ବୁଦ୍ଧ ଆର୍ଟ ଗ୍ୟାଲେରୀ ଠାରେ ପାରମ୍ପରିକ ଶିଳ୍ପୀ ଶିବିର ଉଦଘାଟିତ
ଭୁବନେଶ୍ୱର : ଓଡ଼ିଶା ଲଲିତ କଳା ଏକାଡ଼େମୀ, ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ବୁଦ୍ଧ ଆର୍ଟ ଗ୍ୟାଲେରୀ ଭୁବନେଶ୍ଵର ଠାରେ ଆଜିଠାରୁ ପାରମ୍ପରିକ କାଗଜ ମୁଖା, ଗୋବର କଣ୍ଢେଇ ଓ କାଠ କାଣ୍ଢେଇ ଶିଳ୍ପୀଙ୍କୁ ନେଇ ଏକ ନାରୀ ଶିଳ୍ପୀ ଶିବିର ଅନୁଷ୍ଠିତ ହେଉଛି । ଏହି ଶିବିରରେ ୩୧ ଜଣ ମହିଳା ଶିଳ୍ପୀ ମାନେ ଅଂଶଗ୍ରହଣ କରିଛନ୍ତି । ଏହି ଶିବିରରକୁ ଆଜି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ ଓ ଏକାଡ଼େମୀ ସଭାପତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ପାରମ୍ପରିକ କଳାହିଁ ଆଧୁନିକ କଳାର ଜନକ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ ।
ପ୍ରାରମ୍ଭରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ଅତିଥିମାନଙ୍କ ପରିଚୟ ପ୍ରଦାନ ପୂର୍ବକ ଶିବିରର ଆଭିମୁଖ୍ୟ ସମ୍ପର୍କରେ ପ୍ରକାଶ କରିଥିଲେ । ୪ ଦିନ ଧରି ଆୟୋଜିତ ଏହି ଶିବିରରେ ଶିଳ୍ପୀମାନେ ପାରମ୍ପରିକ କାଗଜ ମୁଖା ,ଗୋବର କଣ୍ଢେଇ ଓ କାଠ କଣ୍ଢେଇ ଗୁଡିକ ପ୍ରସ୍ତୁତ କରିବା ସହ ଦର୍ଶକମାନେ ଏଗୁଡିକର ପ୍ରସ୍ତୁତି ପ୍ରଣାଳୀକୁ ଦେଖିପାରିବେ । କଳା ଛାତ୍ରଛାତ୍ରୀ ମାନେ ମଧ୍ୟ ଏଥିରୁ ଶିକ୍ଷାଲାଭ କରି ନିଜ ସୃଜନଶୀଳ କଳାକୃତିରେ ବିନିଯୋଗ କରିପାରିବେ । ଶିବିରରେ ରାଜ୍ୟର ବିଭିନ୍ନ ସ୍ଥାନର ସ୍ଵତନ୍ତ୍ର ଶୈଳୀର କାଗଜ ମୁଖା, ଗୋବର କଣ୍ଢେଇ ଓ କାଠ କଣ୍ଢେଇଗୁଡିକ ଶିଳ୍ପୀମାନେ ଗଠନ କରିବେ । ଏହି ଶିବିର ମାର୍ଚ୍ଚ୨୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ୧୦ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଦର୍ଶକମାନଙ୍କ ଦେଖିବାପାଇଁ ଖୋଲା ରହିବ ।
ଇପିଏ ନିଉଜ (ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି ) ରିପୋର୍ଟ