ବିଜେପି ଛାଡ଼ି ଟିଏମ୍ସିକୁ ଡେଇଁଥିଲେ, ଏବେ ଇଡି ରାଡାର୍ରେ
ନୂଆଦିଲ୍ଲୀ: ‘ଦିଦି’ଙ୍କ ଦଳ ଉପରେ ଇଡିର ନଜର। ମୋଦି ସରକାର ଆସିବା ପାଖରୁ ଏଯାବତ ବିଭିନ୍ନ ପ୍ରସଙ୍ଗରେ ଦିଦିଙ୍କ ଦଳୀୟ ନେତାଙ୍କ ଦୁଆର ଉପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନଜର ରଖିଥିବା ଜଣାପଡିଛି। ପୂର୍ବରୁ ଅଭିଷେକ ବାନାର୍ଜୀ, ମୁକୁଲ ରୟ ଓ ପାର୍ଥ ଚାଟାର୍ଜୀଙ୍କ ଏବଂ ଅନ୍ୟ ନେତାଙ୍କୁ ଇଡି ତଦନ୍ତ କରୁଛି। ଏବେ ଏହି ତଦନ୍ତ ପରିସରଭୁକ୍ତ ହେବାକୁ ଯାଉଛନ୍ତି ଆଉ ଜଣେ ଟିଏମ୍ସି ନେତା। ଯିଏକି ନିକଟରେ ବିଜେପି ଛାଡି ଦିଦିଙ୍କ ଦଳକୁ ଡିଆଁ ମାରିଥିଲେ।
ବିଜେପି ଛାଡି ତ୍ରୁଣମୂଳ କଂଗ୍ରେସରେ ମିଶିଥିବା ବିଧାୟକ କୃଷ୍ଣ କଲ୍ୟାଣୀ ଏବେ ଇଡି ରାଡାର୍ରେ। ବିଧାୟକଙ୍କ ଖାଦ୍ୟ ଓ ଖାଦ୍ୟ ତେଲ କମ୍ପାନୀକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ୍ ଜାରି କରିଛି। ସୂଚନା ଅନୁସାରେ ତାଙ୍କ କମ୍ପାନୀ ଓ ଦୁଇଟି କୋଲକାତା ଭିତ୍ତିକ ଚ୍ୟାନେଲ ମଧ୍ୟରେ ସନ୍ଦେହଜନକ ଆର୍ଥିକ କାରବାର ସମ୍ପକୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବିତ ଟିଏମ୍ସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହାୟକଙ୍କଠାରୁ ଇଡି କୋଟି କୋଟି ଟଙ୍କା ଉଦ୍ଧାର କରିବା ପରେ ଏହି କଥା ସାମ୍ନାକୁ ଆସିଛି। ଆଶା କରାଯାଉଛି ଯେ ଦଳୀୟ ବିଧାୟକ କୃଷ୍ଣ କଲ୍ୟାଣୀଙ୍କୁ ଯେକୌଣସି ସମୟରେ ଇଡି ପଚରାଉଚରା କରିବାକୁ ଡାକିପରେ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳରେ ଯୋଗଦେବା ପୂର୍ବରୁ କଲ୍ୟାଣୀ ବିଜେପିରେ ଥିଲେ। ସେ ୨୦୦୨ରେ ପ୍ରତିଷ୍ଠିତ ଖାଦ୍ୟ ଉତ୍ପାଦନକାରୀ ସଂସ୍ଥା କଲ୍ୟାଣୀ ସୋଲଭେକ୍ସ ପ୍ରାଇଭେଟ ଲିମିଟେଡର ମାଲିକ ଅଟନ୍ତି। ସେ ୨୦୨୧ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ବିଧାନସଭାରୁ ଇସ୍ତଫା ନ ଦେଇ ସେ ତ୍ରୁଣମୂଳରେ ଯୋଗ ଦେଇଥିଲେ। ଇଡି ସୂତ୍ରରୁ ପ୍ରକାଶ ଯେ କୋଲକାତା ଭିତ୍ତିକ ଦୁଇଟି ଚ୍ୟାନେଲ ସହିତ ବିଧାୟକଙ୍କ କମ୍ପାନୀର ବେଆଇନ ଆର୍ଥିକ କାରବାର ଚାଲିଛି। ଯାହାକୁ ନେଇ ଇଡି ଏବେ ଉକ୍ତ କମ୍ପାନୀଙ୍କୁ ନୋଟିସ ଜାରି କରିଛି।
ଉଲ୍ଲେଖନୀୟ କଥା, ଅର୍ପିତା ମୁଖାର୍ଜୀଙ୍କ ଘରୁ କୋଟି କୋଟି ଟଙ୍କା ମିଳିବା ପରେ ତ୍ରୁଣମୂଳ କଂଗ୍ରେସ ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କଠାରୁ ନିଜକୁ ଦୂରେଇ ରଖିଛି। ଏକଦା କୋଲକାତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତର ଥିବା ଚାଟାର୍ଜୀଙ୍କୁ ଗୁରୁବାର ଦିନ ଦଳ ମନ୍ତ୍ରୀ ପଦରୁ ବରଖାସ୍ତ କରିଥିଲା। ସମସ୍ତ ପାର୍ଟି ପୋଷ୍ଟରୁ ମଧ୍ୟ ତାଙ୍କୁ ବିହିସ୍କାର କରାଯାଇଥିଲା। ୨୦୧୬ ମସିହାରେ ସେ ଶିକ୍ଷା ମନ୍ତ୍ରୀ ଥିବାବେଳେ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଏବଂ କର୍ମଚାରୀ ନିଯୁକ୍ତି ପାଇଁ କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ରହିଛି।
ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )