ରାଜ୍ୟ ଇତିହାସରେ ପ୍ରଥମ, ଓକିଲାତି କରିବେ କିନ୍ନର ସଲ୍ମା
କେନ୍ଦୁଝର: ସଂଘର୍ଷ ଆଣିଦେଲା ସଫଳତା । ରାଜ୍ୟ ଇତିହାସରେ ପ୍ରଥମ ଥର ପାଇଁ କଳାକୋଟ ପିନ୍ଧିଲେ କିନ୍ନର ସଲମା । ଏହାପୂର୍ବରୁ ସେ ପୋଲିସ ବିଭାଗର SI ପରୀକ୍ଷା ପାଇଁ ଆବେଦନ କରି ଚର୍ଚ୍ଚାର ପରିଧିକୁ ଆସିଥିଲେ । ବର୍ତ୍ତମାନ ସେ ରାଜ୍ୟ ବାର୍ କାଉନ୍ସିଲରେ ବିଧିବଦ୍ଧ ଭାବେ ନାମ ପଞ୍ଜୀକରଣ କରିଛନ୍ତି ।
ଏହାକୁ ନେଇ ସଲମା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, “ରାଜ୍ୟ ବାର୍ କାଉନ୍ସିଲ୍ ସଦସ୍ୟ ହେବା ପାଇଁ ମୀରା ପରିଡ଼ାଙ୍କ ପ୍ରେରଣା ଏବଂ ପ୍ରୋତ୍ସାହନ ରହିଛି । ସମାଜର ଅବହେଳିତ, ନିଷ୍ପେସିତ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ଉଦ୍ଦେଶ୍ୟ ରଖି ସେ ଓକିଲାତି କ୍ଷେତ୍ରକୁ ଆସିଛନ୍ତି ।”
ପ୍ରଥମେ ସେ ବଡ଼ବିଲ କୋର୍ଟରେ ଆଇନ ଅଭ୍ୟାସ କରିବେ ବୋଲି କହିଛନ୍ତି । ଏହି ସଂଘର୍ଷର ରାସ୍ତା ସଲମାଙ୍କ ପାଇଁ ସହଜ ନଥିଲା । ଶାରୀରିକ ବ୍ୟତିକ୍ରମ ପାଇଁ ତାଙ୍କୁ ସହିବାକୁ ପଡ଼ିଛି ଅକଥନୀୟ ଲାଞ୍ଛନା ଆଉ ନିର୍ଯାତନା । ସାମାଜିକ ତାଡ଼ନାର ଶିକାର ହେବାକୁ ପଡ଼ିଛି । ଜୀବନର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜର ସମ୍ପର୍କୀୟମାନେ ହାତ ଛାଡ଼ି ଦେଇଥିବାବେଳେ ଶିକ୍ଷା ହିଁ ଦେଖାଇଲା ଆଶାର ଆଲୋକ । ଯାହାକୁ ପୁଞ୍ଜି କରି ଆଇନଜୀବୀ ପାଲଟିଛନ୍ତି ସଲମା । କଳାକୋଟ ପିନ୍ଧିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି କିନ୍ନର ମହମ୍ମଦ ସଲିମ୍ ଓରଫ୍ ସଲ୍ମା ବେଗମ୍ ।
ଜଣେ କିନ୍ନର ଆଇନଜୀବୀ ପାଲଟିବା ରାଜ୍ୟ ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ପଛୁଆ ବର୍ଗ ଏବଂ କିନ୍ନର ହୋଇଥିବାରୁ ପାଠପଢ଼ାରେ ଅନେକ ଝଡ଼ଝଞ୍ଜା ଆସିଥିଲା । ସେସବୁକୁ ଭୃକ୍ଷେପ ନକରି ଲକ୍ଷ୍ୟସ୍ଥଳରେ ପହଞ୍ଚିଛନ୍ତି ସଲମା । ସରକାର କିନ୍ନରଙ୍କୁ ଅଧିକାର ଦେବା ପାଇଁ ଟ୍ରାନ୍ସଜେଣ୍ଡର ପ୍ରୋଟେକ୍ସନ ଆଇନ ୨୦୧୯ ଓ ରୁଲ୍ – ୨୦୨୦ କାର୍ଯ୍ୟକାରୀ କରିଛନ୍ତି । ଏହାପରେ ସେ ସରକାରୀ ଯୋଜନାରେ ସାମିଲ ହୋଇପାରିଛନ୍ତି । କୁତ୍ସିତ ମାନସିକତାକୁ ଭୁଲି ମାଆବାପା ସେମାନଙ୍କ କିନ୍ନର ପିଲାଙ୍କୁ ପାଠ ପ୍ରତି ପ୍ରତ୍ସାହିତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହାଦ୍ବାରା ହିଁ ସମାଜରେ କିନ୍ନରଙ୍କ ପ୍ରତି ଥିବା ଚିନ୍ତାଧାରା ବଦଳି ପାରିବ ବୋଲି ସେ କହିଛନ୍ତି ।
ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )