ବିଧାୟକ ମହମ୍ମଦ ମୋକିମଙ୍କ ଦାୟର ଆବେଦନ ସୁପ୍ରିମକୋର୍ଟରେ ଖାରଜ

0 11

ନୂଆଦିଲ୍ଲୀ: ବାରବାଟୀ-କଟକ ଆସନ ନିର୍ବାଚନ ମୋକଦ୍ଦମାରେ ହାଇକୋର୍ଟଙ୍କ ୨୦୨୨, ଜୁନ୍ ୨୦ର ନିର୍ଦ୍ଦେଶ ବିରୋଧରେ ବିଧାୟକ ମହମ୍ମଦ ମୋକିମ ଦାୟର କରିଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ୍‌ ଏସ୍‌.କେ. କଉଲ ଓ ଜଷ୍ଟିସ୍‌ ଏମ୍‌.ଏମ୍‌. ସୁନ୍ଦରେଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ମୋକିମ୍‌ଙ୍କ ସ୍ପେସାଲ୍‌ ଲିଭ୍ ପିଟିସନ୍‌କୁ ଖାରଜ କରିଛନ୍ତି। ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ୍‌ ରହିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବାରବାଟୀ-କଟକ ଆସନ ନିର୍ବାଚନକୁ ନେଇ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରା‌ୟ ରୁଜୁ କରିଥିବା ନିର୍ବାଚନୀ ମୋକଦ୍ଦମାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଖାରଜ ପାଇଁ ବିଧାୟକ ଶ୍ରୀ ମୋକିମ୍ ସିପିସିର ଅର୍ଡର ୭, ରୁଲ୍‌ ୧୧ ଅନୁସାରେ ଏକ ପିଟିସନ୍‌ ହାଇକୋର୍ଟରେ ଦାଖଲ କରିଥିଲେ। ନିର୍ବାଚନୀ ମୋକଦ୍ଦମା ଗ୍ରହଣୀୟ ନୁହେଁ, ତେଣୁ ଏହାକୁ ଖାରଜ କରାଯାଉ ବୋଲି ପିଟିସନ୍‌ରେ ଦର୍ଶାଯାଇଥିଲା। ଶ୍ରୀ ମୋକିମଙ୍କ ଏହି ପିଟିସନ୍‌କୁ ହାଇକୋର୍ଟ ଗତ ଜୁନ୍ ୨୦ରେ ଖାରଜ କରିଥିଲେ। ହାଇକୋର୍ଟ ‌ବିଧାୟକଙ୍କ ଆବେଦନକୁ ଅଗ୍ରାହ୍ୟ କରିବା ସହିତ ୫ ହଜାର ଟଙ୍କା ‘କଷ୍ଟ୍‌’ ବାବଦରେ ଶ୍ରୀ ସାମନ୍ତରାୟଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ରାୟ ପ୍ରକାଶ ପରେ ବିଧାୟକ ଶ୍ରୀ ମୋକିମଙ୍କ ବିରୋଧରେ ନିର୍ବାଚନ ମୋକଦ୍ଦମାର ଶୁଣାଣି ଚାଲିବ ବୋଲି ସ୍ପଷ୍ଟ ହୋଇଥିଲା। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଶ୍ରୀ ମୋକିମ୍‌ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଏଥି ସହିତ ଆଜି ଏ ସମ୍ପର୍କିତ ନିର୍ବାଚନୀ ମୋକଦ୍ଦମାର ମଧ୍ୟ ହାଇକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ୍‌ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଜୁଲାଇ ୧୫ର ନିର୍ଦ୍ଦେଶ ପାଳନ କରି କଟକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତରଫରୁ ଉପ-ଜିଲ୍ଲାପାଳ, ଶ୍ରୀ ମୋକିମଙ୍କ ନାମାଙ୍କନପତ୍ର, ସତ୍ୟପାଠ ସହିତ ରିଟର୍ଣ୍ଣିଂ ଅଫିସର୍‌ ଜାରି କରିଥିବା ଚେକ୍ ଲିଷ୍ଟ ଏକ ମୁଦା ଲଫାପାରେ ଦାଖଲ କରିଥିଲେ। ଏଥି ସହିତ ଆବେଦନକାରୀଙ୍କ ଅନ୍ତରୀଣ ଆବେଦନକୁ ହାଇକୋର୍ଟ ଗ୍ରହଣ କରି ଭୁବନେଶ୍ବର, କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ସହିତ କଟକ ସଦର ଏସ୍‌ଡିଜେଏମ୍‌ ଅଦାଲତରେ ବିଚାରାଧୀନ ମାମଲାର ସାର୍ଟିଫାଏଡ୍‌ କପି ଆବେଦନକାରୀଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୫କୁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ, ବାରବାଟୀ-କଟକ ବିଧାୟକ ଭାବେ ମହମ୍ମଦ ମୋକିମ୍‌ଙ୍କ ନିର୍ବାଚନକୁ ଚାଲେଞ୍ଜ କରି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୯, ଅଗଷ୍ଟ ୨୬ରେ ହାଇକୋର୍ଟ ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରିବା ସହିତ ବିଧା‌ୟକଙ୍କୁ ନୋଟିସ୍ ଜାରି କରି ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବାରବାଟୀ-କଟକ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମୋକିମ ବିଜୟୀ ହୋଇଥିବାବେଳେ ନାମାଙ୍କନପତ୍ର ଦାଖଲ ସମୟରେ ସେ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ତାହା ଅସମ୍ପୂର୍ଣ୍ଣ ବୋଲି ଅଭିଯୋଗ ହୋଇଥିଲା। ଦାଖଲ ନିର୍ବାଚନୀ ମୋକଦ୍ଦମାରେ ଦର୍ଶାଯାଇଥିଲା ଯେ ପ୍ରତିପକ୍ଷ ନିଜ ସତ୍ୟପାଠରେ ବହୁ ତଥ୍ୟ ଲୁଚାଇଥିଲେ। ସତ୍ୟପାଠରେ ତାଙ୍କ ନାଁରେ ଥିବା ବିଭିନ୍ନ ମାମଲା ସଂକ୍ରାନ୍ତରେ ସଠିକ ତଥ୍ୟ ଦିଆଯାଇନାହିଁ। ସମ୍ପତ୍ତି ସମ୍ପର୍କରେ ମଧ୍ୟ ସତ୍ୟପାଠରେ ଠିକ୍ ତଥ୍ୟ ଉଲ୍ଲେଖ କରାଯାଇ ନାହିଁ। ନାମାଙ୍କନ ଦାଖଲ ସମୟ‌ରେ ଶ୍ରୀ ମୋକିମ୍‌ ଦାଖଲ କରିଥିବା ସତ୍ୟପାଠରେ ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବାରୁ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ। ଏଥି ସହିତ ବାରବାଟୀ-କଟକ ଆସନ ପାଇଁ ସାନି ନିର୍ବାଚନ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ଶ୍ରୀ ସାମନ୍ତରାୟ ନି‌ବେଦନ କରିଥିଲେ। ଶ୍ରୀ ସାମନ୍ତରାୟଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମିଲନ୍‌ କାନୁ‌ନ୍‌ଗୋ, ଆଇନଜୀବୀ ଗୋପାଳ ଅଗ୍ରୱାଲ୍‌ ଓ ସିଦ୍ଧାର୍ଥ ଦାସ ମାମଲା ପରିଚାଳନା କରୁଛନ୍ତି।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.