ହଂସପାଳ ଫ୍ଲାଏଓଭର୍‌ ନିର୍ମାଣରେ ଲୋକଙ୍କୁ ଭୁଆଁ ବୁଲାଉଛି ଏନ୍‌ଏଚ୍‌ଏଆଇ

0 6

ଭୁବନେଶ୍ବର: ରାଜଧାନୀ ପ୍ରବେଶ ପଥରେ ନିର୍ମାଣ ହେଉଥିବା ହଂସପାଳ ଫ୍ଲାଏଓଭର୍‌ କାମ ଗତ ତିନି ବର୍ଷ ହେଲା ଚାଲିଛି ଯେ, ସରିବାର ନା ଧରୁନି। ଟେଣ୍ଡରବେଳେ ୧୮ମାସରେ ସରିବା ନେଇ ଚୁକ୍ତି ହୋଇଥିଲା। ମାତ୍ର ୩୬ମାସ ବିତିଯାଇଥିଲେ ମଧ୍ୟ ୮୦ଭାଗ କାମ ବି ଶେଷ ହୋଇପାରିନି। ଏବେ କାମ ଯେଉଁଭଳି ମନ୍ଥର ଗତିରେ ଚାଲିଛି ଆଗାମୀ ଦୁଇ ବର୍ଷ ଭିତରେ ଶେଷ ହେବା ଆଶା କ୍ଷୀଣ। ବାରମ୍ବାର କଣ୍ଟ ଗଡ଼ାଇ ଚାଲିଥିବା‌ ଠିକାସଂସ୍ଥା ବିରୋଧରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ) କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅନ୍ୟପକ୍ଷରେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଦିନ ଗଡ଼ାଇ କେବଳ ଭୁଆଁ ବୁଲାଉଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ୨୦୨୦ ଜୁନ୍‌ ୯ରେ କାମ ଆରମ୍ଭ ହୋଇଥିଲା। ଡିସେମ୍ବର ୨୦୨୧ରେ କାମ ଶେଷ ହେବା କଥା। ହେଲେ ଗଛକଟା, ସର୍ଭିସ୍‌ ରୋଡ୍‌ କାମ, ଟ୍ରାଫିକ୍‌ ଡାଇଭର୍ସନ ଆଦି ବିଭିନ୍ନ ଆଳ ଦେଖାଇ ଠିକା ସଂସ୍ଥା ଅବଧି ବଢ଼ାଇ ଚାଲିଛି। ବାରମ୍ବାର ଅବଧି ବଢ଼ି ମାର୍ଚ୍ଚ ୨୦୨୩ରେ କାମ ସଂପୂର୍ଣ୍ଣ ହେବ ବୋଲି ଠିକା ସଂସ୍ଥା ଓ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ କହିଥିଲେ। ହେଲେ ଏବେ ସୁଦ୍ଧା ଆଖିଦୃଶିଆ କାମ ହୋଇପାରିନି। ବର୍ତ୍ତମାନ କିଛି ପ୍ରତିବନ୍ଧକ ନଥାଇ କାମ କାହିଁକି ବିଳମ୍ବ ହେଉଛି ବୋଲି ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି।

ହେଲେ ଏହାର ସଠିକ ଉତ୍ତର କାହା ପାଖରେ ନାହିଁ। ଏନେଇ ସ୍ଥାନୀୟ ବାସିନ୍ଦା ତଥା ଉତ୍ତର ଭୁବନେଶ୍ବର ଉନ୍ନୟନ ପରିଷଦର ସଭାପତି ପ୍ରଭାତ ଦାଶ କହିଛନ୍ତି ଯେ, ଠିକା ସଂସ୍ଥା ଖୁବ୍‌ ମନ୍ଥର ଗତିରେ କାମ କରୁଛି। ଦିନେ କାମ କଲେ ୮ଦିନ କାମ ବନ୍ଦ ରହୁଛି। ଯେତିକି ବି କାମ ହେଉଛି ଠିକ୍‌ ଭାବେ ହେଉନାହିଁ। ଏତେ ସବୁ ଅବ୍ୟବସ୍ଥା ଥିଲେ ମଧ୍ୟ ଠିକାସଂସ୍ଥା ଲାଇସେନ୍ସ ବାତିଲ୍‌ କରିବା କି ତା’ ବିରୋଧରେ ମୋଟା ଅଙ୍କର ଜରିମାନା କରାଯାଉ ନାହିଁ। ସ୍ଥାନୀୟ ବ୍ୟବସାୟୀ କମଳ ବିଶ୍ବାଳଙ୍କ କହିବାନୁସାରେ, କାମ ଯୋଗୁଁ ପ୍ରବଳ ପ୍ରଦୂଷଣ ହେଉଛି। ହେଲେ ଠିକାସଂସ୍ଥା ପକ୍ଷରୁ ପାଣି ସିଞ୍ଚନ କରାଯାଉ ନାହିଁ। ଧୂଳି ଧୂଆଁରେ ଅତିଷ୍ଠ ହୋଇ ଲୋକମାନେ ଏହି ଛକରେ ଥିବା ଦୋକନକୁ ଆସୁନାହାନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ ସଂପୂର୍ଣ୍ଣ ‌ଠପ୍‌ ହୋଇଗଲାଣି। ଅପରପକ୍ଷେ ପ୍ରତିଦିନ ସନ୍ଧ୍ୟାରେ ଟ୍ରାଫିକ୍‌ ସମସ୍ୟା ଉତ୍କଟ ରୂପ ଧାରଣ କରୁଛି।
ଏ ସଂପର୍କରେ ଏନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାତ ସିଂହଙ୍କୁ ପଚାରିବାରୁ ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୬୫ପ୍ରତିଶତ କାମ ଶେଷ ହୋଇଛି। କାମ ବିଳମ୍ବ ନେଇ ଠିକାସଂସ୍ଥାକୁ ନୋଟିସ୍‌ କରାଯାଇଛି। ଆସନ୍ତା ଜୁନ୍‌ ସୁଦ୍ଧା କାମ ଶେଷ କରାଯିବା ନେଇ ଚେଷ୍ଟା କରାଯାଉଛି।
ଉଲ୍ଲେଖଥାଉ କି, ଏନ୍‌ଏଚ୍‌ଏଆଇ ବାରମ୍ବାର ଏଭଳି କଣ୍ଟ ଗଡ଼ାଇ ଚାଲିଛି। ବାସ୍ତବରେ କାମ ଶେଷ ହୋଇପାରୁନି। ତେଣୁ ଖୁବ୍‌ଶୀଘ୍ର ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନେ ମିଶି ଏନ୍‌ଏଚ୍‌ଏଆଇ ଅଫିସ୍‌ ଘେରାଉ କରିବା ସହ ଏକ ବଡ଼ଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି।

ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.