍ବନ୍ଦ୍ବରେ ପଡ଼ିଯାଇଛନ୍ତି।
ସୂଚନା ଅନୁଯାୟୀ, ସାଇବର୍ ଅପରାଧୀମାନେ ଇଣ୍ଟର୍‌ନେଟ୍ ବ୍ୟବହାରକାରୀଙ୍କୁ ଠକିବାକୁ ଏବେ ମୂଳ ୱେବ୍‌ସାଇଟ୍‌କୁ କ୍ଲୋନ୍ କରିବା ପାଇଁ ନିର୍ଦ୍ଦିଷ୍ଟ ଭାବେ https://webzip.en.softonic.com/, https://www.httrack.com/ ଇତ୍ୟାଦି ଭଳି ୱେବ୍‌ସାଇଟ୍ ବ୍ୟବହାର କରୁଛନ୍ତି। ଯେଉଁ ୱେବ୍‌ସାଇଟ୍‌କୁ କପି କରିବାକୁ ଚାହୁଁଛନ୍ତି ଏହି ୱେବ୍‌ସାଇଟ୍‌ ମାଧ୍ୟମରେ ହିଁ କରାଯାଉଛି। କ୍ଲୋନ୍ ହୋଇଥିବା ୱେବ୍‌ସାଇଟ୍‌ରେ ମୁଖ୍ୟତଃ କଣ୍ଟାକ୍ଟ, ଇନକ୍ବାରି, ଫିଡବ୍ୟାକ୍ ଅପସନରେ କ୍ଲିକ୍ କଲେ ଖୋଲି ନଥାଏ। ଗୋଟିଏ ୱେବ୍‌ସାଇଟକୁ କେତେଜଣ ଲୋକ ସର୍ଚ୍ଚ କରିଛନ୍ତି, ଏହାକୁ ଜାଣିବାକୁ ସାଧାରଣତଃ ୱେବ୍‌ପେଜ୍‌ରେ ଏକ କାଉଣ୍ଟର ଅପସନ୍ ଥାଏ। ଏଥିରେ ୱେବସାଇଟ୍ ଖୋଲିଥିବା ଲୋକଙ୍କ ସଂଖ୍ୟା ଲେଖାଥାଏ। କିନ୍ତୁ କ୍ଲୋନ୍ ହୋଇଥିବା ୱେବସାଇଟରେ ଏସବୁ ନଥାଏ। ଏଥିରୁ ହିଁ ଜଣେ ଇଣ୍ଟରନେଟ୍ ବ୍ୟବହାରକାରୀ ଜାଣିପାରିବେ, ଏହା କ୍ଲୋନ ଅଥବା ୱେବସାଇଟ୍। ସାଧାରଣତଃ ସରକାରୀ ୱେବସାଇଟରେ ଡୋମେନ୍ ନାଁ (.gov.in ଏବଂ nic.in)ରୁ ହିଁ ଜଣାପଡ଼ିଯିବ ଏହି ଵେବ୍‌ସାଇଟ୍‌ ଠିକ୍ ବୋଲି। ନଚେତ୍‌ ଏହି ୱେବ୍‌ସାଇଟ୍‌ର ବିଶ୍ବସନୀୟତା ଉପରେ ସନ୍ଦେହ କରାଯାଇପାରେ।
ଭୁବନେଶ୍ବର ଗଙ୍ଗନଗର ଅଞ୍ଚଳର ବ୍ୟବସାୟୀ ଶୁଭଜିତ୍‌ ପଟ୍ଟନାୟକ ମହିଳାଙ୍କ ପୋଷାକ ବିକ୍ରି ଉଦ୍ଦେଶ୍ୟରେ www.fashionaxe.com ୱେବ୍‌ସାଇଟ୍‌ ଖୋଲିଥିଲେ। ୨୦୧୭ ମାର୍ଚ୍ଚ ୨୬ରେ ଶୁଭଜିତଙ୍କ ୱେବସାଇଟ୍ ସାଇବର୍ ଅପରାଧୀ କ୍ଲୋନ୍ କରି ତଥ୍ୟ ଚୋରି କରିନେଇଥିବା ମାର୍ଚ୍ଚ ୩୧ରେ କ୍ରାଇମ୍‌ବ୍ରାଞ୍ଚରେ ଏତଲା ହୋଇଥିଲା। ୨୦୧୮ ମାର୍ଚ୍ଚ ୧୫ ରେ କ୍ରାଇମବ୍ରାଞ୍ଚରେ ଦ୍ବିତୀୟ ମାମଲା ହୋଇଥିଲା। ଧାମରା ବନ୍ଦର ଠିକଣାରେ ‘ଗ୍ରାଜୁଏଟ୍‌ ଇଞ୍ଜିନିୟର ଟ୍ରେନି˚’ ନାଁରେ ୧୦୫ ପଦବି ସ˚କ୍ରାନ୍ତ ନିଯୁକ୍ତି ପାଇଁ ଫେବ୍ରୁଆରିରେ ୱେବସାଇଟ୍‌ http://dhamraport.in ରେ ବିଜ୍ଞାପନ ପ୍ରକାଶ ପାଇଥିଲା। ବିଜ୍ଞପ୍ତି ଆଧାରରେ ରାଜ୍ୟର ପ୍ରାୟ ୨୦୦ରୁ ଅଧିକ ଇଞ୍ଜିନିୟରିଂ ଛାତ୍ର ଆବେଦନ କରିଥିଲେ। ଆବେଦନ ବାବଦ ୨୨ ଲକ୍ଷରୁ ଅଧିକ ଟଙ୍କା ପ୍ରାର୍ଥୀମାନେ କ୍ଲୋନି˚ ହେଇଥିବା ୱେବ୍‌ସାଇଟ୍‌ ମାଧ୍ୟମରେ ଅନ୍‌ଲାଇନ୍‌ ଜମା କରିଥିଲେ। ସାଇବର୍ ଅପରାଧୀ ଏହି ଟଙ୍କା ଠକି ନେଇଥିଲେ।
ଓଡ଼ିଶା ଫରେଷ୍ଟ କର୍ପୋରେସନ୍, ଭୁବନେଶ୍ବର ରେଳବାଇ ରିକ୍ରୁଟମେଣ୍ଟ ସେଲ୍ ଓ ବୋର୍ଡର ଦୁଇଟି ୱେବସାଇଟ ବି କ୍ଲୋନ ହୋଇଥିଲା। ଭୁବନେଶ୍ବର ରିଜିଓନାଲ କଲେଜ ଅଫ୍ ମ୍ୟାନେଜମେଣ୍ଟ(ଆରସିଏମ) ନାଁରେ ନକଲି ୱେବସାଇଟ୍ http://rcmindia.org.in ୨୦୨୧ ଜୁନ ୪ ତାରିଖରେ ତିଆରି ହୋଇଥିଲା। ସମାନ ଧରଣର ଆଉ ଏକ ଠକେଇ କଟକରେ ଗଲା ୨୮ ତାରିଖରେ ଘଟିଛି। ଜଣେ ସ୍ନାତକୋତ୍ତର ଛାତ୍ର ଦେବବ୍ରତ ପଣ୍ଡଙ୍କୁ ଆମାଜାନରେ ଚାକିରି ଦେବାକୁ କହି ୧୫ ହଜାର ଟଙ୍କା ସାଇବର୍ ଅପରାଧୀ ଠକିନେଇଥିବା କଟକ ସାଇବର୍ ଥାନାରେ ଅଭିଯୋଗ ହୋଇଛି। ଠକ ଅବିକଳ ଆମାଜନ ୱେବସାଇଟ୍ ଭଳି ଦେଖିବାକୁ http://amzn558.com/pc.html#/pages/login/login ରେ ଦାମୀ ସାମଗ୍ରୀ କିଣିବାକୁ କହି ଟଙ୍କା ଠକିଥିଲେ।
ସାଇବର୍ ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁଯାୟୀ, ହ୍ବାଟସ୍‌ଆପ୍ କିମ୍ବା ଫେସବୁକ ମେସେଞ୍ଜରରେ ଆସୁଥିବା କୌଣସି ୱେବସାଇଟ୍ ଲିଙ୍କ୍ ଖୋଲିବା ଉଚିତ ନୁହେଁ। ଓଡ଼ିଶାରେ ଆଜି ଯାଏ ଯେତେକ କ୍ଲୋନ୍ ୱେବ୍‌ସାଇଟ୍ ଘଟଣା ସାମନାକୁ ଆସିଛି, ଅଭିଯୋଗକାରୀଙ୍କ ମୋବାଇଲକୁ ଆସିଥିବା ଲିଙ୍କ ଖୋଲି କ୍ଲୋନ୍ ହୋଇଥିବା ୱେବ୍‌ସାଇଟ୍ ମାଧ୍ୟମରେ ସାଇବର୍ ଠକଙ୍କ ହାବୁଡ଼ରେ ପଡ଼ିଛନ୍ତି।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.