ସମବାୟ ନିର୍ବାଚନରେ ପଞ୍ଚାୟତ ଓ ପୌର ସଫଳତା ଦୋହରାଇବାକୁ ବିଜେଡିର ଲକ୍ଷ୍ୟ
ଭୁବନେଶ୍ୱର : ପ୍ରଥମେ ପଞ୍ଚାୟତ ତା’ପରେ ପୌର ନିର୍ବାଚନରେ ବିଜେଡି ଏକତରଫା ବିଜୟ ହାସଲ କରିଛି। ସେହିପରି ଦୀର୍ଘ ସାତବର୍ଷର ବ୍ୟବଧାନ ପରେ ରାଜ୍ୟରେ ସମବାୟ ନିର୍ବାଚନ ନେଇ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି। ପଞ୍ଚାୟତ ଓ ପୌର ପରି ସମାନ ଫଳାଫଳ ଦୋହରାଇବାକୁ ଶାସକ ଦଳ ଆଶାବାଦୀ ରହିଛି। ବିଜେଡି ଭଳି ବିରୋଧୀ ବିଜେପି ଏବଂ କଂଗ୍ରେସର ସମବାୟ ସଙ୍ଗଠନ ଉପରେ ଏତେଟା ପ୍ରଭାବ ଥିବା ଭଳି ମନେ ହୁଏ ନାହିଁ। ଦଳୀୟ ଚିହ୍ନ ବ୍ୟବହାର ହେଉ ନ ଥିଲେ ବି ସମବାୟ ନିର୍ବାଚନରେ ରାଜନୈତିକ ଉଷ୍ମତା ରହିଥାଏ। ରାଜ୍ୟରେ ଗତ ୨୦୧୫ ମସିହାରେ ସମବାୟ ର୍ନିବାଚନ ହୋଇଥିଲା। ରାଜ୍ୟରେ ୧୭ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍, ୧୧ଟି ସହରାଞ୍ଚଳ ସମବାୟ ବ୍ୟାଙ୍କ୍, ୫୧ଟି ଆରସିଏମ୍ଏସ୍ ରହିଛି। ଏହା ବ୍ୟତୀତ ରାଜ୍ୟ ସମବାୟ ବ୍ୟାଙ୍କ୍ ମଧ୍ୟ ଅଛି।
ବିଶେଷ କରି ଖାଉଟି ସମବାୟ ସମିତି, ଉତ୍ପାଦକ ସମବାୟ ସମିତି ଓ ବିପ୍ପଣନ ସମବାୟ ସମିତି ସମେତ ଏହାର ଶୀର୍ଷ ସମବାୟ ସମିତି ଗୁଡିକରେ ନିଜ ରାଜନୈତିକ ଦଳର ମନୋନୀତ ପ୍ରାର୍ଥୀମାନଙ୍କୁ ଜିଣାଇବାପାଇଁ ତେଣୁ ପ୍ରବଳ ପ୍ରତିଦ୍ୱନ୍ଦିତା ହୋଇଥାଏ। କେବଳ ସମିତି ସଦସ୍ୟମାନେ ଭୋଟ ଦେବାର ଅଧିକାର ଥାଏ ଏବଂ ପ୍ରାଥମିକ ସମବାୟ ସମିତିଗୁଡିକର ଆଞ୍ଚଳିକ ଓ କେନ୍ଦ୍ର ସମବାୟ ସମିତି ତଥା କେନ୍ଦ୍ର ଓ ରାଜ୍ୟସ୍ତରୀୟ ସମବାୟ ବ୍ୟାଙ୍କ୍ ଗୁଡ଼ିକ ଲାଗି ପ୍ରତିନିଧି ନିର୍ବାଚିତ କରାଯାଇଥାଏ। ସମବାୟ ବ୍ୟାଙ୍କ୍ ଗୁଡ଼ିକ ପରି ପ୍ରାଥମିକ କୃଷି ସମବାୟ ସମିତି ଓ ବହୁମୁଖୀ ସମବାୟ ସମିତି କୃଷି ଓ ଗ୍ରାମ୍ୟଶିଳ୍ପ ଅର୍ଥନୀତିରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଆନ୍ତି। ନିର୍ବାଚନ ଦଳୀୟ ଭିତ୍ତିରେ ହେଉ ନାହିଁ ସତ। ମାତ୍ର ସମିତିଗୁଡିକର ସଦସ୍ୟମାନଙ୍କ ଭିନ୍ନ ଭିନ୍ନ ରାଜନୈତିକ ଦଳ ସହ ସମ୍ପର୍କ ରହିଥାଏ। ଏହି କାରଣରୁ ସମବାୟ ନିର୍ବାଚନରେ ପତିଆରା ବୃଦ୍ଧି ପାଇଁ ସମସ୍ତେ ଉଦ୍ୟମ କରିଥାଆନ୍ତି।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ସମବାୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରାଜ୍ୟ ସମବାୟ ନିର୍ବାଚନ କମିଶନର ସୁପାରିସ ଆଧାରରେ ଆସନ୍ତା ଜୁନ୍ ମାସ ୧୯ ଓ ୨୬ ତାରିଖରେ ପ୍ରାଥମିକ ସମବାୟ ସୋସାଇଟିରେ ନିର୍ବାଚନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସମବାୟ ବିଭାଗ ପକ୍ଷରୁ ଗତ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ଥିବା ପ୍ରାଥମିକ ସମବାୟ ସୋସାଇଟି ଗୁଡ଼ିକର ପରିଚାଳନା କମିଟି କର୍ମକର୍ତ୍ତା ଚୟନ ପାଇଁ ଜୁନ ୧୯ ଓ ୨୬ ତାରିଖରେ ନିର୍ବାଚନ କରିବା ନିମିତ୍ତ କମିଶନ ଗତ ମାର୍ଚ୍ଚ ୩୦ରେ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ।
ଈପିଏରୁ ବିରଂଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )