ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ
ମଙ୍ଗଳବାର ମହାପ୍ରଭୁଙ୍କ ସ୍ନାନଯାତ୍ରା । ସ୍ନାନଯାତ୍ରା ପରେ ମହାପ୍ରଭୁ ଅଣସରକୁ ବିଜେ କରିବେ । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ । ଏଥିପାଇଁ ଚିତ୍ରକର ସେବକମାନେ ପଟି ଦିଅଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଇତି ମଧ୍ୟରେ ପଟି ପ୍ରସ୍ତୁତ ହୋଇ ସାରିଥିବାବେଳେ ସେଥିରେ ପାରମ୍ପରିକ ରଙ୍ଗ ଦେବା କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ।ଚିତ୍ରକର ରାଜେନ୍ଦ୍ର ମହାରଣାଙ୍କ ପରିବାର ଲୋକେ ବଂଶାନୁକ୍ରମିକ ଭାବେ ବଡ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପଟି ଦିଅଁ ପ୍ରସ୍ତୁତ କରି ଯୋଗାଇଥାନ୍ତି । ସେହିପରି ନାରଣ ମହାରଣାଙ୍କ ପରିବାର ଲୋକ ବଂଶାନୁକ୍ରମିକ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ପଟି ଦିଅଁ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ଦେଇଥାନ୍ତି ।ଅଣସର ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ ରୂପରେ, ଶ୍ରୀବଳଭଦ୍ର ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରା ବଦଳରେ ଭୁବନେଶ୍ବରୀ ପଟି ଦିଅଁ ଭାବେ ପୂଜା ପାଆନ୍ତି । ସ୍ନାନ ପୂର୍ଣ୍ଣିମାରେ ଠାକୁରଙ୍କ ବାହୁଡା ପହଣ୍ଡି ପରେ ବିଳମ୍ବିତ ରାତିରେ ଶ୍ରୀମନ୍ଦିରରୁ ଏକ ପଟୁଆର ଚିତ୍ରକରଙ୍କ ଘରକୁ ଯାଇଥାଏ । ପାରମ୍ପରିକ ପୂଜାର୍ଚ୍ଚନା ପରେ ଘଣ୍ଟ, ଛତା, କାହାଳି ସହ ପଟି ଦିଅଁ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତିପଟି ଦିଅଁ ପ୍ରସ୍ତୁତି ପାଇଁ ସୂତା କନାକୁ ତେନ୍ତୁଳି ମଞ୍ଜି ପାଣିରେ ବତୁରା ଯାଇ, ବାଟି ଅଠା ପ୍ରସ୍ତୁତ ହେବା ପରେ କନାରେ ଲେପ ଦିଆଯାଇଥାଏ । ଶୁଖିଗଲା ପରେ ଖଡି ଗୁଣ୍ଡ ଓ ତେନ୍ତୁଳି ମଞ୍ଜି ମିଶ୍ରିତ ହୋଇ ସ୍ବତନ୍ତ୍ର ଅଠା ଲେପ ଦିଆଯାଏ । ଧଳା ଓ ଗେରୁ ରଙ୍ଗ ପାଣିରେ ତିନି ଦିଅଁଙ୍କ ଆକୃତି ଅଙ୍କନ କରାଯିବା ପରେ ପଟି ଦିଅଁ ପ୍ରସ୍ତୁତ ହୋଇଥାଏ । ପଟି ଦିଅଁ ପ୍ରସ୍ତୁତି ସମୟରେ ଚିତ୍ରକର ସେବାୟତ ଓ ସେମାନଙ୍କ ପରିବାର ଲୋକେ ହବିଷ୍ୟାନ୍ନ ସେବନ କରିଥାନ୍ତି ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )