ବରିଷ୍ଠ ସାମ୍ବାଦିକ ଅଜିତ ମହାନ୍ତିଙ୍କ ବିୟୋଗରେ ଶୋକ
ଓଡିଶାର ଜଣେ ସୁନାମ ଧନ୍ୟ ଓ ବରିଷ୍ଠ ସାମ୍ବାଦିକ ଅଜିତ ମହାନ୍ତି ଆଜି ଇହଲିଳା ସମ୍ବରଣ କଲେ। ସେ ଜଣେ ଅତି ସରଳ, ସାଧାସିଧା ଓ ବନ୍ଧୁବସ୍ରଳ ମଣିଷ ଥିଲେ । ସାମ୍ବାଦିକତାର ଆତ୍ମାକୁ ଛୁଇଁ ଥିବା ଓ ତା’ର ମୌଳିକ ଧର୍ମକୁ ଧାରଣ କରି ସାମ୍ବାଦିକତା କରିବାରେ ଥିଲେ ଅନନ୍ୟ l ସ୍ବାର୍ଥପରତା ବା ପକ୍ଷପାତିତା ଠାରୁ ଥିଲେ ଅନେକ ଦୂର। ନିଜର ଗତିକୁ ମନ୍ଥର କରି ଚଞ୍ଚଳ କରିଥିଲେ କଲମର ମୁନ। ସେହି ମୁନରେ ଆଙ୍କୁଥିଲେ ବିନ୍ଦୁଏ ସତ୍ୟର ଠିକଣା। ଇପିଏ ପରିବାର ତାଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିବା ସହିତ ପ୍ରଭୂ ଶ୍ରୀଜଗନ୍ନାଥ ତାଙ୍କୁ ପରମଗତି କରାନ୍ତୁ କେବଳ ଏତିକି ପ୍ରାର୍ଥନା। ସାନମାନଙ୍କୁ ସବୁବେଳେ ସ୍ବେହ ଓ ଶ୍ରଦ୍ଧା କରୁଥିଲେ । ଧରିତ୍ରୀ ଓ ସମୟରେ ଦୀର୍ଘ ବର୍ଷ ସାମ୍ବାଦିକତା କରି ଅବସର ନେଇଥିଲେ । ପଢ଼ାପଢ଼ିରେ ତାଙ୍କର ପ୍ରବଳ ରୁଚି ଥିଲା । ଆଧ୍ୟାତ୍ମକ ପୁସ୍ତକ ପ୍ରତି ତାଙ୍କର ଅଧିକ ଦୁର୍ବଳତା ମଧ୍ୟ ଥିଲା ।
ଶ୍ରୀ ମହାନ୍ତି କ୍ୟାନସରରେ ପୀଡ଼ିତ ହୋଇ ଜୀବନ ସହିତ ସଂଗ୍ରାମ କରୁଥିଲେ । ଦୀର୍ଘ ଦିନ ଧରି ବେଙ୍ଗାଲୁରୁରେ ଚିକିସ୍ତିତ ହେଉଥିଲେ । ଦୁଇ ସପ୍ତାହ ତଳେ ତାଙ୍କୁ ଭୁବନେଶ୍ୱର ଅଣାଯାଇ ଏମସ୍ ରେ ଭର୍ତି କରାଯାଇଥିଲା । ତେବେ ତାଙ୍କ ଅବସ୍ଥା ଅତ୍ଯନ୍ତ ଗୁରୁତର ଥିଲା । ଡାକ୍ତରମାନଙ୍କ ସକଳ ଚେଷ୍ଟା ସତ୍ତେ ତାଙ୍କୁ ବଞ୍ଚାଇ ପାରିନାହାନ୍ତି । ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି ) ରିପୋର୍ଟ