ସରପଞ୍ଚ ସଂଘର ସାଧାରଣ ବୈଠକ
ବ୍ଳକର ପ୍ରଶାସନ ର ପାତର ଅନ୍ତର ନୀତିକୁ ବିରୋଧ

ସୁବର୍ଣ୍ଣପୁର,,: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସରପଞ୍ଚ ସଂଘର ବାର୍ଷିକ ସାଧାରଣ ବୈଠକ ସ୍ଥାନୀୟ ଜଳସେଚନ ବିଭାଗର ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଅଛି। ବ୍ଳକ ସଭାନେତ୍ରୀ ତଥା ସରପଞ୍ଚ ସଂଘର ସଭାପତି ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନୁଦାନ ପ୍ରଦାନରେ ବ୍ଳକ ପ୍ରଶାସନ ଦ୍ବାରା ପାତର ଅନ୍ତର ନୀତି ଓ ଅନୈତିକ ପ୍ରକ୍ରିୟା ଅବଲମ୍ବନ କରାଯାଉଥିବା ନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ବିଭିନ୍ନ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକଙ୍କ କାର୍ଯ୍ୟ ଶୈଳୀ,ଅନେକ ପଞ୍ଚାୟତ ରେ ଗ୍ରାମରୋଜଗାର ସେବକ ଅନୁପସ୍ଥିତି ସହ ସିଏଫ ଓ ଏସଏଫସି , ସ୍ବଚ୍ଛ ଭାରତ ମିଶନ, ମନରେଗା ରେ ଅର୍ଥ ପ୍ରଦାନ ରେ ବ୍ଳକ ପ୍ରଶାସନର ଟାଳଟୁଳ ନୀତି ପାଇଁ ସଂଘ ତରଫରୁ ବ୍ଳକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବା ଉପରେ ଆଲୋଚନା ହୋଇଥିଲା। ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ପରିଲକ୍ଷିତ ହେଉଥିବା ତ୍ରୁଟି, ବ୍ଳକ ପ୍ରଶାସନ ଗ୍ରାମ ପଞ୍ଚାୟତ ଦ୍ବାରା ପିଡିଏସ ସାମଗ୍ରୀ ଉଠାଣ ସମ୍ପର୍କରେ ଜଣାଉ ନଥିବା, ଜଙ୍ଗଲ ବିଭାଗ ଦ୍ବାରା କେତେକ ପଞ୍ଚାୟତର ଜବକାର୍ଡ ଧାରୀଙ୍କୁ ସଠିକ୍ ଭାବେ ପ୍ରାପ୍ୟ ପ୍ରଦାନ କରାନଯିବା ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା। ବୈଠକରେ ସମ୍ପାଦକ ତଥା ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟନାରାୟଣ ନନ୍ଦ, ସୁବଳୟା ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର,ମୁର୍ଷୁଣ୍ଢି ସରପଞ୍ଚ ମନୋଜ କୁମାର ସାହୁ, ଖଣ୍ଡହତା ସରପଞ୍ଚ ଜୟଶ୍ରୀ ଦେହୁରୀ,ସଂଗ୍ରାମପୁର ସରପଞ୍ଚ ଅଳକା କର୍ମୀ,କମିରା ସରପଞ୍ଚ ଅନୁସୟା ପଧାନ, ପିତାମହୁଲ ସରପଞ୍ଚ ଆକସ୍ମିତା ବଢେଇ, କେନଝରିଆ ପାଲି ସରପଞ୍ଚ ସସ୍ମିତା ଦୀପ,ଚମ୍ପାମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା, ହିଲୁଙ୍ଗ ସରପଞ୍ଚ ବନିତା ସେଠି, ବାଗବର ସରପଞ୍ଚ ନିରୂପମା ବଗର୍ତ୍ତି, ଜଟେସିଂହା ସରପଞ୍ଚ ସୁନୀତା ପଧାନ, ବହଳପଦର ସରପଞ୍ଚ ନିରୂପମା ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ମତବ୍ୟକ୍ତ କରିଥିଲେ। ଶେଷରେ ମହେନ୍ଦ୍ର ଜଗଦଲା ଧନ୍ୟବାଦ ଅର୍ପଣ କରିଥିଲେ।
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )