ଅଦିନିଆ ବର୍ଷା ରେ ଉଜୁଡିଗଲା ଶହ ଶହ ଏକର ତରଭୂଜ ଫସଲ
କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାଲିଗୁଡା ଓ ଏହାର ଆଖପାଖ ଅଞ୍ଚଳରେ ଅଦିନିଆ ବର୍ଷା ଯୋଗୁଁ ଚାଷୀ ମାନଙ୍କର ଶହ ଶହ ଏକର ପରିମିତ ଚାଷଜମି ରେ ଲାଗିଥିବା ତରଭୂଜ ଫସଲ କ୍ଷତିଗ୍ରସ୍ତ ହୋଇଛି । ନାଲିଗୁଡା ଗ୍ରାମର ସମାରୂ ନାଲିଙ୍କ କହିବାନୁସାରେ ସେ ବରୋଦା ବ୍ୟାଙ୍କରୁ ୫୦୦୦୦/- ଟଙ୍କା ଋଣ କରି ନିଜ ଜମିରେ ତରଭୂଜ ଫସଲ ଲଗେଇଥିଲେ, କିନ୍ତୁ ଲଘୁଚାପ ଜନିତ ଅଦିନିଆ ବର୍ଷା ରେ ଯେମିତି ତାଙ୍କର ସବୁ ପରିଶ୍ରମ ର ଫଳ ଧୋଇ ଦେଇଛି । ଏ ବର୍ଷ ତରଭୂଜ ଫସଲ ମଧ୍ୟ ଅନୁରୂପ ହୋଇଥିଲା ଓ ସେ ଆଶା ରଖିଥିଲେ, ବ୍ୟାଙ୍କ ଋଣ ଶୁଝିବା ପରେ ଭଲ ଦି ପଇସା ଲାଭ ପାଇଥାନ୍ତେ କିନ୍ତୁ ସବୁକିଛି ଆଶା ଯେମିତି ଧୁଳିଷାତ ହୋଇଯାଇଛି, ବର୍ତ୍ତମାନ ସେ ମୁଣ୍ଡରେ ହାତ ଦେଇ ବସିଛନ୍ତି ବ୍ୟାଙ୍କ ଋଣ ଶୁଝିବେ କେମିତି । ସମାରୂଙ୍କ ଭଳି ଏ ଅଞ୍ଚଳର ଶହ ଶହ ଚାଷୀ ଅନୁରୂପ ଦୁର୍ଦ୍ଦଶା ଭୋଗୁଛନ୍ତି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏଭଳି ଏକ ଘଡିସ°ଧି ମୁହୂର୍ତ୍ତରେ କୃଷି ଓ ବ୍ୟାଙ୍କ ବିଭାଗ ଚାଷ ଓ ଚାଷୀଙ୍କର କ୍ଷୟକ୍ଷତିର ଆକଳନ କରି ଚାଷୀମାନଙ୍କ ଦୁଃଖ ଦୂର କରିପାରୁଛି ନା ନାହିଁ ।
ମାଲକାନଗିରି ଇପିଏ ରୁ ବଂଶୀଧର ମୁଦୁଲି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )