ମାନସ ରଞ୍ଜନ ବାରିକଙ୍କ ବହୁ ପ୍ରତିକ୍ଷିତ ପୁସ୍ତକ ‘ଅଣୁଗଳ୍ପ ମାନସାଙ୍କ’ ଲୋକାର୍ପିତ

0 4

ମାନସ ରଞ୍ଜନ ବାରିକଙ୍କ ବହୁ ପ୍ରତିକ୍ଷିତ ପୁସ୍ତକ ‘ଅଣୁଗଳ୍ପ ମାନସାଙ୍କ’ ଆଜି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ଆଜି ଉନ୍ମୋଚିତ ହୋଇଛି l ପୋଲିସ୍ ଏକାଡେମୀ ନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସ୍ଵତନ୍ତ୍ର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ବିଶିଷ୍ଟ ଗାଳ୍ପିକ ଶିବ ମିଶ୍ର ପ୍ରମୁଖ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଆଜି ବହିଟିକୁ ଲୋକାର୍ପିତ କରିଥିଲେ । ଶ୍ରୀ ବାରିକ ଓଡ଼ିଶାର ଜଣେ ଦକ୍ଷ ପୋଲିସ ଅଧିକାରୀ ହୋଇଥିବା ବେଳେ ସେ ଜଣେ ଭଲ ଲେଖକ ଓ କବି ମଧ୍ୟ l ସମୟ ସମୟରେ ସେ କ୍ଷୁଦ୍ର କବିତା ଏବଂ ଅଣୁଗଳ୍ପ ଲେଖି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥାନ୍ତି l ତାଙ୍କର ଗଳ୍ପ କବିତା ଗୁଡିକ ପ୍ରାୟତଃ ସାମ୍ପ୍ରତିକ ସମାଜରେ ମାନବୀୟ ଦୃଷ୍ଟିଭଙ୍ଗୀକୁ ଇଙ୍ଗିତ କରିଥାଏ l ଦୀର୍ଘଦିନର ସାଉଁଟା ଅଭିଜ୍ଞତାରୁ ବାସ୍ତବ ଘଟଣାମାନଙ୍କୁ ଛୋଟ କାହାଣୀ ଓ ଚରିତ୍ର ମାଧ୍ୟମରେ ଚିତ୍ରିତ କରିଥାନ୍ତି ସେ । ଭୁବନେଶ୍ୱରସ୍ଥିତ ପଶ୍ଚିମା ପବ୍ଲିକେଶନ ଦ୍ୱାରା ପ୍ରକାଶିତ ଉକ୍ତ ପୁସ୍ତକରେ ସମୁଦାୟ ୨୦୭ ଟି ଅଣୁଗଳ୍ପ ଅଛି ଯେଉଁଥିରୁ ସବୁଠୁଁ କ୍ଷୁଦ୍ରତମ ଗଳ୍ପ ଗୋଟିଏ ବାକ୍ୟରେ ଏବଂ ଦୀର୍ଘତମ ଗଳ୍ପ ପାଞ୍ଚଗୋଟି ବାକ୍ୟରେ ଲେଖା ହୋଇଛି ବୋଲି ଗାଳ୍ପିକ କହିଛନ୍ତି । ଉକ୍ତ ପୁସ୍ତକ କୋଡିଏ ଗୋଟି ଥିମକୁ ନେଇ ଗଠିତ ହୋଇଥିବା ବେଳେ ପ୍ରତ୍ୟେକ ଥିମରେ ଦଶଗୋଟି ଅଣୁଗଳ୍ପ ରହିଅଛି l

ଅଣୁଗଳ୍ପ ବିଭାଗ ଓଡ଼ିଆ ସାହିତ୍ୟରେ ସମ୍ପୂର୍ଣ୍ଣ ନୂତନ ଧାରା ହୋଇ ନଥିଲେ ମଧ୍ୟ ଏହି ବିଭାଗରେ ଅନେକ କିଛି କରିବାର ଅଛି ବୋଲି ବିଶିଷ୍ଟ ଗାଳ୍ପିକ ଶିବ ମିଶ୍ର ପ୍ରକାଶ କରିଛନ୍ତି । ପୁସ୍ତକଟିକୁ ସମୀକ୍ଷା କରି ଶ୍ରୀ ମିଶ୍ର କହିଛନ୍ତି ଏହା ସବୁ ବର୍ଗର ବ୍ୟକ୍ତିଙ୍କ ପାଇଁ ଉଦିଷ୍ଟ ଏବଂ ଏହି ପୁସ୍ତକ ଓଡ଼ିଆ ସାହିତ୍ୟରେ ଅଣୁଗଳ୍ପ ବିଭାଗ ପାଇଁ ଅନେକ ପ୍ରତିଶ୍ରୁତି ଦେଇଛି l ମୁଖ୍ୟତଃ ଚିତ୍ରକଳ୍ପରେ ପରିପୂର୍ଣ୍ଣ ଥିବା ଗଳ୍ପ ଗୁଡିକ ଆଙ୍ଗୀକରେ କ୍ଷୁଦ୍ର କିନ୍ତୁ ଆତ୍ମିକ ଦୃଷ୍ଟିରୁ ମର୍ମସ୍ପର୍ଶୀ ଓ ଚେତନା ପ୍ରବାହୀ । ଅନେକାଂଶରେ ଟୁଇଷ୍ଟ, ଟର୍ନ୍, ମୋହଭଙ୍ଗ ଏବଂ ଅଯୌକ୍ତିକ ବଦ୍ଧମୂଳ ଧାରଣା ମାନଙ୍କର ମୂଳୋତ୍ପାଟନରେ ଗଳ୍ପ ସବୁ ପର୍ଯ୍ୟବେସିତ ହୋଇଛି । ମୁଖ୍ୟବକ୍ତାଙ୍କ ମତରେ ଗାଳ୍ପିକ ସ୍ତରୀଭୂତ ସତ୍ୟ ମାନଙ୍କର ଅନାବରଣ କରିବାକୁ ଚେଷ୍ଟା କରିଛନ୍ତି । ସତ୍ୟ ଏକ ହୋଇପାରେ କିନ୍ତୁ ତାକୁ ଦେଖିବାର ଦୃଷ୍ଟିଭଙ୍ଗୀ ଏନେକ ଥାଏ । କୌଣସି ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ବିପରୀତଧର୍ମୀ ଚିନ୍ତାଧାରା କେମିତି ସହଜରେ ସହାବସ୍ଥାନ କରିପାରନ୍ତି ସେ ବିଷୟରେ ଏହି ସଂକଳନର ଅନେକ ଗଳ୍ପ ଦିଗନିର୍ଦ୍ଦେଶ କରିଛି । ଅଣୁଗଳ୍ପର ସ୍ଵଳ୍ପ କାୟାରେ ଅତି ସହଜରେ ବହୁତ କିଛି ବଖାଣିବାର ଚେଷ୍ଟା ଗାଳ୍ପିକ କରିଛନ୍ତି ବୋଲି ସମ୍ମାନିତ ଅତିଥି ମତବ୍ୟକ୍ତ କରିଥିଲେ । ଆଗରୁ ସାମାଜିକ ଗଣମାଧ୍ୟମରୁ ଏହି ସଙ୍କଳନର ଅନେକ ଝଲକ ପାଠକ ମାନେ ପାଇଥିବେ ବୋଲି ମୁଖ୍ୟ ଅତିଥି କହିଥିଲେ । ବହିର ପ୍ରଚ୍ଛଦପଟ୍ଟରୁ ଜଣା ପଡେ ଗାଳ୍ପିକ ସିନ୍ଧୁକୁ ବିନ୍ଦୁରେ ଦେଖେଇବାକୁ ଚେଷ୍ଟା କରିଛନ୍ତି । ଉକ୍ତ ପୁସ୍ତକ ‘ଅଣୁଗଳ୍ପ ମାନସାଙ୍କ’ ସବୁ ବର୍ଗର ପାଠକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ମୁଖ୍ୟ ଅତିଥି l ଏହାଦ୍ୱାରା ପୋଲିସ୍ ଡିପାର୍ଟମେଣ୍ଟର ନୂଆ ଅଫିସର ମାନେ ଉତ୍ସାହିତ ହେବେ ବୋଲି ମୁଖ୍ୟ ଅତିଥି ଆଶା ପୋଷଣ କରିଛନ୍ତି । ବିଶିଷ୍ଟ ଶିକ୍ଷାବିତ୍ ତଥା ଚିଲିକା ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ଟ୍ରେନିଂ ଏକାଡେମୀ ଡିଏସ୍ପି ଗୌରିଶଙ୍କର ଶିବ ପ୍ରସାଦ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

ଭୁବନେଶ୍ୱର ଇପିଏ ରୁ ବିରୁ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.