ସରି ଆସୁଛି ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ

0 2

ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆଜି ଥିଲା ଷଷ୍ଠ ଦିବସ । ଆସନ୍ତାକାଲି ଏହା ଉଦ୍‌ଯାପିତ ହେବାର କାର୍ଯ୍ୟକ୍ରମ ରହିଛି । ଏକବିଂଶ ଶତାବ୍ଦୀର ମଣିଷ ବୈଷୟିକ ଜ୍ଞାନସଂପନ୍ନ ହୋଇଛି । ବିଜ୍ଞାନରେ ବିପ୍ଳବ ସୃଷ୍ଟି କରୁଛି । ତଥାପି ପରମ୍ପରା ପ୍ରତି ତା’ର ଆଦର କିପରି ରହିଛି ତାହାର ଏକ ନିଚ୍ଛକ ଝଲକ ଦେଖିବାକୁ ମିଳୁଛି ଜନଜାତି କଳାବସ୍ତୁ ପ୍ରଦର୍ଶନୀ ପ୍ରାଙ୍ଗଣରେ ।

ଜନଜାତିଙ୍କ ଛୋଟ ଛୋଟ ପରମ୍ପରା ମିଶି ମହାଭାରତୀୟ ବୃହତ୍‌ ପରମ୍ପରାକୁ କେବଳ ସମୃଦ୍ଧ କରିନାହାନ୍ତି, ଅପରନ୍ତୁ ଏକ ନୂତନ ସମୃଦ୍ଧ ଭାରତ ବର୍ଷ ନିର୍ମାଣ କରିଛନ୍ତି, ଯେଉଁଠି ପାରମ୍ପରିକ ଜ୍ଞାନକୌଶଳ ନିରନ୍ତର ଭାବେ ଜନମାନସରେ ଆଦୃତ ହୋଇଛି । ପ୍ରଯୁକ୍ତି ବିଦ୍ୟାରେ ଅନେକ ଚମତ୍କାର କଳାବସ୍ତୁ ନିର୍ମାଣ ହୋଇପାରେ, ମାତ୍ର ଜନଜାତିମାନଙ୍କ ହାତତିଆରି କଳାବସ୍ତୁ କୌଣସି ଚମତ୍କାର ତୁଳନାରେ ଯେ କମ୍‌ ନୁହେଁ, ଏହା ସାରା ଭାରତରୁ ପ୍ରତିନିଧିତ୍ୱ କରୁଥିବା ଜନଜାତିଙ୍କ କଳାବସ୍ତୁ ପ୍ରଦର୍ଶନୀରୁ ପ୍ରମାଣ
ମିଳିଛି । ଉଦାହରଣ ସ୍ୱରୂପ ଅରୁଣାଚଳ ପ୍ରଦେଶରୁ ପ୍ରତିନିଧିତ୍ୱ କରୁଥିବା ଗାରୋ ଜନଜାତିଙ୍କ ବାଉଁଶ, ବେତରୁ ନିର୍ମିତ କାନ ବଳା, ମଗ୍‌, ପର୍ସ, ଫୁଲଦାନୀ, ପାନିଆ, ଚୂଡ଼ି, ବସ୍ତ୍ର, କଲମ, ହାର, ପେନ୍‌ଷ୍ଟାଣ୍ଡ, ରାଜସ୍ଥାନର ଭିଲ୍‌ମାନଙ୍କ ଖଜୁରି ପତ୍ରରେ ଚିତ୍ର ଅନନ୍ୟ ଆକର୍ଷଣୀୟ ବସ୍ତୁ ଏହି ପ୍ରଦର୍ଶନୀରେ ରହିଛି ।
ପ୍ରଦର୍ଶନୀ ଶେଷ ହୋଇ ଆସୁଥିବାବେଳେ ବିଭିନ୍ନ ରାଜ୍ୟର ଜନଜାତି କାରିଗରଙ୍କ ଓଡ଼ିଶା ଅନୁଭୂତି ଖୁବ୍‌ ସୁଖଦ ଏବଂ ଏଠାକାର ଜନଜାତି ଶିଳ୍ପୀ କାରିଗରଙ୍କ ସହ ଅନ୍ତରଙ୍ଗ ଆଳାପ ଓ ସେମାନଙ୍କ ଜ୍ଞାନକୌଶଳ ଶିକ୍ଷଣୀୟ ବୋଲି ମନ୍ତବ୍ୟ ଦେଉଛନ୍ତି ।
ଆଜିର ସନ୍ଧ୍ୟାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପ୍ରାୟୋଜିତ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ର ଜନଜାତି ନୃତ୍ୟଶିଳ୍ପୀମାନେ ସେମାନଙ୍କ ଅଞ୍ଚଳର ବର୍ଣ୍ଣାଢ଼୍ୟ ନୃତ୍ୟ ପ୍ରଦର୍ଶନପୂର୍ବକ ଦର୍ଶକଙ୍କ ମନ ଜିଣିଥିଲେ । ପ୍ରଦର୍ଶନୀ ସରି ଆସୁଥିବାରୁ ଆଜି ବହୁଲୋକଙ୍କ ସମାଗମ ହୋଇଥିଲା ଏବଂ କଳାବସ୍ତୁ କ୍ରୟ କରିବାରେ ଦର୍ଶକମାନେ ଭରପୂର ଆଗ୍ରହ ଦେଖାଉଥିଲେ ।

ଭୁବନେଶ୍ୱର ଇପିଏ ରୁ ବିରୁ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.