ଚର୍ଚ୍ଚା ବଢ଼ାଇଛି ନବ ଦାସଙ୍କ ଇସିଜି ରିପୋର୍ଟ

0 51

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି ।ଏନେଇ ରାଜ୍ୟ ରାଜନୀତି ଜୋର ଧରିଥିବାବେଳେ ଏବେ ଚର୍ଚ୍ଚା ବଢ଼ାଇଛି ନବ ଦାସଙ୍କ ଇସିଜି ରିପୋର୍ଟ । ଯାହା ଏବେ ସୋସିଆସ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏଥିରେ ଦର୍ଶାଯାଇଛି ଯେ, ନବ ଦାସଙ୍କ ମୃତ୍ୟୁ ଦିନ ୧.୨୯ ବେଳକୁ ହୋଇ ସାରିଥିଲା । ଅର୍ଥାତ ଝାରସୁଗୁଡ଼ା ମେଡିକାଲରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ପୂର୍ବରୁ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର । ସେପଟେ ସବୁ ଦିଗକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ବୋଲି କହିଛନ୍ତି ପୋଲିସ ଡିଜି ।
ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ପରେ ଝାରସୁଗୁଡା ହସ୍ପିଟାଲକୁ ନିଆଯାଇଥିଲା । ଏଠାରେ ହୋଇଥିବା ନବ ଦାସଙ୍କ ଇସିଜି ରିପୋର୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁ ରିପୋର୍ଟ ଦର୍ଶାଉଛି ନବ ଦାସଙ୍କର ମୃତ୍ୟୁ ହୋଇସାରିଥିଲା । ବଡ଼ ପ୍ରଶ୍ନ ହେଉଛି କେଉଁ ପରିସ୍ଥିତିରେ ନବ ଦାସଙ୍କ ଶରୀରକୁ ଏୟାରଲିଫ୍ଟ କରାଯାଇଥିଲା । ଜାନୁଆରୀ ୨୯ ତାରିଖ ଦିନ ପ୍ରାୟ ୧୨ଟା ୧୫ ମିନିଟ ସମୟରେ ଅଭିଯୁକ୍ତ ଗୋପାଳ ଦାସ ଗୁଳି ଚଳାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ନବ ଦାସଙ୍କୁ ଝାରସୁଗୁ଼ଡା ହସ୍ପିଟାଲକୁ ନିଆଯାଇଥିଲା । ଇସିଜି ରିପୋର୍ଟରେ ସମୟ ରହିଛି ୧.୨୮ ମିନିଟ । ଅର୍ଥାତ ଏହି ସମୟ ବେଳକୁ ନବ ଦାସଙ୍କ ପ୍ରାଣବାୟୁ ଉଡିଯାଇଥିଲା । ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି । ଏୟାରଲିଫ୍ଟ ହେବାବେଳକୁ ମନ୍ତ୍ରୀଙ୍କ ଅବସ୍ଥା କଣ ଥିଲା ସେ ସମ୍ପର୍କିତ ରିପୋର୍ଟ ସାର୍ବଜନୀନ କରିବା ପାଇଁ ସେ ଦାବି କରିଥିଲେ ।
ଏବେ ରିପୋର୍ଟ ଆସିବା ପରେ ଜୟ ନାରାୟଣଙ୍କ ସନ୍ଦେହ ସତ ହେବା ପରି ମନେ ହେଉଛି । ଯଦି ନବଙ୍କ ପ୍ରାଣ ବାୟୁ ଉଡିଯାଇଥିଲା କଣ ପାଇଁ ତାଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରାଗଲା । ଏହା ପଛର ଉଦ୍ଦେଶ୍ୟ କଣ ସେକଥା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି କହିଥିଲେ ଜୟନାରାୟଣ । ଆଉ ଏହାରି ଭିତରେ ଗୋପାଳ ଦାସଙ୍କ ବାଇକ ଜବତ କରିଛି କ୍ରାଇମବ୍ରାଞ୍ଚ । ନବ ଦାସଙ୍କୁ ଗୁଳି ମାରିବା ପରେ କୌଶଳ କ୍ରମେ ବାଇକରେ ଖସି ପଳାଇବା ପାଇଁ ଗୋପାଳ ଯୋଜନା କରିଥିଲା ବୋଲି କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି । ଦିନ ଗଡୁଛି, ନବ ଦାସଙ୍କ ହତ୍ୟାକାଣ୍ଡର ଗୋଟିଏ ପରେ ଗୋଟିଏ ରହସ୍ୟ ଉନ୍ମୋଚନ ହେବାରେ ଲାଗିଛି । ତେବେ ସବୁ ଦିଗକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ବୋଲି କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । କ୍ରାଇମବ୍ରାଞ୍ଚ କେବେ ଖୋଜି ବାହାର କରୁଛି ହତ୍ୟାକାଣ୍ଡ ପଛର ମୋଟିଭ ଏବେ ତାକୁ ହିଁ ଅପେକ୍ଷା । କାରଣ ରାଜନୈତିକ ଶତ୍ରୁତା ନା ବ୍ୟବସାୟିକ ଶତ୍ରୁତା ନା ଗୋପାଳ ସହିତ ବ୍ୟକ୍ତିଗତ ଶତ୍ରୁତାରୁ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ତାହା ଏବେ ବି ଅସ୍ପଷ୍ଟ ରହିଛି । ତଦନ୍ତ ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଆଯାଉଛି ବୋଲି କହିଛନ୍ତି ପୋଲିସ ଡିଜି ।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.