ହରିବୋଲ ହୁଳହୁଳିରେ ଗଡିଲା ରୁକ୍କୁଣା ରଥ
ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଶଦ୍ଦରେ ପରିବେଶ ପ୍ରକମ୍ପିତ ହୋଇଉଠୁଥିଲା । ବ୍ୟାକୁଳ ହୋଇ ଅପଲକ ନୟନରେ ସମସ୍ତେ ଚାହିଁରହିଥିଲେ ରଥକୁ । ‘ହଠାତ୍ ଡାହୁକ ଙ୍କ ଡାକରେ ଘଡିଘିଡି ଶଦ୍ଦରେ ରଥ ଗଡିଥିଲା । କରୋନା ଯୋଗୁଁ ଦୁଇ ବର୍ଷ ହେଲା ରଥ ଦେଖି ପାରିନଥିବା ଲକ୍ଷ ଲକ୍ଷ ଭକ୍ତ ଖୁସିରେ ଭାବରେ ନାଚିଉଠିଥିଲେ । ନୀତିକାନ୍ତି ବିଳମ୍ବ ଯୋଗୁଁ ରଥ ମାଉସୀ ମା’ ମନ୍ଦିରରେ ପହଞ୍ଚି ପାରିନଥିଲା । ବଢେଇବାଙ୍କରେ ଅଟକି ଥିଲେ ମହାପ୍ରଭୁ । ତାପରେ ସେଠାରେ ପରବର୍ତୀ ନୀତିକାନ୍ତି କରାଯାଇଥିଲା ।
ସୂଚନାଅନୁଯାୟୀ ଗୁରୁବାର ଅପରାହ୍ନରେ ପୁଣି ରଥଟଣା କରାଯିବ । ଠାକୁରଙ୍କୁ ଲାଗି ହୋଇଥିବା ଅଶୋକ ଫୁଲ କଢ ପାଇବାକୁ ଶ୍ରଦ୍ଧାଳୁଙ୍କ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ବିଭିନ୍ନ ସାଂସ୍କୃତିକ ସଂଗଠନ ପକ୍ଷରୁ ଘୋଡାନାଚ, ଶିବ ତାଣ୍ଡବ ନୃତ୍ୟ, ଓଡିଶି ନୃତ୍ୟ ଓ ଗୋଟିପୁଅ ନୃତ୍ୟ କଳା ପ୍ରଦର୍ଶନ କରିଥିଲେ ।
ଜିଲ୍ଳା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମହାଖଳା ମଣ୍ଡପରେ ରଥ ସମ୍ପର୍କିତ ଧାରା ବିବରଣୀ ପ୍ରଦାନ ଓ ପ୍ରବଚନ ଚାଲିଥିଲା । ସ୍ୱେଚ୍ଛାସେବୀ ଓ ବିଏମ୍ସି ଅନୁଷ୍ଠାନ ପକ୍ଷରୁ ଜଳଛତ୍ର ସହିତ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । ସ୍କାଉଟ ଆଣ୍ଡ ଗାଇଡ୍ ପକ୍ଷରୁ ପାଣି ସିଂଚନ ଏବଂ ବିଭିନ୍ନ ଅନୁଷ୍ଠାନ ତରଫରୁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ।
ଭୁବନେଶ୍ୱର ଇପିଏ ରୁ ବୀରୁ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )