ବନ ବିଭାଗ ପକ୍ଷରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର
ବ୍ରହ୍ମପୁର ବନାଞ୍ଚଳ ଅନ୍ତର୍ଗତ ହଲଦିଆପଦର ରାଳବ ରାସ୍ତାରୁ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ବନବିଭାଗ । ସୂଚନା ମୁତାବକ ହଲଦିଆପଦର ରାଳବ ରାସ୍ତାରେ ଥିବା ଅଜିତ ଡାକୁଆଙ୍କ ଘର ନିକଟରେ ଏକ ବଜ୍ରକାପ୍ତା ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ସେମାନେ ବନବିଭାଗର ଅଧିକାରୀଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ । ଖବରପାଇ ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବନପାଳ ବାବୁ ସେଠୀ ଓ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ଜୀବନ୍ତ ବଜ୍ରକାପ୍ତାଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ବଜ୍ରକାପ୍ତାଟିର ଲମ୍ବ ୨ ଫୁଟ ୬ଇଞ୍ଚ ଥିବା ବେଳେ ଏହାର ଓଜନ ପାଖାପାଖି ୫ କିଲୋଗ୍ରାମ ରହିଛି । ବଜ୍ରକାପ୍ତାଟିକୁ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ପରିକ୍ଷା କରାଯାଇଥିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ପ୍ରାଣୀ ଚିକିତ୍ସା ଅଧିକାରୀଣୀ କହିଛନ୍ତି । ଅନ୍ୟପଟେ ବହୁବାର ଏହିପରି ବନ୍ୟଜନ୍ତୁ ଓ ତାହାର ଅଙ୍ଗ ତସ୍କରି ଓ କଳାବଜାରିରେ ଲିପ୍ତ ହୋଇ ବହୁ ଯୁବକ ଟଙ୍କା ଲୋଭରେ ଗିରଫ ହେଉଥିବା ବେଳେ ଏପରି କାର୍ଯ୍ୟରୁ ନିବୃତ ରହିବା ସହ କୌଣସି ଯାଗାରେ ଯଦି କେଉଁ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଛନ୍ତି ତେବେ ସାଧାରଣ ଲୋକେ ବନ ବିଭାଗକୁ ଖବର ଦେବାକୁ ବନାଞ୍ଚଳ ଅଧିକାରୀ କହିଛନ୍ତି ।
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )