ଓମ୍ବାଡିସିର ୨୫ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦବୈଠକ ଅନୁଷ୍ଠିତ
ଭୁବନେଶ୍ୱର : ଓଡିଶା ଖଣିଜ ସଂପଦ ଅଂଚଳ ବିକାଶ ନିଗମ(ଓମ୍ବାଡିସି)ର ୨୫ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ(ବୋର୍ଡଅଫ୍ଡିରେକ୍ଟର୍ସ) ବୈଠକ ମଙ୍ଗଳବାର ଲୋକସେବାଭବନ ଠାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ତଥା ଓମ୍ବାଡିସିର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଓମ୍ବାଡିସି ପାଣ୍ଠିରୁ ଆବଣ୍ଟିତ ଆର୍ଥିକ ଅନୁଦାନରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ଖର୍ଚ୍ଚ ସ୍ଥିତି ଅନୁଧ୍ୟାନ ସହ ପ୍ରକଳ୍ପ କାର୍ଯ୍ୟକାରିତାରେ ଗୁଣାତ୍ମକ ମାନ ବଜାୟରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ସଦସ୍ୟ ସଦସ୍ୟାମାନଙ୍କର ଉପସ୍ଥିତିରେ ଓମ୍ବାଡିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଜି. ରାଜେଶ ୨୦୨୨-୨୩ ବର୍ଷରେ ନିଗମର ଆର୍ଥିକ ସ୍ଥିତି ଉପସ୍ଥାପନ କରି ବିଭିନ୍ନ ବାବଦରେ ଅର୍ଥସଂଗ୍ରହ, ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଖର୍ଚ୍ଚ ଅନୁମୋଦନ ଓ ବିଭିନ୍ନ ବିଭାଗକୁ ଖର୍ଚ୍ଚଆବଣ୍ଟନ ପରିପ୍ରେକ୍ଷୀରେ ତଥ୍ୟର ଖିଥିଲେ।ଖଣିଜଅଂଚଳରେ ବିଭିନ୍ନ କ୍ଷତିପୂରଣ ବାବଦରେ ସଂଗୃହିତ ଅର୍ଥପାଣ୍ଠିରୁ ପରିଷଦ ୨୦୧୯ ମସିହା ଏପ୍ରିଲରୁ ଅଦ୍ୟାବଧି ୧୭,୩୧୮.୦୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ରାଜ୍ୟସରକାରଙ୍କ ପକ୍ଷରୁ ୧୮ ଟି ବିଭାଗ ଦ୍ୱାରା ଦିଆଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରସ୍ତାବ କ୍ରମେ ଏହି ଖର୍ଚ୍ଚ ଦିଆଯାଇଛି ଓ ଆବଣ୍ଟିତ ଅର୍ଥ ରେ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ।ବିଭିନ୍ନ ବିଭାଗକୁ ପ୍ରଦାନ କରାଯାଇଥିବା ୯,୧୮୧.୦୬ କୋଟିଟଙ୍କା ରୁ ୬,୨୨୭.୯୭କୋଟି ଟଙ୍କା ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନଜୀବିକା, ପରିବେଶ ସୁରକ୍ଷା, ଗ୍ରାମ୍ୟ ସଡକ ଯୋଗାଯୋଗ , ଓ ଜଳ ସଂରକ୍ଷଣ ବ୍ୟବସ୍ଥା ଭଳି ପ୍ରମୁଖ କାର୍ଯ୍ୟ କ୍ରମ ଅନ୍ତଭୁକ୍ତ ରହିଛି ଏବଂ ବିଭିନ୍ନ ବିଭାଗ ଦ୍ୱାରା ଉନ୍ନୟନ କାର୍ଯ୍ୟ ସଫଳତାର ସହିତ କରାଯାଇଛି।
ମୟୂରଭଂଜ ଜିଲ୍ଲାର ୬୯୦ ଟି ଗ୍ରାମରେ ଏକକ, ୭୮୭ ଟି ରେ ବହୁ-ଗ୍ରାମ(ମଲ୍ଟିଭିଲେଜ) ଯୋଜନାରେ ଏବଂ ୧୪ ଟି ପୌରାଂଚଳରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ରେ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି।ଏକ୍ଷେତ୍ରରେ ମୋଟ ୮୯୦୯ କୋଟି ଟଙ୍କା ବିନିଯୋଗ ହେବ। ପ୍ରାଥମିକ ଶିକ୍ଷା, ମାଧ୍ୟମିକ ଶିକ୍ଷା ଓ ଓଡିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମିର ବିକାଶପାଇଁ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ‘୫ ଟି’ ଉପକ୍ରମ ଆଧାରରେ ୧୧୪୬ଟି ଉଚ୍ଚବିଦ୍ୟାଳୟକୁ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ କ୍ରମରେ ଅନୁଦାନ ଦିଆଯାଇ ଥିବାବେଳେ ତନ୍ମଧ୍ୟରୁ ୧୦୮୮ଟି ର କାର୍ଯ୍ୟ ସରିଛି।ତୃତୀୟ ପର୍ଯାୟରେ ଆଉ ୨୦୫ଟି ସ୍କୁଲ ରୂପାନ୍ତରୀକରଣ ପାଇଁ ଅନୁଷ୍ଠିତ ବୈଠକରେ ଅନୁମୋଦନ କରାଯାଇଛି। ଏଥିପାଇଁ ୧୨୫.୪୬ କୋଟି ଟଙ୍କା ଖର୍ଚ୍ଚହେବ।
ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା(ଏମଏମଏସପିଓ୍ୱାଇ) ରେ ୭୮ ଟି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପକୁ ୫୮୯.୪୬ କୋଟି ଟଙ୍କା ପ୍ରଦାନ ପାଇଁ ବୈଠକରେ ପ୍ରସ୍ତାବ ଆଗତ କରାଯାଇଥିଲା । ଏହା ଦ୍ୱାରା ୧ ଲକ୍ଷ ୬୧ ହଜାର ,୫୫୦ କିଶୋରୀ ବାଳିକା, ୧,୮୪,୦୦୦ ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ ୬୦୦୦ ରୁ ଅଧିକ ଶିଶୁମାନଙ୍କ ପୁଷ୍ଟି ସାଧନରେ ଉପକୃତ ହେବେ ।
ଓମ୍ୱାଡିସି ମଧ୍ୟ ଖଣିଜ ସଂପଦ ଥିବାଜିଲ୍ଲାରେ ସରକାରୀ ଆଇଟିଆଇ ଓ ପଲିଟେକନିକ୍କୁ ଉନ୍ନୀତକରି ସେସବୁକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବାପାଇଁ ସହଯୋଗ ଦେଇଆସୁଛି। ଏହି କାର୍ଯ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କରୁଛି। ୧୬ ଟି ଆଇଟିଆଇ ଓ ପଲିଟେକନିକ୍ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଅନ୍ୟତମ ମହତ୍ୱାକାଂକ୍ଷା ପ୍ରକଳ୍ପଭାବେ ଓ ମ୍ବାଡିସିପାଣ୍ଠିରେ କରାଯାଇଥିବା ବିଭିନ୍ନ ପୌରାଂଚଳ ଓ ବିଜ୍ଞପିତ ଅଂଚଳ ପରିଷଦ ରେ ୧୧ଟି ଇଣ୍ଡୋର ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ସେହିପରି ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଆଂଚଳିକ ଗବେଷଣା ବୈଷୟିକ ଜ୍ଞାନକୌଶଳ ପ୍ରଦ୍ୟୋଗିକ ସ୍ଥାନାନ୍ତରଣ କେନ୍ଦ୍ର(ଆର୍.ଆର୍.ଟିଟିଏସ୍) ଗୁଡିକର ଉନ୍ନତି କରଣ, କୃଷିବିଜ୍ଞାନ କେନ୍ଦ୍ର, ସରକାରୀଇଂଜିନିୟରିଂକଲେଜ, କେନ୍ଦୁଝର ଓ ଏନ୍.ସି.କଲେଜ୍ୟାଜପୁରର ଉନ୍ନତିକରଣ ସହ ଶିକ୍ଷାକ୍ଷେତ୍ରରେ ବିକାଶପାଇଁ ମୋଟ ୩୫୩୯.୩୦ କୋଟି ଟଙ୍କା ବ୍ୟୟବରାଦକରା ଯାଇଛି।
ସେହିପରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜିଲ୍ଲା, ବ୍ଲକ ଓ ସବ୍ବ୍ଲକସ୍ତରରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ, ଯାଜପୁର ମେଡିକାଲ କଲେଜରେ ୧୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ଶାଖା, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପରେ ନୂଆ ଭିତ୍ତିଭୂମି ପ୍ରକଳ୍ପ, ଓ ମ୍ବାଡିସି ସହାୟତା କରୁଥିବା ଖଣିଥିବା ଜିଲ୍ଲା ଗୁଡିକରେ ବହୁମୁଖୀ ପୁନର୍ବାସ କେନ୍ଦ୍ର ନିର୍ମାଣ ପାଇଁ ୨୯୪୨.୯୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେହିପରି ଜଳସଂରକ୍ଷଣ କ୍ଷେତ୍ରରେ ୭୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇ ସଂପୃକ୍ତ ବନଖଣ୍ଡ ଅଧିକାରୀମାନଙ୍କ ଦ୍ୱାରା ବନାଂଚଳରର କ୍ଷଣାବେକ୍ଷଣ, ବୃକ୍ଷ ଚାରାରୋପଣ ଓ ବନୀକରଣ ଭଳି କାର୍ଯ୍ୟ କରାଯାଉଛି।ସେହିପରି ଗ୍ରାମୀଣ ସଡକ ଯୋଗାଯୋଗ କ୍ଷେତ୍ରରେ ପ୍ରାୟ ୭୦୦ କୋଟି ଟଙ୍କା ବିନିଯୋଗ କରାଯାଇ ଯୋଗା ଯୋଗ ନଥିବା ବସତିକୁ ୨୪୯ ଟି ସବୁ ଦିନିଆ ରାସ୍ତା ଓ ୨୫ ଟି ସେତୁ ନିର୍ମାଣ ଲକ୍ଷ୍ୟ ରହିଛି। ଉଦ୍ୟାନକୃଷି, ପ୍ରାଣୀପାଳନ, ମତ୍ସ୍ୟଚାଷ, ରେଶମକୀଟପାଳନ, ବୟନଶିଳ୍ପ ଆଦି କ୍ଷେତ୍ରରେ ଜୀବନଜୀବିକା କ୍ଷେତ୍ର ପ୍ରକଳ୍ପ ପାଇଁ ୫୦୦କୋଟିରୁ ଅଧିକ ଅର୍ଥ ଆବଣ୍ଟନ କରାଯାଇଛି। କ୍ଷେତ୍ରପରିଦର୍ଶନ, ଯୁଗ୍ମ ସମୀକ୍ଷା ବୈଠକ ସହ ପ୍ରକଳ୍ପ ଅଗ୍ରଗତି ପାଇଁ ନିୟମିତ ତଦାରଖ କରାଯାଉଛି।ବୈଠକରେ ଓମ୍ବାଡିସିର ବାର୍ଷିକ ବିବରଣୀ “ଅଭ୍ୟୁଦୟ” ୨୦୨୧-୨୨ ଏବଂ ଜାନୁଆରୀ ଏବଂ ଫେବୃୟାରୀ-୨୦୨୩ର ବିବରଣୀ ପୁସ୍ତିକା ଉନ୍ମୋଚିତ ହୋଇଥିଲା।
ପରିଷଦ ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀସୁଶୀଲ କୁମାର ଲୋହାନୀଙ୍କୁ ପରିଷଦର ନୂତନ ନିର୍ଦ୍ଦେଶକ ସଦସ୍ୟ,ସଦସ୍ୟା ଭାବେ ଅନ୍ତର୍ଭୁକ୍ତ କରାଯାଇଛି ।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ମୋନା ଶର୍ମା , ପଂଚାୟତିରାଜ, ପାନୀୟଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଲୋହାନୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ, ପ୍ରଧାନ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳଙ୍କ ସମେତ ଓମ୍ବାଡିସିର ନିର୍ଦ୍ଦେଶକ ମଣ୍ଡଳୀ ପରିଷଦର ଅନ୍ୟ ନିର୍ଦ୍ଦେଶକ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ବିଶେଷ ଆମନ୍ତ୍ରିତ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ ।
ଭୁବନେଶ୍ୱର ଇପିଏ ରୁ ବିରୁ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )