ଗୋଟେ ଜୁଇରେ ଜଳିଲା ମାଁ ଓ ପୁଅର ଚିତା
ଗୋଟେ ଜୁଇରେ ଏକାସଙ୍ଗେ ଜଳିଲା ମାଁ ଓ 7 ବର୍ଷର କୁନି ପୁଅର ଚିତା l ସାପ କାମୁଡାରେ ଏକା ସଙ୍ଗେ ଚାଲିଗଲେ ମାଁ ଓ ପୁଅ l ଗୋଟେ ଦିନରେ ପରିବାରର ଦୁଇ ଦୁଇଟି ଜୀବନ ଚାଲିଯାଇଥିବା ଘଟଣାରେ ଆଜି ସ୍ତବ୍ଧ ହୋଇପଡିଛି ଗାଁ ସାରା l ଗ୍ରାମବାସୀଙ୍କ ମନରେ କୋହ ଭରିରହିଥିବା ବେଳେ ସମସ୍ତଙ୍କ ଆଖିରେ ଝରିପଡ଼ୁଛି ଲୁହ ଏବଂ କେହି କାହାର ମୁଁହକୁ ଅନାଇ ପାରୁନାହାନ୍ତି l ଦୁଃଖରେ ଭାଙ୍ଗିପଡିଚନ୍ତି ପରିବାର ଲୋକେ ଓ ଗ୍ରାମବାସୀ l ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବାଇପାଲି ଗ୍ରାମରେ l
ବାଇପାଲି ଗ୍ରାମର ନିବାସୀ କ୍ଷିରୋଦ୍ର ପଧାନ ତାଙ୍କ ପତ୍ନୀ ଓ ଦୁଇ ପୁଅଙ୍କ ସହିତ ରାତିରେ ସୋଇଥିବା ବେଳେ ଏକ ବିଷଧର ସାପ 36 ବର୍ଷୀୟ ପତ୍ନୀ ସୁନୀତା ପଧାନ ଏବଂ ସାତ ବର୍ଷ ର ପୁତ୍ର ପିଉସଙ୍କୁ କାମୁଡି ଦେଇଥିଲା l ତେବେ ଉଭୟ ମାଁ, ପୁଅଙ୍କୁ ରାତି ୩ ଟାରେ ବରଗଡ ହସ୍ପିଟାଲକୁ ଏବଂ ପରେ ବୁର୍ଲାକୁ ଚିକିତ୍ସା ପାଇଁ ନିଆଯାଇ ଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ଉଭୟ ମାଁ ଓ ପୁଅଙ୍କର ମୃତ୍ୟୁ ହୋଇଯାଇଥିଲା l ଉଭୟ ମାଁ ଓ ପୁଅଙ୍କ ମୃତ୍ୟୁ ହୋଇଯାଇଥିବା ଖବର ଗାଁରେ ବ୍ୟାପିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା l ଉଭୟ ମାଁ ଓ କୁନି ପୁଅର ମୃତ ଶବକୁ ଏକାସଙ୍ଗେ ଦେଖି ପରିବାର ଲୋକେ ଧର୍ଯ୍ୟହରା ହୋଇପଡିଥିବାବେଳେ ଗ୍ରାମବାସୀଙ୍କ ମୁଁହରୁ ବାହାରିପଡ଼ୁଥିଲା କୋହ l ଶେଷରେ ଛାତିରେ ପଥର ରଖି ଗ୍ରାମବାସୀ ଉଭୟ ମାଁ ଓ ପୁଅଙ୍କ ଶବକୁ ଗୋଟେ ଜୁଇରେ ସତ୍କାର କରିଥିଲେ l
ବରଗଡ଼ ଇପିଏ ରୁ ସୁବାସ ଦୋରା ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )