ଏପ୍ରିଲ ୪ରେ ବାପା ଘର ଆସିବେ ମା ସାଆନ୍ତାଣୀ ବୁଢୀ ଠାକୁରାଣୀ

0 18

ବ୍ରହ୍ମପୁର: ବିଶ୍ବ ପ୍ରସିଦ୍ଧ ମାଁ ବୁଢ଼ି ଠାକୁରାଣୀ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ ନେଇ ପୂର୍ବରୁ ବହୁ ଗୁଜବ ଘୁରି ବୁଲୁଥିବା ବେଳେ, ଯାତ୍ରା ଅନୁଷ୍ଠିତ ହେବା ନେଇ ମଧ୍ୟ ଏକ ଭ୍ରମିତ ତାରିଖ ମଧ୍ୟ ପ୍ରଚାର ପ୍ରସାର ହେଉଥିଲା । ତେବେ ଯାତ୍ରାର ଆୟୋଜକ ତଥା ମୁଖ୍ୟ ପରିଚାଳକ ଶ୍ରୀ ଦୁର୍ଗା ପ୍ରସାଦ ଦେଶିବେହେରା ଏକ ସୂଚନା ପତ୍ରରେ ପାରମ୍ପରିକ ସିଦ୍ଧାନ୍ତିଙ୍କ ଠାରୁ ୧୭ ତାରିଖ ନିର୍ଦ୍ଧାରିତ କରିଥିଲେ ।

ସେନେଇ ଶୁକ୍ରବାର ଦିନ ପାରମ୍ପରିକ ରୀତି ନୀତି ଅନୁସାରେ ପ୍ରାତଃ ସମୟରେ ପରିଚାଳନା କମିଟିର ଉପସ୍ଥିତିରେ ଏକ ଢେଣ୍ଡୁରା ବାଜା ବଜାଇ ସହର ସାରା ବୁଲାଇ ସୂଚନା ଦିଆଯାଇଥିଲା । ଏବଂ ରାତ୍ର ସମୟରେ ଏକ ସାଧାରଣ ସଭା ଆୟୋଜନ କରାଯାଇ ସେଥିରେ ଅସ୍ଥାୟୀ ମଣ୍ଡପ ଯାତ୍ରା ନିମନ୍ତେ ସିଦ୍ଧାନ୍ତି ପାଞ୍ଜି ଅନୁସାରେ ଆସନ୍ତା ମାସ ୪ ତାରିଖ ଠାରୁ ମେ ମାସ ୧ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ତାରିଖ ସୁନିଶ୍ଚିତ କରାଯାଇଛି । ଏବଂ ସେହି ତାରିଖରେ ମା ବୁଢୀ ଠାକୁରାଣୀ ସାଆନ୍ତାଣୀଙ୍କୁ ଶାଶୁ ଘରୁ ମା ଘରକୁ ପାଛୋଟି ଅଣାଯିବ। ସେହି ବୈଠକରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ସହ ମାନ୍ୟବର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ଓଡ଼ିଶା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାସ ଚନ୍ଦ୍ର ମହାରଣା, ଡେପୁଟି ମେୟର ଇ.ବିବେକ ରେଡ୍ଡୀଙ୍କ ସମତେ ମହାନଗର ନିଗମର ବହୁ କର୍ପୋରେଟର ଓ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ଉପସ୍ଥିତ ରହି ବହୁ ଆଲୋଚନା କରିବା ପରେ, ସେଠାରୁ ମାଁଙ୍କ ସ୍ଥାୟୀ ମନ୍ଦିର ଯାଇ ମାଙ୍କ ଆଜ୍ଞା ମାଳ ପାଇ ଶୁଭଖୁଣ୍ଟି ପୂଜାର୍ଚ୍ଚନା କରି ଉକ୍ତ ଶୁଭଖୁଣ୍ଟିକୁ ସସମ୍ମାନେ ଆଣି ମାଙ୍କ ବାପା ଘର ଅସ୍ଥାୟୀ ମଣ୍ଡପ ପାର୍ଶ୍ଵରେ ସ୍ଥାପନ କରି ପୂଜାବିଧି ସମ୍ପୂର୍ଣ୍ଣ କରିଥିଲେ।

ଏବଂ ଶୁଭଖୁଣ୍ଟି ସ୍ଥାପନର ନିର୍ଦ୍ଧାରିତ ସମୟ ମଧ୍ୟରେ ଅସ୍ଥାୟୀ ମଣ୍ଡପର ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରି ମାଙ୍କୁ ସ୍ବାଗତ ପାଇଁ ଏକ ବିରାଟ ଭକ୍ତ ସମାଗମ ମଧ୍ୟରେ ମାଙ୍କ ଶାଶୁ ଘର ଯାଇ ମାଙ୍କ ଆଜ୍ଞା ମାଳକୁ ଝିଅ ରୂପରେ ମହା ଆଡ଼ମ୍ବରରେ ସହର ଆଖପାଖ ଅଞ୍ଚଳର ପରିକ୍ରମା କରି ବାପା ଘର ଅସ୍ଥାୟୀ ମଣ୍ଡପରେ ବିରାଜମାନ କରାଯିବ । ପୁଣି ବିଧି ଅନୁସାରେ ଆଗାମୀ ପୂଜାର୍ଚ୍ଚନା ଓ ରୀତିନୀତି କାର୍ଯ୍ୟ ଅନୁଷ୍ଠିତ ହେବା ସହ ଦୈନିକ ରାଜବାଟି ପରିକ୍ରମା ଓ ଆଖପାଖ ଅଞ୍ଚଳର ପରିକ୍ରମା କରି ନିଜ ଭକ୍ତ ମାନଙ୍କ ଭକ୍ତି ପୂର୍ବକ ପୂଜାର୍ଚ୍ଚନା କରାଯାଇ ଥାଏ ବୋଲି ଶ୍ରୀ ଦେଶୀବେହେରା କହିଛନ୍ତି । ତେବେ ଚଳିତ ବର୍ଷ ମାଙ୍କ ଅସ୍ଥାୟୀ ମଣ୍ଡପ ଯାତ୍ରା ପାଇଁ କେଉଁ ଦିନ ବା ତାରିଖ ସୁନିଶ୍ଚିତ କରାଯିବ ଓ କେତେ ଦିନ ରହି ପୂଜା ପାଇବେ ତାହା ଜାଣିବା ପାଇଁ ଅପେକ୍ଷା ରହିଥିବା ବେଳେ, ଚଳିତ ବର୍ଷ ସମୟ ଉଚିତ୍ ଥିବାରୁ ୨୮ ଦିନ ସମୟ ମିଳିଛି । ଏହାସହ ସେ କହିଛନ୍ତି ଯେ, ଗତ ବର୍ଷ କରୋନା ମହାମାରୀ ପାଇଁ ଯାତ୍ରାରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା, ଯେଉଁଥି ପାଇଁ ଭକ୍ତ ମାନେ ମାଁ ଙ୍କ ଦର୍ଶନ କରି ପାରି ନଥିଲେ ଓ ଯାତ୍ରା ବହୁ କମ୍ ଦିନ ବ୍ୟବଧାନ ମଧ୍ୟରେ ଜିଲ୍ଲା ପ୍ରଶାସନ ଯାତ୍ରା ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଚଳିତ ବର୍ଷ ଯଥେଷ୍ଟ ସମୟ ମିଳିଥିବାରୁ ଦେଶିବେହେରା ଭକ୍ତ ବୃନ୍ଦ ମାନଙ୍କୁ ଦର୍ଶନ କରି ଆଶୀର୍ବାଦ ପ୍ରାପ୍ତ ପାଇଁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ କମିଟିର ସଦସ୍ୟ ମାନଙ୍କ ସମେତ ବହୁ ସେବକ ମାନେ ସାମିଲ ହୋଇ ପରିଚାଳନାରେ ସହଯୋଗ କରିଥିଲେ l

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.