ବ୍ରହ୍ମପୁର ପୋଲିସକୁ ସଫଳତା : ଲୁଟେରା ଗ୍ୟାଙ୍ଗକୁ କଲା କାବୁ, ଜବତ ହେଲା ୪୦ ଲକ୍ଷର ସୁନା

0 9

ବ୍ରହ୍ମପୁର :: ବ୍ରହ୍ମପୁର ପୋଲିସକୁ ସଫଳତା । ସହର ଓ ଉପକଣ୍ଠର ବିଭିନ୍ନ ସ୍ଥାନରୁ ଚୋରି ଏବଂ ଲୁଟ୍‌ପାଟ ଘଟଣାରେ ୫ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଛି । ଏହାସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଚୋରି ସାମଗ୍ରୀ ଜବତ ହୋଇଛି ।
ଖବର ଅନୁଯାୟୀ, ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳର ବ୍ୟବସାୟୀ ସତ୍ୟନାରାୟଣ ରାୟଗୁରୁଙ୍କ ତାଲା ବନ୍ଦ ଘରୁ ୨୦ ଭରି ସୁନା ଅଳଙ୍କାର ଓ ନଗଦ ୩୦ ହଜାର ଟଙ୍କା ଚୋରି ହୋଇଥିଲା। ନିମଖଣ୍ଡି ଥାନା ଅଞ୍ଚଳର ଡାକ୍ତର ଅମୂଲ୍ୟ କୁମାର ମିଶ୍ରଙ୍କ ଘରୁ ୩୯ ଗ୍ରାମ୍ ସୁନା ଅଳଙ୍କାର, ନଗଦ ଟଙ୍କା, ମୋବାଇଲ୍ ଆଦି ଲୁଟି ନେଇଥିଲେ ଦୁର୍ବୃତ୍ତ। ଗୋଳନ୍ଥରା ଥାନା ଅଞ୍ଚଳର ପ୍ରହଲ୍ଲାଦ ନାୟକଙ୍କ ଘରୁ ୩୫ ଗ୍ରାମ୍ ସୁନା ଅଳଙ୍କାର, ନଗଦ ୪୫୦୦ ଟଙ୍କା, ମୋବାଇଲ୍ ଚୋରି କରି ନେଇଥିଲେ ଲୁଟେରା। ଏହି ଥାନା ଅଞ୍ଚଳର କେ.ଦମୟନ୍ତୀଙ୍କ ଘରୁ ୬ ଭରି ସୁନା ଅଳଙ୍କାର, ୧୨ ଭରି ରୁପା ଅଳଙ୍କାର, ନଗଦ ୩୦ ହଜାର ଟଙ୍କା ଚୋରି ହୋଇଥିଲା। ପୋଲିସ ଲଗାତର ଭାବେ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ଜାଲ ବିଛାଇଥିଲା ।
ଶେଷରେ ପୋଲିସକୁ ସଫଳତା ମିଳିଛି । ୪ଟି ପୃଥକ ଚୋରି ଘଟଣାରେ ମୋଟ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହିତ ସେମାନଙ୍କ ନିକଟରୁ ୮୦୫ ଗ୍ରାମର ସୁନା ଅଳଙ୍କାର , ଅଢେଇ କିଲୋ ରୂପା ଅଳଙ୍କାର ଜବତ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି । ଜବତ ସୁନା ଅଳଙ୍କାରର ମୂଲ୍ୟ ୪୦, ୨୭, ୫୦୦ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ତାଲା ପଡ଼ିଥିବା ଓ କେହି ଲୋକ ଉପସ୍ଥିତ ନଥିବା ଘରକୁ ଟାର୍ଗେଟ କରି ଲୁଟପାଟ କରୁଥିଲେ। ଏସପି ଡା ସର୍ବଣା ବିବେକ ଏମ୍ ଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ଟିମ୍ ଗଢ଼ି ଏହି ସବୁ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ ସହ ଲୁଟ୍ ଅଳଙ୍କାର ଉଦ୍ଧାର କରିବାରେ ସଫଳତା ହାସଲ କରିଥିଲେ। ପରେ ଜବତ ସାମଗ୍ରୀକୁ ପ୍ରକୃତ ମାଲିକମାନଙ୍କୁ ଫେରାଇଛି ପୋଲିସ । ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ଏସପି ଡା ସର୍ବଣା ବିବେକ ଏମ୍ ଉଦ୍ଧାର ଅଳଙ୍କାର ୪ ଜଣ ମାଲିକମାନଙ୍କୁ ପ୍ରଦାନ କରିଛନ୍ତି।

 
ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.