February 23, 2025
Home » ଏଣିକି ସ୍ମାର୍ଟ ସିଟିରେ ଦେଖିବାକୁ ମିଳିବନି ସହରି ବନ୍ୟା

ଏଣିକି ସ୍ମାର୍ଟ ସିଟିରେ ଦେଖିବାକୁ ମିଳିବନି ସହରି ବନ୍ୟା

0

ଭୁବନେଶ୍ୱରରେ ହେଉଥିବା ବାତ୍ୟାଜଳ ଜନିତ ସହରୀ ବନ୍ୟାକୁ କିପରି ନିୟନ୍ତ୍ରଣ କରିପାରିବା, ସେନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବ ଆଇଆଇଟି ରୁର୍କି । ଏଥିପାଇଁ ଆଜି ଭୁବନେଶ୍ୱର ମହାନଗର ନିଗମ ଓ ଆଇଆଇଟି ରୁର୍କି ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ବିଏମ୍ ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ବିଡିଏ ଅଧ୍ୟକ୍ଷ ଶ୍ରୀ ଏନ୍. ତିରୁମଲ୍ଲା ନାୟକ, ଓସଡମା ଦକ୍ଷତା ବିକାଶ କାର୍ଯ୍ୟ ନିର୍ବାହୀ ନିର୍ଦେଶକ ଶ୍ରୀ କମଳ ଲୋଚନ ମିଶ୍ର, ସିଟି ଇଂଜିନିୟର ଶ୍ରୀ ବିଳାସ କୁମାର ବେହେରା, ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ଆଇଆଇଟି ରୁର୍କିର ନିର୍ଦେଶକ ଶ୍ରୀ କେ.କେ. ପନ୍ଥ, ଡିନ୍ ପ୍ରଫେସର ଅକ୍ଷୟ ଦ୍ୱିବେଦୀ ପ୍ରମୁଖ ମଂଚାସୀନ ଥିଲେ ।
ରାଜଧାନୀ ଭୁବନେଶ୍ୱର, ଓଡ଼ିଶା ରାଜ୍ୟର ଏକ ଦ୍ରୁତ ଅଭିବୃଦ୍ଧିଶୀଳ ସହର l ଏହାର ପରିସୀମା ଏବଂ ଭୌଗୋଳିକ ସ୍ଥିତି ଦୃଷ୍ଟିରୁ , ସମୁଦାୟ ଭୂମି ପ୍ରାୟ ଦୁଇ ଭାଗରେ ବିଭକ୍ତ କରାଯାଏ l ପଶ୍ଚିମ ଆଡକୁ ଉଚ୍ଚଭୂମି ରହିଥିବା ବେଳେ ପୂର୍ବ ଆଡ ତଳଭୂମି ବା ଲୋ ଲ୍ୟାଣ୍ଡ ରହିଛି । ଏହାର ଉତ୍ତର ପଶ୍ଚିମ ଅଂଶ ପାହାଡିଆ l ପ୍ରତିବର୍ଷ, ବର୍ଷା ଋତୁରେ, ସହରଟି ବାତ୍ୟା ଜନିତ ବର୍ଷା ଏବଂ ସମୟ ସମୟରେ ମୂଷଳଧାରାରେ ବର୍ଷା ଯୋଗୁଁ ସହରୀ ବନ୍ୟା ଏବଂ ଜଳପ୍ଲାବନ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୁଏ । ଏପରିକି NH-16 ର ସର୍ଭିସ ରୋଡର କିଛି ସ୍ଥାନରେ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହୁଏ । ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ।
ଉପଯୁକ୍ତ ସହରାଞ୍ଚଳ ବନ୍ୟା ପରିଚାଳନା ବିନା, କୌଣସି ସହର ଉଚ୍ଚ ଗୁଣାତ୍ମକ ବାସ ଉପଯୋଗୀ ସହର ହୋଇପାରିବ ନାହିଁ । ଉକ୍ତ ସମସ୍ତ ସ୍ଥିତିକୁ ଦୃଷ୍ଟିରେ ରଖି, ଏହାର ଏକ ଦୀର୍ଘସ୍ଥାୟୀ ସମାଧାନ ନିମନ୍ତେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବି ଏମ୍ ସି) , ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣ କରିବାକୁ ଏକ ସ୍ମାର୍ଟ ଡ୍ରେନେଜ୍ ସିଷ୍ଟମ ପାଇଁ ମାଷ୍ଟର ପ୍ଲାନ୍ ଏବଂ DPR (ଡ୍ରାଫ୍ଟ ପ୍ରୋଜେକ୍ଟ ରିପୋର୍ଟ ) ପ୍ରସ୍ତୁତ କରିବାକୁ ଯୋଜନା କରିଛି । ଏଥିପାଇଁ ଆବଶ୍ୟକ ପ୍ରଯୁକ୍ତି ଜ୍ଞାନ ଏବଂ ବିଶେଷଜ୍ଞତାର ଉପଯୋଗ କରିବାକୁ IIT ରୁର୍କି ସହିତ ଆଜି ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
ଆଗାମୀ ଏକ ବର୍ଷ ମଧ୍ୟରେ ପ୍ରାୟ 256 ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ସମଗ୍ର ସହରର ବର୍ଷାଜଳ ପରିଚାଳନା ପାଇଁ ଏକ ସମନ୍ୱିତ ସମାଧାନ ରାସ୍ତା ବାହାର କରିବାକୁ IIT ରୁର୍କି ଏକ ବିସ୍ତୃତ ଡ୍ରେନେଜ୍ ମାଷ୍ଟର ପ୍ଲାନ୍ ଏବଂ ଡିପିଆର ପ୍ରସ୍ତୁତ କରିବାକୁ ଯାଉଛି । ଏଥିପାଇଁ ଏକବର୍ଷ ସମୟ ଲାଗିବ l ଏଥିରେ ସ୍ଵଳ୍ପ କାଳୀନ ଏବଂ ଦୀର୍ଘ କାଳୀନ ଯୋଜନା ରହିବ । ଭାରତ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଧାରିତ 2040 ପାଇଁ ଆକଳନ କରାଯାଇଥିବା ଭୂମି ବ୍ୟବହାର, ଜନସଂଖ୍ୟା ଏବଂ ଜଳ ଓ ଜଳବାୟୁକୁ ସମୀକ୍ଷା କରି IIT ରୁର୍କି ଦ୍ୱାରା ଏହି ଯୋଜନା ବା ପ୍ଲାନ୍ ପ୍ରସ୍ତୁତ ହେବ l ସେମାନେ ଛୋଟ, ମଧ୍ୟମ ଏବଂ ମୁଖ୍ୟ ଡ୍ରେନ୍ କ୍ଷେତ୍ରଗୁଡ଼ିକର ଜଳ ବିଜ୍ଞାନ ମଡେଲିଂ କରିବେ ଯାହା ଦ୍ୱାରା ସହରରେ ଡ୍ରେନେଜ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ସମାଧାନ ହୋଇପାରିବ।
ଦୀର୍ଘସ୍ଥାୟୀ ଜଳପ୍ଳାବନ ଏବଂ ବନ୍ୟା ସମସ୍ୟା ଦୂର କରିବାକୁ BMC ତୁରନ୍ତ ଯୋଜନାଗୁଡ଼ିକ ଉପରେ କାର୍ଯ୍ୟ କରିବା ଆରମ୍ଭ କରିବ, ଯାହା ଆମ ରାଜଧାନୀ ଭୁବନେଶ୍ଵର ସହରର ନାଗରିକମାନଙ୍କ ନିମନ୍ତେ ଉପାଦେୟ ହେବ । ଏଥିପାଇଁ 8.04 କୋଟି ଟଙ୍କାର ବ୍ୟୟ ବରାଦ ଆକଳନ କରାଯାଇଛି । ତେବେ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ କାମ ସାରିବାକୁ ମାନ୍ୟବର ମନ୍ତ୍ରୀ ଓ ମାନନୀୟା ମେୟର କହିଛନ୍ତି । ଏହା ସହିତ ଜନସାଧାରଣଙ୍କ ସହଯୋଗ ଲୋଡିବା ସହିତ ସରକାରଙ୍କ ସହଯୋଗ କାମନା କରିଛନ୍ତି ମାନନୀୟା ମେୟର ।
ଏହି କାର୍ଯ୍ୟକ୍ରମରେ ଷ୍ଟାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ବହୁ କର୍ପୋରେଟର, ବିଏମ୍ ସିର ସମସ୍ତ ବରିଷ୍ଠ ଅଧିକାରୀ, ଆଇଆଇଟି ରୁର୍କିର ବରିଷ୍ଠ ଅଧ୍ୟାପକ ଓ ଅଧିକାରୀ, ଟିମ୍ ବିଏମ୍ ସି ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟର ସଂଯୋଜନା କରିଥିଲେ ବିଏମ୍ ସିର ଅତିରିକ୍ତକମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ ।

Leave a Reply

Your email address will not be published. Required fields are marked *