ବିଧାନସଭା ସାମ୍ନାରେ ବୀଭତ୍ସ ହତ୍ୟାକାଣ୍ଡ: ସନ୍ଦେହରେ ଦୁଇ ଅଟକ

0 20

ଭୁବନେଶ୍ବର: ରାଜଧାନୀର ସବୁଠୁ ହାଇସିକ୍ୟୁରିଟି ଅଞ୍ଚଳ ବିଧାନସଭା ସାମ୍ନାରେ ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ପୁଲିସ ସନ୍ଦେହରେ ୨ ଜଣଙ୍କୁ ଅଟକ ରଖିଥିବାର ସୂଚନା ମିଳିଛି। ଉଭୟଙ୍କୁ ଖାରବେଳନଗର ଥାନା ପୁଲିସ ପଚରାଉଚରା ଜାରି ରଖିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ସୋମବାର ସକାଳ ପାଖାପାଖି ୬ଟାରେ ଜଣେ ସିକ୍ୟୁରିଟି ଗାର୍ଡ ପିଏମ୍ଜିକୁ ଲାଗି କରି ରହିଥିବା ପୋଷ୍ଟାଲ ଏଟିଏମ୍ କାଉଣ୍ଟର୍ ଖୋଲିବା ପାଇଁ ଆସିଥିଲେ। ଜଣେ ଯୁବକ ଓ ମହିଳା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପାଖରେ ଛୋଟିଆ ପୁଅ କାନ୍ଦୁଥାଏ। ଚାରିଆଡ଼େ ବୋହିଥାଏ ରକ୍ତର ଧାର। ଏଭଳି ସ୍ଥିତି ଦେଖି ସେ ଭୟଭୀତ ହୋଇପଡ଼ିଥିଲେ। ସେ ସେମାନଙ୍କୁ ଡାକିଥିଲେ। ହେଲେ କେହି ଜବାବ ଦେଇନଥିଲେ। ସିକ୍ୟୁରିଟି ଗାର୍ଡଜଣକ ତୁରନ୍ତ ସେଠାକାର ଚା’ ଦୋକାନୀ ଓ ଅନ୍ୟ ସିକ୍ୟୁରିଟି ଗାର୍ଡଙ୍କୁ ଘଟଣା ବିଷୟରେ ଜଣାଇଥିଲେ।
ଖବର ପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବବୁଲୁଙ୍କ ମୃତ୍ୟୁ ହୋଇ ସାରିଥିବା ଜଣାପଡ଼ିଥିବା ବେଳେ ପତ୍ନୀ ପୂଜାଙ୍କ ଶ୍ବାସକ୍ରିୟା ଚାଲିଥିଲା। ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ଛୋଟ ପୁଅକୁ ଚାଇଲ୍ଡଲାଇକୁ ହସ୍ତାନ୍ତର କରାଯାଇଥିଲା। ପିଲାକୁ ଭଗବାନ ବଞ୍ଚାଇଦେଲେ ବୋଲି ସ୍ଥାନୀୟ ଲୋକଙ୍କ ଭିତରେ ଆଲୋଚନା ଚାଲିଥିଲା। ଏହାପରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିଲା। ବବୁଲଙ୍କ ଡାହାଣ ପଟ କାନମୁଣ୍ଡାରେ ଗଭୀର କ୍ଷତ ରହିଥିବା ବେଳେ ପୂଜାଙ୍କ ଡାହାଣ ପଟ ମୁଣ୍ଡ ଓ ମୁହଁ ଫାଟି ଯାଇଥିଲା।
ପାରିପାର୍ଶ୍ବିକ ସ୍ଥିତି ଯାହା କହୁଛି, ରବିବାର ରାତିରେ ଦମ୍ପତି ଖାଇ ସାରି ପୁଅକୁ ନେଇ ଏଟିଏମ୍ ସମ୍ମୁଖରେ ମଶାରି ଟାଙ୍ଗି ଶୋଇଥିଲେ। କେହି ଦୁର୍ବୃତ୍ତ ବବୁଲୁଙ୍କ କାନମୁଣ୍ଡାକୁ ବହ୍ଲାରେ ବାରମ୍ବାର ଆକ୍ରମଣ କରିଥିଲା। ଆକ୍ରମଣ ଫଳରେ ଡାହଣପଟ କନମୁଣ୍ଡାରେ ଗଭୀର କ୍ଷତରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସ୍ବାମୀକୁ ଆକ୍ରମଣ ହେଉଥିବା ଦେଖି ପୂଜା ପ୍ରତିବାଦ କରିଥିବା ଅନୁମାନ କରାଯାଉଛି। ଏହା ପରେ ଦୁର୍ବୃତ୍ତ ତାଙ୍କୁ ମଧ୍ୟ ଆକ୍ରମଣ କରି ଫେରାର୍ ହୋଇଯାଇଥିଲା।
ଉକ୍ତ ଦମ୍ପତି ଶ୍ରମିକ ଶ୍ରେଣୀର ହୋଇଥିବାରୁ ପାଖରେ କିଛି ଟଙ୍କା ରହିଥିବା ମଧ୍ୟ ଅନୁମାନ କରାଯାଉଛି। କେହି ଦୁର୍ବୃତ୍ତ ଟଙ୍କା ଲୁଟିବାକୁ ଆସି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। କିମ୍ବା ପୂର୍ବରୁ କୌଣସି କାମକୁ ନେଇ ଟଙ୍କା ଭାଗବଣ୍ଟାକୁ ଏପରି କାଣ୍ଡ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଅପରାଧୀମାନେ କିନ୍ତୁ ହତ୍ୟାକାଣ୍ଡ ଘଟାଇବାକୁ ପୂରା ପ୍ରସ୍ତୁତ ହୋଇ ଆସିଥିଲେ ବୋଲି ସ୍ପଷ୍ଟ ହୋଇଯାଇଛି। ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଜବତ କରି ପୁଲିସ ଯାଞ୍ଚ ଆରମ୍ଭ କରିଛି। ସେହିପରି ସେଠାରେ ରାତିରେ ବୁଲୁଥିବା ଲୋକଙ୍କୁ ମଧ୍ୟ ସ୍କାନର୍କୁ ନେଇଛି ପୁଲିସ। ଆଇଜି ପାର୍କ ପାଖରେ ରାତିରେ ବୁଲୁଥିବା କେତେଜଣଙ୍କୁ ପଚରାଉଚରା କରାଯାଇଛି। ସ୍ଥାନୀୟ ଅଞ୍ଚଳରୁ ପୁଲିସ ତଥ୍ୟ ସଂଗ୍ରହ କରୁଛି। କାହା ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା କି? ସେ ଦିଗରେ ମଧ୍ୟ ପୁଲିସ ଛାନଭିନ୍ ଚଳାଇଛି। ସେହିପରି ପୂଜାଙ୍କ ବୟାନକୁ ମଧ୍ୟ ପୁଲିସ ଅପେକ୍ଷା କରିଛି। ଖୁବ୍ ଶୀଘ୍ର ମାମଲାର ପର୍ଦ୍ଦାଫାସ୍ ହେବ ବୋଲି ଜଣେ ପୁଲିସ ଅଧିକାରୀ କହିଥିଲେ।

ଈପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.