ମଧ୍ୟପ୍ରଦେଶର ମହାକାଳ ନଗରୀ ଉଜ୍ଜୈନରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସହ ମହାକାଳ ଲୋକ କରିଡରର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

0 11

ଉଜ୍ଜୈନ:ଦେବ ଦେବ ମହାଦେବଙ୍କ ଭକ୍ତିରେ ତଲ୍ଲିନ ମଧ୍ୟପ୍ରଦେଶର ମହାକାଳ ନଗରୀ ଉଜ୍ଜୈନ। ଦିବ୍ୟ ରୂପରେ ଆତ୍ମପ୍ରକାଶ କରିଛି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ। ସୌନ୍ଦର୍ଯ୍ୟ ଦେଖି ଲାଖି ଯାଉଛି ଆଖି। ଆଜି ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ମହାକାଳ ଲୋକ କରିଡରର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ହୋଇଛି ଭବ୍ୟ ଉତ୍ସବର ଆୟୋଜନ। ସ୍ୱତନ୍ତ୍ର ଭାବେ ସଜ୍ଜିତ ହୋଇଛି ମହାକାଳେଶ୍ୱର ମନ୍ଦିର। ପ୍ରାୟ ୫୦ ହେକ୍ଟର ଜମିରେ ନିର୍ମାଣ ହୋଇଛି ଏହି ସୌନ୍ଦର୍ଯମୟ କରିଡର। ପ୍ରକଳ୍ପ ଅନ୍ତର୍ଗତ ମନ୍ଦିର ପରିସରକୁ ସାତ ଗୁଣା ବିସ୍ତାର କରାଯାଇଛି। ନନ୍ଦି ଦ୍ୱାରରୁ ମୁଖ୍ୟ ମନ୍ଦିରର ଗର୍ଭଗୃହର ଦୂରତା ପ୍ରାୟ ୯ଶହ ମିଟର। କରିଡର ମଧ୍ୟରେ ମହାଦେବଙ୍କ ଉତ୍ପତ୍ତି ଓ ରହସ୍ୟକୁ ନେଇ ୨ ଶହରୁ ଅଧିକ ଦେବାଦେବୀଙ୍କ ମୂର୍ତ୍ତି ନିର୍ମାଣ ହୋଇଛି। କରିଡରର ଠିକ୍ ମଝିରେ ରହିଛି ପୌରାଣିକ କଥାବସ୍ତୁ ସମୁଦ୍ର ମନ୍ଥନ ଉପରେ ଆଧାରିତ କଳାକୃତି। ପ୍ରକଳ୍ପରେ ମୋଟ ୮୫୦ କୋଟି ଟଙ୍କା ନିବେଶ କରାଯାଉଛି।
ଏଥିପାଇଁ ଉଜ୍ଜୈନବାସୀ ହୁଅନ୍ତୁ ଅବା ବାହାର ରାଜ୍ୟର ଶିବଭକ୍ତ, ସମସ୍ତେ ଖୁସିରେ ଗଦ୍‌ଗଦ୍। ଦେବଦେବ ମହାଦେବଙ୍କ ପୀଠର ଏହି ଦିବ୍ୟ ତଥା ଭବ୍ୟ ରୂପକୁ ଦେଖି ଶିବମୟ ମହାକାଳଲୋକ। ଶିବ ପୂରାଣର ବିଭିନ୍ନ କଥା, ବିଭିନ୍ନ ଗାଥା ଖୋଦିତ ହୋଇଛି ମହାକାଳେଶ୍ୱର କରିଡରର ପ୍ରତିଟି କୋଣ ଅନୁକୋଣରେ। କେଉଁଠି ଶିବଙ୍କ ତାଣ୍ଡବ ତ ଆଉ କେଉଁଠି ମହାଦେବଙ୍କ ଅସୁର ସଂହାରକ ରୂପ ଶୋଭା ବଢ଼ାଉଛି। କମଳ କୁଣ୍ଡ ବା ପଦ୍ମ ପୁଷ୍କରିଣୀରେ ଧ୍ୟାନରତ ଆଦିଯୋଗୀଙ୍କ ବିଶାଳ ମୂର୍ତ୍ତି, ତା’ ସାଙ୍ଗକୁ ସୁଉଚ୍ଚ ଶିବସ୍ତମ୍ଭ। ୯ଶହ ମିଟର କରିଡର୍ କଡ଼େକଡ଼େ କାରୁକାର୍ଯ୍ୟ ପୂର୍ଣ୍ଣ ୧୦୮ଟି ତ୍ରିଶୂଳ ସ୍ତମ୍ଭ ରହିଛି। ସେଥିରେ ଖୋଦିତ ହୋଇଛି ବିଭିନ୍ନ ମୁଦ୍ରାର ଶିବ ତାଣ୍ଡବ। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଲୋକାର୍ପଣ ପରେ, ନୂଆ ରୂପରେ ଆତ୍ମ ପ୍ରକାଶ କରିଛି ବାବା ମହାକାଳଙ୍କ ପ୍ରାଙ୍ଗଣ।
ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୩୧୬ କୋଟି। ରାଜସ୍ଥାନର ବଂଶୀ ପାହାଡ଼ପୁରରୁ ଅଣାଯାଇଥିବା ସ୍ୱତନ୍ତ୍ର ପଥରରେ ଏହିସବୁ କଳାକୃତି ନିର୍ମାଣ କରିଛନ୍ତି ରାଜସ୍ଥାନ, ଗୁଜରାଟ ଏବଂ ଓଡ଼ିଶାରୁ ଯାଇଥିବା ଭାସ୍କର୍ଯ୍ୟ ଶିଳ୍ପୀ। କରିଡରରେ ରହିଛି ନନ୍ଦି ଦ୍ୱାର ଓ ପିନାକୀ ଦ୍ୱାର। ନନ୍ଦି ଦ୍ୱାର ଦେଇ କରିଡର ମଧ୍ୟରେ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ। ନନ୍ଦି ଦ୍ୱାରରେ ପ୍ରବେଶ କଲା ପରେ ନିର୍ମାଣ ହୋଇଛି ବିରାଟ ଅଗଣା। ନନ୍ଦି ଦ୍ୱାରରୁ ୪ ମିଟର ଅର୍ଥାତ୍ କରିଡରର ଠିକ୍ ମଝିରେ ରହିଛି ପୌରାଣିକ କଥାବସ୍ତୁ ସମୁଦ୍ର ମନ୍ଥନ ଉପରେ ଆଧାରିତ କଳାକୃତି। ସେହିପରି କରିଡର ମଧ୍ୟରେ ଦେବଦେବ ମହାଦେବଙ୍କ ଉତ୍ପତ୍ତି ଓ ରହସ୍ୟକୁ ନେଇ ୨ ଶହରୁ ଅଧିକ ଦେବାଦେବୀଙ୍କ ମୂର୍ତ୍ତି ନିର୍ମାଣ ହୋଇଛି। କରିଡର ମଧ୍ୟରେ ରହିଛି ରୁଦ୍ରସାଗର ହ୍ରଦ ଓ ମହାକାଳ ବାଟିକା। ରୁଦ୍ରସାଗର ଲେକ୍‌ର ପୁନରୁଦ୍ଧାର କରାଯିବା ସହ ଆକର୍ଷଣୀୟ ଜଳଫୁଆରା ନିର୍ମାଣ କରାଯାଇଥିବା ବେଳେ ମହାକାଳ ବାଟିକାରେ କାଳିଦାସଙ୍କ ରଚିତ ଅଭିଜ୍ଞାନ ଶକୁନ୍ତଳମ୍‌ରେ ବର୍ଣ୍ଣିତ ରୁଦ୍ରାକ୍ଷ, ବଉଳ, କଦମ୍ବ, ବେଲ ଓ ସପ୍ତଫେଣୀ ଆଦି ୪୦ରୁ ୫୦ ପ୍ରଜାତିର ଗଛ ଲାଗିଛି। ଏହି ମହାକାଳେଶ୍ୱର ପୀଠର ମହାତ୍ମ୍ୟ କାଳ କାଳରୁ ବିଦିତ। କରିଡରର ଅପରୂପ ସୌନ୍ଦର୍ଯ୍ୟ ଭକ୍ତି ଭାବ ଉଦ୍ରେକ କରିବା ସହ ଶ୍ରଦ୍ଧାଳୁଙ୍କ ମନ୍ତ୍ରମୁଗ୍ଧ କରିବ ବୋଲି ଆଶା କରାଯାଉଛି।
ଏହି ଭବ୍ୟ କରିଡରକୁ ଅଧିକ ଆକର୍ଷଣୀୟ କରିବ ଏଠାରେ ପ୍ରସ୍ତାବିତ ରୋପ୍ ୱେ। ଉଜୈନ ଷ୍ଟେସନରୁ ମନ୍ଦିର ପର୍ଯ୍ୟନ୍ତ ୨ କିଲୋମିଟର ଦୀର୍ଘ ରୋପ୍ ଓ୍ୱେ ନିର୍ମାଣ କରାଯିବ। ବୃଦ୍ଧବୃଦ୍ଧା ଓ ଶାରିରୀକ ଭିନ୍ନକ୍ଷମଙ୍କ ସୁବିଧା ଲାଗି ରୋପ୍ ଓ୍ୱେ ନିର୍ମାଣ ପାଇଁ ସଡ଼କ ପରିବହନ ମନ୍ତ୍ରୀ ନିତିନ୍ ଗଡକରିଙ୍କୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଅନୁରୋଧ କରିଥିଲେ। ୨୧୦ କୋଟିର ଏହି ପ୍ରକଳ୍ପ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଟେଣ୍ଡର ଡକାଯାଇଛି। ୧୮ ମାସ ସମୟ ଭିତରେ ନିର୍ମାଣ କାମ ଶେଷ କରାଯିବ ବୋଲି ସୂଚନା ମିଳିଛି।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.