ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡ

0 24

ଭଦ୍ରକ: ଭଦ୍ରକର ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ୍ ଆଶିଷ କୁମାର ତ୍ରିପାଠୀ ଏକ ବଧୂ ହତ୍ୟା ମାମଲାର ବିଚାର କରି ବାଂଶଡା ଥାନା ଅନ୍ତର୍ଗତ କେସରପୁର ଗ୍ରାମର ରମାକାନ୍ତ ବାରିକଙ୍କ ପୁତ୍ର ଟୁଟୁ ଓରଫ କୈଳାସ ବାରିକ (୩୮)କୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଆଇପିସିର ଦଫା ୩୦୨ରେ ଆଜୀବନ ଜେଲ ଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ ସ୍ବାମୀ ଟୁଟୁ ଓରଫ କାଳିଆ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ରଘୁନାଥଜୀଉ ଗ୍ରାମର ଫକିର ଚରଣ ବାରିକଙ୍କ କନ୍ୟା ଗୌରୀଲତାଙ୍କୁ ୨୦୧୪ ମସିହା ଅକ୍ଟୋବର ମାସରେ ବିବାହ କରିଥିଲା। ବିବାହ ସମୟରେ କନ୍ୟାପିତା ପରିବାର ତରଫରୁ ନଗଦ ୫୦୦୦୦ ଟଙ୍କା ସହ ସମସ୍ତ ଘର କରଣା ଜିନିଷ, ଗହଣା ଯୌତୁକ ଆକାରରେ ଦିଆ ଯାଇଥିଲା। କିନ୍ତୁ ବିବାହର ମାତ୍ର ୮ ମାସ ପରେ ପୁଣି ଅଧିକ ଯୌତୁକ ଦାବି କରି ଗୌରିଲତାଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦେବା ସହ ମାରଧର କରୁଥିଲା। ଉଭୟ ସ୍ବାମୀ ଓ ସ୍ତ୍ରୀ ଗତ ୨୦୧୫ ମସିହା ଏପ୍ରିଲ ୯ ତାରିଖ ନିଜ ବେଡରୁମରେ ରାତିରେ ଶୋଇଥିଲେ। ଏତିକି ବେଳେ କାଳିଆ ନିଜର ସ୍ତ୍ରୀ ଗୌରିମଣୀକୁ ମାଡମାରି ଏକ ପ୍ଲାଷ୍ଟିକ ଦଉଡ଼ିରେ ଚାପି ଜୀବନରୁ ମାରି ଦେଇଥିଲା। ପରେ ତାକୁ ଡାକ୍ତରଖାନାକୁ ନେଇ ଆସିବା ପରେ ପିତା ଫକିର ଚରଣ ଖବର ପାଇ ତିହିଡି ମେଡିକାରେ ଯାଇ ଦେଖିଲେ ଗୌରିମଣିକୁ ହତ୍ୟା କରାଯାଇ ଥିବା ଅଭିଯୋଗ କରି ଚାନ୍ଦବାଲି ଥାନାରେ ଲିଖିତ ଭାବରେ ଜଣାଇବା ପରେ ପୁଲିସ ଅଭିଯୁକ୍ତ କୈଳାସ ବାରିକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସେହିଦିନରୁ ସେ ବିଚାରାଧିନ ବନ୍ଦୀ ଭାବରେ ଜେଲରେ ଅଟକ ରହିଛି। ଏ ମାମଲାରେ କୌଣସି ପ୍ରତ୍ୟକ୍ଷଦର୍ଶୀ ସାଖି ନ ଥିଲେ ମଧ୍ୟ ପାରିପାର୍ଶିକ ସାକ୍ଷୀମାନଙ୍କ ବୟାନ ଓ ଅଭିଯୁକ୍ତ କୈଳାସର ଦୋଷ ସ୍ବୀକାର ଜମାନବନ୍ଦୀ ଓ ହତ୍ୟାରେ ବ୍ୟବହୃତ ଦଉଡିକୁ ପୁଲିସକୁ ଦେଇଥିବାର ବୟାନକୁ ଭିତ୍ତି କରି ଅଭିଯୁକ୍ତକୁ ଉପରୋକ୍ତ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ବାଂଶଡା ଥାନାର ତତକାଳୀନ ଥାନା ଅଧିକାରୀ ଗୋକୁଳାନନ୍ଦ ଦାସଙ୍କ ସମୟୋପଯୋଗୀ ପଦକ୍ଷେପ, ପ୍ରମାଣଯୋଗ୍ୟ ତଥ୍ୟ ଓ ଦୁରଦୃଷ୍ଟି ସଂପୂର୍ଣ୍ଣ ତଦନ୍ତ ଯୋଗୁଁ ଅଭିଯୁକ୍ତ ଆଇନର ହାତରୁ ଖସି ଯିବାରେ ସକ୍ଷମ ହୋଇ ପାରିଲା ନାହିଁ ବୋଲି ମମଲା ପରିଚାଳନା କରୁଥିବା ସରକାର ଓକିଲ ପ୍ରଦିପ୍ତ ସାମଲ କହିଛନ୍ତି। ମାମଲାଟିକୁ ଅଭିଯୋଗକାରୀଙ୍କ ତରଫରୁ ଶ୍ରୀ ସାମଲଙ୍କ ସହ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଅରୁଣ କୁମାର ମିଶ୍ର ଓ ସୂର୍ଯ୍ୟକାନ୍ତ କୁଅଁର ପରିଚାଳନା କରୁଥିଲେ।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.