ସୁବର୍ଣ୍ଣପୁର : ଆସନ୍ତା ଜାନୁଆରୀ ୧୩ ତାରିଖ ରୁ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ 2023 ବିଶ୍ୱ ହକି ମହାକୁମ୍ଭ ଓଡିଶା ର ରାଜଧାନୀ ଭୁବନେଶ୍ୱର ସହ ଶିଳ୍ପ ନଗରୀ ରାଉରକେଲା ଠାରେ ମହାସମାରୋହରେ ଅନୁଷ୍ଠିତ ହେବ l ଏହି ପରିପ୍ରେକ୍ଷୀରେ ରାଜ୍ୟ ର ବିଭିନ୍ନ ଜିଲ୍ଳା ପରିକ୍ରମା କରୁଥିବା ୨0୨୩ ହକି ବିଶ୍ୱକପ ଟ୍ରଫି ଜାନୁଆରୀ 3 ତାରିଖରେ ଆମ ଜିଲ୍ଳା କୁ ପହଞ୍ଚିବ l ଉକ୍ତ ହକି ବିଶ୍ୱକପ ଟ୍ରଫି କୁ ଯେପରି ଉଚ୍ଚ୍ବସିତ ସ୍ୱାଗତ କରି ଜିଲ୍ଲାରେ ହକିଖେଳ ର ପରିପୃଷ୍ଟତାକୁ ଜୀବନ୍ତ ତଥା ଜନାଦୃତ କରିପାରିବା ସେଥି ନିମନ୍ତେ ସମସ୍ତ ଜନସାଧାରଣ, ବିଭିନ୍ନ ଅନୁଷ୍ଠାନ ବର୍ଗ ଆନ୍ତରିକ ଭାବେ ନିଜକୁ ଏହି ମହାକୁମ୍ଭ ରେ ସାମିଲ କରିବାକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଅବୋଲି ସୁନୀଲ ନରୱଣେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ବୈଠକରେ ଆହ୍ୱାନ କରିଛନ୍ତି l ପୁନଶ୍ଚ ଏହା ରାଜ୍ୟ ର ଗର୍ବ ଓ ଗୌରବ କୁ ବହନ କରୁଥିବା ବେଳେ ଆମ ଜିଲ୍ଲା ମଧ୍ୟ ଗର୍ବିତ ବୋଲି କହିଛନ୍ତି l ଏହି ହକି ବିଶ୍ୱକପ ଟ୍ରଫି ରଥ ବୌଦ୍ଧ ଜିଲ୍ଳା ରୁ ଆସି ସୁବର୍ଣ୍ଣପୁର ସହର ଉପକଣ୍ଠ ତେଲ ନଦୀ ପୋଲ ଠାରେ ପହଞ୍ଚିବ, ସେହିଠାରେ ପ୍ରଶାସନ ତଥା ଜନସାଧାରଣ ଙ୍କ ଦ୍ୱାରା ଭବ୍ୟସ୍ୱାଗତ କରାଯାଇ ସୋନପୁର ସହର କୁଞ୍ଜ ଛକ – ନଳିନୀ ଛକ – ବିଜୁ ପଟ୍ଟନାୟକ ଛକ – କଚେରୀ ଛକ – ଆମ୍ବେଦକର ଛକ -ବ୍ଲକ ଛକ ଓ ବୁଢାରଜା ଛକ ଦେଇ ମହାନଦୀ ବ୍ରିଜ ଅତିକ୍ରମ କରିବ | ଟ୍ରଫି ରଥ କୁ ବିଶେଷ କାର୍ଯ୍ୟକ୍ରମ ମଧ୍ୟରେ ପ୍ରତ୍ୟେକ ଛକରେ ସ୍ୱାଗତ କରାଯିବା ସହ ସମସ୍ତ ଜନସାଧାରଣ ଓ ପ୍ରଶାସନ ର ମିଳିତ ସହଯୋଗରେ ବିରାଟ ଶୋଭାଯାତ୍ରା ରେ ପରିକ୍ରମା କରାଯିବ l ଏହି ହକି ବିଶ୍ୱକପ ଟ୍ରଫି ଜାନୁଆରୀ 3 ତାରିଖ ପୂର୍ବାହ୍ନ 11 ଘଣ୍ଟା ସମୟରେ ଜିଲ୍ଳା ସୀମାନ୍ତ ତେଲ ନଦୀ ବ୍ରିଜ ପାଖରେ ପହଂଚିବାର ସୂଚନା ରହିଛି l ଉକ୍ତ ଦିନ ସମ୍ପୃକ୍ତ ସମସ୍ତ ଜନସାଧାରଣ ସହ ସହର ସ୍ଥିତ ସମସ୍ତ ଅନୁଷ୍ଠାନ ର କର୍ମକର୍ତ୍ତା, ପ୍ରଶାସନିକ କାର୍ଯ୍ୟକର୍ତ୍ତା ପ୍ରମୁଖ ସ୍ଥାନୀୟ ହସ୍ତ ତନ୍ତ ବସ୍ତ୍ର ପରିଧାନ କରି ଏହି ସ୍ୱାଗତ ଉତ୍ସବ କୁ ଆହୁରି ରଙ୍ଗାୟିତ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି | ପ୍ରାରମ୍ଭ ରେ ଜିଲ୍ଳା କ୍ରୀଡା ଅଧିକାରୀ ବୈଠକର ଆଭିମୁଖ୍ୟ ତଥା ତାତ୍ପର୍ଯ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ |ବୈଠକରେ ଉପସ୍ଥିତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟନାରାୟଣ ଦାଶ ଏହି ମହତ ତଥା ବିଶେଷ କାର୍ଯ୍ୟକ୍ରମ ରେ ସମସ୍ତଙ୍କ ଆନ୍ତରିକ ସହଯୋଗ ଉପରେ ଗୁରୁତ୍ୱାରୋପ କରି ଜାତୀୟ ଖେଳ ହକିକୁ ସବୁ ବର୍ଗରେ ଆଦୃତ କରିବାକୁ ଆହ୍ୱାନ କରିଛନ୍ତି l ଅଦ୍ୟ ଅନୁଷ୍ଠିତ ବୈଠକରେ ରେ ସହରର ବିଭିନ୍ନ ସଂଗଠନ କର୍ମକର୍ତ୍ତା, ସହ ସାଂସ୍କୃତିକ ସଂଗଠନ, କ୍ରୀଡା ସଂଗଠନ ର କର୍ମକର୍ତ୍ତା ପ୍ରମୁଖ ଅଂଶ ଗ୍ରହଣ କରି ନିଜର ମତବ୍ୟକ୍ତ କରିଥିଲେ l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )